ନାଲିଆ କୋଠାରେ କାଳିଆ ବାବୁ

ସତ୍ୟପାଠ ବ୍ୟୁରୋ : ଓଡିଶା ସରକାରଙ୍କ ପକ୍ଷରୁ ସବୁଠାରୁ ଭଲ ଯୋଜନା ବୋଲି ଦାବୀ କରାଯାଉଥିବା କାଳିଆ ଯୋଜନା ଶେଷରେ ପହଂଚିଛି ଉଚ୍ଚ ନ୍ୟାୟାଳୟରେ । କୌଣସି ଆପାତ୍ତକାଳୀନ ସମୟ ନଥାଇ ଅଣସାମ୍ବିଧାନିକ ଭାବେ ଏହି ଯୋଜନା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ଆବେଦନ କରିଛନ୍ତି ସାମାଜିକ କର୍ମୀ ଡ. ସୁବାଶ ମହାପାତ୍ର । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ଅର୍ଥ ସଚିବ, ଓଡିଶା ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆବେଦନ କାରୀ ।

ଆବେଦନରେ ଡ. ମହାପାତ୍ର ଦର୍ଶାଇଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୬୭ ଏବଂ ଓଡିଶା କଣ୍ଟିଜେନ୍ସି ଫଣ୍ଡ ଆକ୍ଟର ବିରୁଦ୍ଧାଚରଣ କରୁଛି କାଳିଆ ଯୋଜନା । ରାଜ୍ୟର ବିଭିନ୍ନ ସମୟରେ ବନ୍ୟା ଓ ବାତ୍ୟା ଭଳି ଜରୁରୀ କାଳୀନ ପରିସ୍ଥିତି ଲାଗି ରହୁଥିବା ବେଳେ ଏବେ କେବଳ ନିର୍ବାଚନକୁ ନଜରରେ ରଖି ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଥିପାଇଁ ଜରୁରୀକାଳୀନ ଫଣ୍ଡରୁ ପାଖାପାଖି ୭୩୪ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯାହା ଅଣସାମ୍ବିଧାନିକ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି ।

ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡ. ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରିଥିବା ବେଳେ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଦୁଇଦିନ ପରେ ଅର୍ଥାତ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ପ୍ରଥମ ଦଫାରେ ହିତାଧିକାରୀଙ୍କୁ ସହାୟତା ରାଶି ବାଂଟିବା ପାଇଁ ଆଜି ଅର୍ଥମନ୍ତ୍ରୀ ଘୋଷଣା କରିଥିବା ବେଳେ ଏହି ଯୋଜନାକୁ ନେଇ ହାଇକୋର୍ଟରେ ଆବେଦନ ହେବା ସରକାରଙ୍କୁ ଶକ୍ତ ଝଟକା ଦେଇଛି । ତେବେ ଆବେଦନ ଗ୍ରହଣ ହୋଇ ସରକାରଙ୍କୁ ଜବାବ ତଲବ କରାଯାଇଥିବାରୁ ଟଙ୍କା ବଣ୍ଟା ଯିବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଜରୁରୀକାଳୀନ ପରିସ୍ଥିତି ନଥାଇ ବି କଂଟିଜେନ୍ସି ଫଣ୍ଡରୁ ଟଙ୍କା ଉଠାଇବାକୁ ନେଇ ପ୍ରଥମେ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ପରେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରାଯାଇଥିଲା । ପରେ ସବୁ ବିରୋଧୀଦଳ ଏହାକୁ ମୁଦ୍ଦା କରିଥିବା ବେଳେ ସରକାର କିନ୍ତୁ ଏହା ସବୁଠାରୁ ଭଲ ଯୋଜନା ବୋଲି ଦାବୀ କରି ଆସୁଥିଲେ । କିନ୍ତୁ ଏବେ ଏହି ମାମଲାର ଦିଗ କେଉଁ ଆଡକୁ ଯାଉଛି ତାହା ଉପରେ ସମସ୍ତେ ନଜର ରଖିଛନ୍ତି ।

Related Posts