ଛତା ତଳେ ଚାଲିଛି ରୋଗୀ ଚିକିତ୍ସା, ପୁରୀ ପଣସପଦା ପିଏଚସିରୁ ଆସିଲା ଅଭାବନୀୟ ଦୃଶ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛତାତଳେ ଚାଲିଛି ରୋଗୀଙ୍କ ଚିକିତ୍ସା । ଚିକିତ୍ସା ପାଇବାକୁ ରୋଗୀ ମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଛତା ଧରି ହସ୍ପିଟାଲରେ ଛିଡା ହେଉଛନ୍ତି ।ତେବେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପଣସପଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ଲଗାଣ ବର୍ଷା ଯୋଗୁଁ ମେଡିକାଲ ଛାତରୁ ପାଣି ଗଳୁଥିବାବେଳେ ମେଡିକାଲ ଭିତରେ ବି ପାଣି ପଶିଯାଉଥିବା ଦେଖିବାକୁ ମିଳିଛି ।ମେଡିକାଲ ଛାତରୁ ପାଣି ଗଳୁଥିବାରୁ ଜଣେ ଡାକ୍ତରଖାନା କର୍ମଚାରୀ ଡାକ୍ତରଙ୍କ ମୁଣ୍ଡ ଉପରେ ଛତା ଦେଖାଇ ଛିଡା ହେଲେ ଯାଇ ରୋଗୀ ଦେଖିପାରୁଛନ୍ତି ଡାକ୍ତର । ଏତତ୍ ବ୍ୟତୀତ ରୋଗୀ ମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ମେଡିକାଲ ଭିତରେ ଛତା ଧରି ଅପେକ୍ଷା କରିବାକୁ ପଡୁଛି । ଗୋଟିଏ ଦି ବର୍ଷ ନୁହେଁ ବର୍ଷ ବର୍ଷ ଧରି ଏହି ପିଏଚସିରେ ଏଭଳି ସମସ୍ୟା ଲାଗି ରହିଛି।ଅନେକ ଥର ଏହି ସମସ୍ୟା ବାବଦରେ ବିଭାଗକୁ ଜଣାଇବା ପରେ ମେଡିକାଲ ପରିସରରେ ନୂଆ କୋଠା ନିର୍ମାଣ କରାଯାଇଛି ସତ ହେଲେ ସେଠାକୁ ବିଦ୍ୟୁତ୍ କିମ୍ବା ଜଳ ଯୋଗାଣ ବ୍ୟବସ୍ଥା ହୋଇନଥିବାରୁ ସେହି କୋଠାକୁ ସ୍ଥାନନ୍ତର କରିବା ସମ୍ଭବ ହୋଇପାରୁନାହିଁ । ତେଣୁ ଅତି ଅସୁରକ୍ଷିତ ପରିବେଶ ମଧ୍ୟରେ ପୁରୁଣା କୋଠାରେ ହିଁ ରୋଗୀ ସେବା ଚାଲିଛି ।ତେବେ ଏହି ଡାକ୍ତରଖାନା ଉପରେ ଅଞ୍ଚଳର ସହ ସହ ଲୋକ ନିର୍ଭର କରୁଥିବାବେଳେ ଏହି ସମସ୍ୟା ଉପରେ ସ୍ବାସ୍ଥ୍ୟ ବିଭାଗର କୌଣସି ନିଘା ନଥିବା ଦେଖିବାକୁ ମିଳିଛି।

Related Posts