ସୁପ୍ରିମକୋର୍ଟ ଏବଂ ନ୍ୟାୟିକ ସ୍ୱତନ୍ତ୍ରତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ପେଗାସସ୍ ଜାସୁସି ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଗଣତନ୍ତ୍ର ପାଇଁ ନ୍ୟାୟିକ ସ୍ବତନ୍ତ୍ରତା ହେଉଛି ଏକ ଆବଶ୍ୟକୀୟ ସର୍ତ୍ତ, କାରଣ ଏହା ଅଥରଟେରିଆନ୍ ଶକ୍ତିର ଯାଞ୍ଚ ପାଇଁ ନ୍ୟାୟିକ ବ୍ୟବସ୍ଥା ହେଉଛି ସବୁଠାରୁ ବଡ ଯାଞ୍ଚକାରୀ ସଂସ୍ଥା । ତେବେ ନରେନ୍ଦ୍ର ମୋଦୀ ସରକାରରେ କାଶ୍ମୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୋଗାଯୋଗ ଅବରୋଧ ରଖିବା ଭଳି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ସମୀକ୍ଷା କରିବାରେ ଅକ୍ଷମତା ପ୍ରକାଶ କରିଥିବା ଦେଖାଦେଇଛି। ବର୍ତ୍ତମାନ ଉଦବେଗଜନକ ନୂତନ ଖୁଲାସା ଏହି ସନ୍ଦେହକୁ ଆହୁରି ଅଧିକ ଦୃଢୀଭୂତ କରିଛି। 

 ଜୁଲାଇ 18 ଠାରୁ, ବିଶ୍ବର ବହୁ ବଡ ବଡ ପ୍ରତିଷ୍ଠିତ ନେତା ମନ୍ତ୍ରୀ, ସାମ୍ବାଦିକ, ଓକିଲ, ଆକ୍ଟିଭିଷ୍ଟଙ୍କ ଫୋନ୍ ଟ୍ୟାପିଂ ମାମଲା କନ୍ସୋର୍ଟିୟମ୍ ଦ୍ୱାରା ପ୍ରକାଶି ପାଇଛି। ଏହି ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍ ନମ୍ବରକୁ ପେଗାସସ୍ ସ୍ପାଇୱୟାର ମାଧ୍ୟମରେ ଜାସୁସି କରିବା ଘଟଣା ସାମ୍ନାକୁ ଆସିଛି। ଏହି ସ୍ପାଇୱୟାରର ବ୍ୟବହାର କରି ବେଆଇନ ସାଇବର ଜାସୁସି ସମ୍ଭାବ୍ୟ ଲକ୍ଷ୍ୟକୁ ପ୍ରତିଫଳିତ କରିଥାଏ। ଇସ୍ରାଏଲ୍ ଦ୍ୱାରା ପ୍ରସ୍ତୁତ ଗୁପ୍ତଚର ସଫ୍ଟୱେର୍ ଏତେ ସ୍ୱତନ୍ତ୍ର ଯେ କିଛି ବିଶେଷଜ୍ଞ ଏହାକୁ “ଅସ୍ତ୍ର” ବୋଲି କହିଛନ୍ତି ।

 ତେବେ ଏହି ଜାସୁସି ତାଲିକାରେ ଭାରତର ୩୦୦ ଫୋନ୍ ନମ୍ବର ଟ୍ୟାପିଂ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ସୁପ୍ରିମକୋର୍ଟ ସମ୍ବନ୍ଧୀୟ ନାମ ରହିଛି। ଦ ୱୟାର ରିପୋର୍ଟ କରିଛି ଯେ “ପେଗାସସ୍ ପ୍ରୋଜେକ୍ଟ ଡାଟାବେସରେ ଥିବା ନମ୍ବର ମଧ୍ୟରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ନାମ ରହିଛି । ” 

ଦ ୱାୟାର ସେହି ବିଚାରପତିଙ୍କ ନାମ ପ୍ରକାଶ କରି ନଥିବା ବେଳେ ବର୍ତ୍ତମାନ ଉକ୍ତ ବିଚାର ପତି ଏହି ନମ୍ବର ବ୍ୟବହାର କରୁଛନ୍ତି କି ନାହିଁ ତାହା ସେମାନେ ନିଶ୍ଚିତ କରିବାରେ ଅସମର୍ଥ ହୋଇଥିବା କହିଛନ୍ତି। ଏହି ମାମଲାରେ ସ୍ପାଏୱେୟାରକୁ ବ୍ୟବହାର କରାଯିବା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । 

