ରଥ ନିର୍ମାଣ ପାଇଁ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପଠାଗଲା ପ୍ରଥମ ପର୍ଯ୍ୟାୟ ରଥ କାଠ

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀଜୀଉମାନଙ୍କ ତିନି ରଥ ନିର୍ମାଣ ପାଇଁ ଶୁକ୍ରବାର ଅପରାହ୍ନରେ ନୟାଗଡ଼ ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକ ଯୋଗେ ମୋଟ ୧୦୪ ଖଣ୍ଡ କାଠ ପଠାଯାଇଛି। ସେଥିରୁ ଅଶନ କାଠ ୩୩ ଓ ଧଉରା କାଠ ୭୧ ଖଣ୍ଡ ସିଧାସଳଖ ପୁରୀକୁ ପଠାଯାଇଛି । ଦଶପଲ୍ଲା ଜଙ୍ଗଲରୁ ଏହି କାଠ ସଂଗ୍ରହ କରାଯାଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଶ୍ରୀ ମନ୍ଦିରର ପ୍ରଥା ଅନୁଯାୟୀ ସରସ୍ଵତୀ ପୂଜା ପୂର୍ବରୁ ରଥଖଳାରେ ପ୍ରଥମ ପର୍ଯ୍ୟାୟରେ ରଥ କାଠ ପହଞ୍ଚିବାର ବିଧି ରହିଥିବାରୁ ପ୍ରଥମ ପର୍ଯ୍ୟାୟରେ ସେଠାକୁ ଏହି କାଠ ପଠାଯାଇଥିବା ଜଣାପଡିଛି । ପଠାଯାଇଥିବା କାଠ ଗୁଡ଼ିକ ମଧ୍ୟରୁ ୧୨ ଫୁଟ ଲମ୍ବା ଓ ୩ଫୁଟ ଗୋଲାଇର ୩୩ ଖଣ୍ଡ ଅଶନ କାଠ ରହିଥିବା ବେଳେ ୬୮ ଖଣ୍ଡ ଧଉରା ରହିଛି । ସେହିଭଳି ୨୦ଫୁଟ ଲମ୍ବା ଓ ୪ଫୁଟ ଗୋଲାଇଟ ୩ ଖଣ୍ଡ ଅଶନ କାଠ ମଧ୍ଯ ରହିଛି । ଅବଶିଷ୍ଟ କାଠ ନୟାଗଡ଼ ବନଖଣ୍ଡରୁ ଅକ୍ଷିତୃତୀୟା ପୂର୍ବରୁ ପୁରୀକୁ ପଠାଯିବ ବୋଲି ସୂଚନା ମିଳିଛି ।

ଶୁକ୍ରବାର କାଠ ଟ୍ରକ ୩ଟି ଦଶପଲ୍ଲା ଜଙ୍ଗଲରୁ ବାହାରି ପ୍ରଥମେ ମହାବୀର ପିଠରେ ପୂଜା ଅର୍ଚ୍ଚନା କରାଯାଇ ନୟାଗଡ଼ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଥିଲା । ସେଠାରେ ନୟାଗଡ଼ ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପୂର୍ବର ବିଧି ଅନୁସାରେ ରଥକାଠକୁ ପୂଜା ଅର୍ଚ୍ଚନା କରିଥିଲେ । ପରେ ଟ୍ରକ ୩ଟି ନୟାଗଡ଼ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଅପରାହ୍ନକୁ ପୁରୀ ଅଭିମ୍ମୁଖେ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ମିଳିଛି।

Related Posts