ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗବତଙ୍କୁ ବିହାରର ବୋଲି କହି ଟ୍ୱିଟ୍ କଲେ ଆରଜେଡି ନେତା ତେଜ ପ୍ରତାପ ଯାଦବ, ଜୋର ଧରିଲା ଚର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଟୋକିଓ ପାରା ଅଲିମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କରିଛନ୍ତି ।  ବ୍ରିଟେନର ଡାନ୍ ବିଥେଲଙ୍କୁ ୨ଟି ସେଟରେ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଏହି ସଫଳତା ପାଇବା ପରେ ପରେ ପ୍ରମୋଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ସମସ୍ତଙ୍କ ଶୁଭେଚ୍ଛା ଭିତରେ ଜଣେ ରାଜନେତାଙ୍କ ଟ୍ବିଟ୍ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ବିହାରର ବିଧାୟକ ତଥା ଆରଜେଡି ଦଳର ନେତା ତେଜ ପ୍ରତାପ ଯାଦବଙ୍କ ଟ୍ୱିଟ। ତାଙ୍କ ଟ୍ବିଟ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। 

ତେଜ ପ୍ରତାପ ଯାଦବ୍ ତାଙ୍କ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, ” ବ୍ୟାଡ୍ ମିଣ୍ଟନରେ ବିହାର ସୁନା ପୁଅ ପ୍ରମୋଦ ଭଗବତ୍ ସ୍ବର୍ଣ୍ଣ ପଦକ ଜିତି ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । କେବଳ ବିହାର ରାଜ୍ୟ ପାଇଁ ନୁହେଁ, ଦେଶ ପାଇଁ ମଧ୍ୟ ଗୌର ଆଣିଛନ୍ତି ପ୍ରମୋଦ ଭଗବତ୍ ।” 

ତେବେ ଏଠାରେ ସୂଚନା ଥାଉକି, ପ୍ରମୋଦ ଭଗବତ ବିହାରରେ ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ ପିଲାଟି ଦିନରୁ ସେ ଓଡିଶା ମାଟିରେ ବଢି ଆସିଛନ୍ତି । ଏଠାରେ ରହି ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ପ୍ରମୋଦ ନିଜେ ମଧ୍ୟ ଓଡିଆ ବୋଲି କହି ଗର୍ବ ଅନୁଭବ କରିଥାନ୍ତି । ପ୍ରମୋଦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସମସ୍ତ ଓଡିଶାବାସୀଙ୍କୁ ଶ୍ରେୟ ଦେଉଥିବା ବେଳେ ତେଜ ପ୍ରତାପ ଯାଦବଙ୍କ ଟ୍ୱିଟ୍ ଏବେ ଏକ ନୂଆ ବିବାଦ ସୃଷ୍ଟି କରିଛି ।

ପ୍ରମୋଦ ଭଗବତଙ୍କ ସଙ୍ଘର୍ଷର କାହାଣୀ : 

ପାରା ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗବତ ଏବେ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ସଫଳତା ପୂର୍ବରୁ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟୀ। ଅତାବିରା ରାସ୍ତା କଡ଼ରେ ବଡ଼ ଭାଇଙ୍କର ଏକ ପଙ୍ଖା ଦୋକାନ ଥାଏ। ସେଠାରେ ସେ ବଡ଼ ଭାଇଙ୍କୁ ସହାୟତା କରିଥାନ୍ତି। 

ପ୍ରମୋଦ ଅତାବିରା ବାଳକ ଉଚ୍ଚବିଦ୍ୟାଳୟରେ ପାଠ ପଢା ଶେଷ କରିବା ପରେ ଅତାବିରା କଲେଜରେ ଯୁକ୍ତ ୨ ପାସ୍ କରି ଯୁକ୍ତ ୩ରେ ନାମ ଲେଖାଇଥିଲେ। ହୀରାକୁଦର ଏକ ଆଇଟିଆଇ କଲେଜରେ ମଧ୍ୟ ନାମ ଲେଖାଇ ଥିଲେ। କିନ୍ତୁ ଟଙ୍କାର ଅଭାବ ଯୋଗୁଁ କଲେଜ ଫି’ ଦେଇ ନ ପାରିବାରୁ ଆଇଟିଆଇ ଛାଡ଼ିବାକୁ ପଡ଼ି ଥିଲା। ପରିବାର ଚଳାଇବା ପାଇଁ ପଙ୍ଖା, ଆଇରନ୍‌ ଆଦି ସଜାଡ଼ୁଥିଲେ। କିନ୍ତୁ ବ୍ୟାଡ୍‌ମିଣ୍ଟନ ପ୍ରତି ପ୍ରମୋଦଙ୍କର ଦୁର୍ବଳତା ରହି ଥିଲା। ବିଭିନ୍ନ ଗାଁରେ ସାଧାରଣ ବର୍ଗରେ ବ୍ୟାଡ୍‌ମିଣ୍ଟନ ଖେଳି ସେ ବିଜେତା ହୋଇଛନ୍ତି।

ପରେ ବରଗଡ଼ର ଏକ ଘରୋଇ ଶିକ୍ଷାନିଷ୍ଠାନରେ ୨୫ ଶହ ଟଙ୍କାରେ ସେ କୋଚ୍ ଭାବେ ନିଯୁକ୍ତି ପାଇଥିଲେ। ଏହା ପରେ ଅନୁଗୁଳ ନାଲକୋରେ ଇନ୍‌ଡୋର୍‌ରେ ଅଭ୍ୟାସ କରି ୨୦୦୬ ରେ ବେଙ୍ଗାଲୁରୁର ଜାତୀୟ ଚାମ୍ପିଅନ୍‌ସିପରେ ସେ ବିଜୟୀ ହୋଇଥିଲେ। ଖେଳ ପାଇଁ ଅର୍ଥ ବାଧକ ହୋଇଥିଲେ ସୁଦ୍ଧା ପ୍ଲେୟାର କ୍ଲବ୍‌ର ଅନ୍ୟ ସାଥୀ କୌଶିକ ମହାକୁର, ଅମିତ ଚୌଧରୀ, ଚେତନ ଶର୍ମା, ସାମାଜିକ କର୍ମୀ ରବି ନାରାୟଣ ପଣ୍ଡାଙ୍କ ସହଯୋଗରେ ବହୁ ଜାତୀୟ ଖେଳରେ ଭାଗ ନେଇ ସଫଳ ହୋଇଥିଲେ।ତାଙ୍କ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ମାଲେସିଆର କ୍ବାଲାଲମ୍ପୁରରେ ଖେଳି ସେ ଉଭୟ ଏକକ ଓ ଡବଲ୍‌ରେ କାଂସ୍ୟ ପଦକ ପାଇଥିଲେ। ସେଠାରୁ ଆଉ ସେ ପଛକୁ ଫେରିନାହାନ୍ତି। ବର୍ତ୍ତମାନ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। 

Related Posts