 ତେବେ ସୁପ୍ରିମକୋର୍ଟର ଜଣେ କର୍ମଚାରୀ ଏବଂ ତାଙ୍କ ପରିବାର ସେହି ସମୟରେ ଭାରତର ପ୍ରଧାନ ବିଚାରପତି ଥିବା ରଂଜନ ଗୋଗୋଇଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବାର କିଛି ଦିନ ପରେ ସମ୍ଭାବ୍ୟ ଫୋନ୍ ଟ୍ୟାପିଂ ତାଲିକାରେ ତାଙ୍କ ନାମ ଥିବା ଜଣାପଡିଛି। 

 ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ମହିଳା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ଜଡିତ 11 ଫୋନ୍ ନମ୍ବର ପେଗାସସ୍ ଦ୍ୱାରା ଜାସୁସି ହୋଇଥିବା ନେଇ ରିପୋର୍ଟରେ ଦାବି କରାଯାଇଛି। 

 ସବୁଠାରୁ ଚିନ୍ତାଜନକ ପ୍ରଶ୍ନ ?

 ସେହି ସମୟରେ ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲା। ଶେଷରେ ଏହା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା।  ତେବେ ଶୁଣାଣିର ଦୁଇ ବର୍ଷ ପରେ ମାର୍ଚ୍ଚରେ କୋର୍ଟ କୌଣସି ଫଇସଲା ନ ଦେଇ ତଦନ୍ତ ବନ୍ଦ କରିଦେଇଥିଲେ।  ତାଙ୍କ ଅଭିଯୋଗ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାବେଳେ 2018 ରେ ବରଖାସ୍ତ ହୋଇଥିବା କର୍ମଚାରୀଙ୍କୁ ଜାନୁଆରୀ 2020 ରେ ପୁନଃ ନିଯୁକ୍ତ କରାଯାଇଥିଲା। ତାଙ୍କୁ କାହିଁକି ବରଖାସ୍ତ କରାଯାଇଛି କିମ୍ବା ପୁନଃ ସ୍ଥାପିତ କରାଯାଇଛି ସେନେଇ କୌଣସି କାରଣ କୁହାଯାଇ ନାହିଁ।

 ଯେହେତୁ ନୂତନ ଖୁଲାସା ଅନୁଯାୟୀ ସେ ଏବଂ ତାଙ୍କ ପରିବାର ଲୋକଙ୍କ ଫୋନ୍ ନମ୍ବର ପେଗାସସ୍ ସ୍ପାଇୱୟାର ମାଧ୍ୟମରେ ଜାସୁସିର ଶିକାର ହୋଇଥିଲେ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଷ୍ଟିସ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ଥିବା ସମୟରେ ଅନେକ ସମ୍ବେଦନଶୀଳ ମାମଲାର ଶୁଣାଣି କରିଥିଲେ। ଯାହାର ରାୟ ସର୍ବା ମୋଦୀ ସରକାରଙ୍କ ସପକ୍ଷରେ ଥିଲା।

 ଅଯୋଧ୍ୟା ପ୍ରସଙ୍ଗ, ଯାହା ଭାରତର ସବୁଠାରୁ ହାଇ ପ୍ରୋଫାଇଲ୍ ମାମଲା ଥିଲା। ଗୋଗୋଇଙ୍କ ନେତୃତ୍ୱାଧୀନ ବେଞ୍ଚ ତିନି ଦଶନ୍ଧି ଧରି ଚାଲିଥିବା ଏହି ମାମଲାର ରାୟ ଦେଇଥିଲା। 1992 ମସିହାରେ ବାବ୍ରି ମସଜିଦ୍ ଥିବା ବିବାଦୀୟ ଜମିକୁ ମନ୍ଦିର ନିର୍ମାଣ ପାଇଁ ଦିଆଯାଇଥିଲା । 

  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭାରତୀୟ ଜନତା ପାର୍ଟିର ଏକ ପ୍ରମୁଖ ଆଦର୍ଶଗତ ପ୍ରତିବଦ୍ଧତା ବୋଲି ଆଇନଜ୍ଞ ମାନେ କୁହୁଥିଲା ବେଳେ ସୁପ୍ରିମକୋର୍ଟଙ୍କ ରାୟ ଦଶନ୍ଧି ଧରି ବିବାଦୀୟ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇ ଥିଲା।

 କ୍ଲିନ୍ ଚିଟ୍ 

 ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣିବାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଗୋଗୋଇଙ୍କ ନେତୃତ୍ୱରେ ଅନ୍ୟ ଏକ ବେଞ୍ଚ ମୋଦୀ ସରକାରଙ୍କୁ କ୍ଲିନଚିଟ୍ ପ୍ରଦାନ କରିଛି। ଏହି କାରବାରରେ ଦୁର୍ନୀତି ସନ୍ଦେହରେ ଫ୍ରାନ୍ସରେ ଜୁଲାଇ 3 ରେ ଜଣେ ବିଚାରପତିଙ୍କୁ ଏହି ଡିଲର ଯାଞ୍ଚ କରିବାକୁ କୁହାଯାଇଛି।

 ଭାରତରେ ସୁପ୍ରିମକୋର୍ଟଙ୍କ ସମ୍ମାନକୁ ଦୃଷ୍ଟିରେ ରଖି 2019 ନିର୍ବାଚନ ପୂର୍ବରୁ ମୋଦୀଙ୍କ ଉପରେ ବିରୋଧୀଙ୍କ ଆକ୍ରମଣକୁ ଖଣ୍ଡନ କରିବାରେ ରାଫେଲ ଡିଲ୍ ଉପରେ କ୍ଲିନଚିଟ୍ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। 2014 ଲୋକସଭା ନିର୍ବାଚନ ପୂର୍ବରୁ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ ବିରୋଧରେ ଦୁର୍ନୀତି ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କଂଗ୍ରେସ ପାଇଁ ବିଶ୍ୱସନୀୟତା ହରାଇବାରେ ଏକ ଆଇନା ସଦୃଶ୍ୟ ଥିଲା। 

 2018 ରେ ସିବିଆଇର ମୁଖ୍ୟ ଆଲୋକ ବର୍ମାଙ୍କୁ ମୋଦି ସରକାର ବହିଷ୍କାର କରିବା ଏକ ପ୍ରଶ୍ନବାଚୀ। ସିବିଆଇ ମଧ୍ୟରେ ଝଗଡ଼ା ହେବା ମାମଲାରେ ବର୍ମାଙ୍କୁ ହଟାଇ ଦିଆଯାଇଥିଲା। ସେ ଏଜେନ୍ସି ମଧ୍ୟରେ ଥିବା ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଲାଞ୍ଚ ନେଇଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆହୁରି ଆଶ୍ଚର୍ଯ୍ୟଜନକ ଥିଲା କାରଣ ଅସ୍ଥାନା ମୋଦୀଙ୍କ ନିକଟତର ବୋଲି କୁହାଯାଏ। 

 ସକାଳ 2 ଟାରେ ଆଲୋକ ବର୍ମାଙ୍କୁ ବରଖାସ୍ତ କରାଯାଇଥିବାରୁ ବିରୋଧୀ ଦଳ ଅଭିଯୋଗ ଆଣିଥିଲେ ଯେ ରାଫାଲରେ କୌଣସି ସିବିଆଇ ଯାଞ୍ଚକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏନଡିଟିଭି ରିପୋର୍ଟ ଅନୁଯାୟୀ ବହିଷ୍କାର ହେବାର କିଛି ସପ୍ତାହ ପୂର୍ବରୁ ବର୍ମା ବରିଷ୍ଠ ଓକିଲ ତଥା ଆକ୍ଟିଭିଷ୍ଟ ପ୍ରଶାନ୍ତ ଭୂଷଣ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମୋଦୀ ସମାଲୋଚକ ଅରୁଣ ଶୌରୀଙ୍କୁ ରାଫାଲ ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଭେଟିଥିଲେ। ଏହି ପଦକ୍ଷେପ ମୋଦୀ ସରକାରଙ୍କୁ ହଜମ ହୋଇନଥିଲା। ବର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ତାଙ୍କୁ ପୁନଃ ନିଯୁକ୍ତ କରାଯାଇଥିଲା। 

 ଏହି ପ୍ରସଙ୍ଗରେ ଆଇନ ଅନୁଯାୟୀ ସିବିଆଇ ମୁଖ୍ୟଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ରହିଥିଲା। କୋର୍ଟ ସିବିଆଇ ଭଳି ସମ୍ବେଦନଶୀଳ ମାମଲାରେ ଶୁଣାଣି ପ୍ରକ୍ରିୟାକୁ ବିଳମ୍ବ କରିଥିଲେ।  

 ଅସ୍ୱାଭାବିକ ଭାବରେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏମିତି ଆସିଲା ଯେ ବର୍ମା କୌଣସି ନୀତିଗତ ନିଷ୍ପତ୍ତି ନେଇପାରିଲେ ନାହିଁ।  ତାଙ୍କର ପୁନଃ ନିଯୁକ୍ତି ଦିଆଯିବର ଗୋଟିଏ ଦିନ ପରେ, ବର୍ମାଙ୍କୁ ସିବିଆଇରୁ ବଦଳି କରାଯାଇଥିଲା, ଯାହାଦ୍ୱାରା ସେ ପ୍ରଥମେ ଚାକିରିରୁ ବହିଷ୍କୃତ ହେବାପରେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହାସଲ କରିଥିଲେ ।

 ତଥାପି ବି ଗୋଗୋଇଙ୍କ ନେତୃତ୍ୱାଧୀନ ବେଞ୍ଚ୍ ମୋଦି ସରକାରଙ୍କୁ କାଶ୍ମୀରରେ ବେଆଇନ ବନ୍ଦୋବସ୍ତ ମାମଲାରେ ହିସାବ ଦେବାକୁ ମନା କରିଦେଇଥିଲେ। ଏବଂ ଆବେଦନକାରୀଙ୍କୁ କହିଥିଲେ ଯେ, “ଶ୍ରୀନଗରରେ ଅତ୍ୟନ୍ତ ଥଣ୍ଡା”। ଗୋଗୋଇ ନେତୃତ୍ୱାଧୀନ ବେଞ୍ଚ ମଧ୍ୟ ବିବାଦୀୟ ଇଲେକ୍ସନ ବଣ୍ଡ୍ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ , ଯାହା ରାଜନୈତିକ ଦଳମାନଙ୍କୁ ଅଜ୍ଞାତ ଅର୍ଥ ପ୍ରଦାନ କରିବାକୁ ଅନୁମତି ଦେଇଥାଏ, ବର୍ତ୍ତମାନ ଯାହାର ମୁଖ୍ୟ ଲାଭକାରୀ ହେଉଛି ବିଜେପି।

 2019 ରେ ସୁପ୍ରିମକୋର୍ଟ 13 ଜଣ କଂଗ୍ରେସ ବିଧାୟକ ଏବଂ ତିନି ଜଣ ଜନତା ଦଳ ବିଧାୟକଙ୍କ ମାମଲାର ଶୁଣାଣି କରି କଂଗ୍ରେସ-ଜେଡିଏସ ସରକାରଙ୍କୁ ଭାଙ୍ଗିବାରେ ସୁପ୍ରିମକୋର୍ଟଙ୍କ ରାୟ ଵିଜେପି ସମର୍ଥନରେ ଥିଲା। ଏକ ଅସ୍ବାଭାବିକ ପଦକ୍ଷେପରେ ସୁପ୍ରିମକୋର୍ଟ ବିଧାନସଭାର କାର୍ଯ୍ୟରେ ସିଧାସଳଖ ହସ୍ତକ୍ଷେପ କରିବାକୁ କହିଛନ୍ତି ଯେ ବିଦ୍ରୋହୀମାନଙ୍କ ପାଇଁ ଦଳବଦଳ ଆଇନ ଲାଗୁ ହେବ ନାହିଁ।  

 ସେପ୍ଟେମ୍ବର, 2019 ରେ ଗୋଗୋଇଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ମୋଦୀ ସରକାରଙ୍କ ଚାପକୁ ପ୍ରାମାଣିତ କରି ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ଭାବରେ ଜଷ୍ଟିସ ଅଖିଲ କୁରେଶୀଙ୍କ ନିଯୁକ୍ତିକୁ ବରଖାସ୍ତ କରି ତ୍ରିପୁରା ପଠାଇଥିଲେ। ମଧ୍ୟପ୍ରଦେଶର ପ୍ରଧାନ ବିଚାରପତି ଭାବରେ କୁରେଶୀଙ୍କୁ ସରକାର କାହିଁକି ଚାହୁଁନାହାଁନ୍ତି। ଏହାର ଉତ୍ତର ହେଉଛି ଗୁଜୁରାଟ ହାଇକୋର୍ଟର ଜଣେ ବିଚାରପତି ଭାବରେ ସେ ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୋହରାବୁଦ୍ଦିନ ମାମଲାରେ ଅଭିଯୁକ୍ତ ଭାବରେ 2010 ରେ ପୋଲିସ ହେପାଜତକୁ ପଠାଇଥିଲେ। 

 ଗୋଗୋଇ କୋର୍ଟରୁ ଅବସର ନେବା ପରେ ମୋଦୀ ସରକାର ତାଙ୍କୁ ସଂସଦରେ ମନୋନୀତ କରିଥିଲେ ।

 ଉପରୋକ୍ତ ତାଲିକାଗୁଡ଼ିକ ମଧ୍ୟରୁ ଅନେକରେ, ଅନୁସନ୍ଧାନରେ ପେଗାସସ୍ ପ୍ରକ୍ରିୟାରେ ଜଡିତ ଅନ୍ୟ ବ୍ୟକ୍ତିଙ୍କ ଉପରେ ଜାସୁସି ହେବାର ସମ୍ଭାବନା ରହିଛି – ତଥାପି ଅନ୍ୟ ଏକ ଦୃଷ୍ଟି କୋଣରୁ ଦେଖିଲେ ଜଣାଯାଏ ଯେ ଏହି ଘଟଣାଗୁଡ଼ିକ ରାଜନୈତିକ ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା |

 ରାଫେଲ ବିଷୟରେ ଉଭୟ ଅନିଲ ଅମ୍ବାନୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଟନି ଜେସୁଦାସାନ ନାମ ତାଲିକାରେ ଅଛି ।  ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ଓଲାଣ୍ଡଙ୍କ ସହ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ ଭାରତରେ ଡାସଲ୍ଟ ଅଂଶୀଦାର ଥିଲା ଯେ ମୋଦୀ ସରକାରଙ୍କ ଜିଦ୍ ରେ ଅମ୍ବାନୀଙ୍କୁ ଏହି ଡିଲର ଏକ ଅଂଶ କରାଯାଇଛି।

 କର୍ଣ୍ଣାଟକ ମାମଲାରେ ଡେପୁଟି ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ଫୋନ୍ ନମ୍ବର ଏବଂ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ସଚିବ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ନାମ ମଧ୍ୟ ପେଗାସସ୍ ଟାର୍ଗେଟ ଲିଷ୍ଟ ରେ ଅଛି। 

ସେହିପରି ସିବିଆଇ ମାମଲାରେ, ଆଲୋକ ବର୍ମାଙ୍କର ୩ ଫୋନ୍ ନମ୍ବର ଏହି ତାଲିକାରେ ରହିଛି।ପରେ ଏହି ତାଲିକାରେ ଭର୍ମାଙ୍କ ପରିବାରର ତଥା ରାକେଶ ଆସ୍ଥାନାଙ୍କ ନମ୍ବର ମଧ୍ୟ ଯୋଡି ହୋଇଥିଲା।

 ନ୍ୟାୟିକ ସ୍ବତନ୍ତ୍ରତା ?

 ବର୍ତ୍ତମାନ ଭାରତରେ ନ୍ୟାୟିକ ସ୍ବତନ୍ତ୍ରତାକୁ ନେଇ ଅନେକଙ୍କ ଚିନ୍ତାଧାରା ହେଉଛି ଜୁଡିସିଆରିକୁ ସ୍ବତନ୍ତ୍ର ରଖିବାକୁ ହେଲେ ରାଜନୀତି ଠାରୁ ଦୂରରେ ରହିବାକୁ ପଡ଼ିବ। ନିକଟରେ ସୁପ୍ରିମକୋର୍ଟ ନିଜେ ଏକ ମାମଲାର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଥିଲେ। 

 ଏହାର ଏକ ଉଦାହରଣ ହେଉଛି 2015 ସୁପ୍ରିମକୋର୍ଟଙ୍କ ରାୟ ଯେ ବିଚାରପତି ଚୟନ କରୁଥିବା ବିଚାରପତିଙ୍କ ଭାରତର ଅନନ୍ୟ କଲେଜିୟମ୍ ବ୍ୟବସ୍ଥା ସମ୍ବିଧାନର ଅକ୍ଷୟ “ମୌଳିକ ଗଠନ” ର ଏକ ଅଂଶ ଏବଂ ତେଣୁ ଏହାକୁ ହଟାଯାଇପାରିବ ନାହିଁ। ସେହି ସମୟରେ ଚିନ୍ତା କରାଯାଉଥିଲା ଯେ ବାହ୍ୟ ଶକ୍ତିରୁ ବିଚାରପତି ଚୟନକୁ ଆଇନଗତ ଭାବରେ ଇନସୁଲେଟ୍ କରି ନ୍ୟାୟିକ ସ୍ବତନ୍ତ୍ରତାକୁ ରକ୍ଷା କରାଯାଇପାରିବ।

 ପେଗାସସ୍ ଖୁଲାସାରୁ ଏହା ସ୍ପଷ୍ଟ ଯେ ନ୍ୟାୟିକ ସ୍ବତନ୍ତ୍ରତାକୁ ବଜାୟ ରଖିବାକୁ ହେଲେ ଭାରତକୁ ଏ ଦିଗରେ ପୁନର୍ବାର ଚିନ୍ତା କରିବା ଆବଶ୍ୟକ।

Related Posts