(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୂଆ ଗାଇଡଲାଇନ ଅନୁଯାୟୀ ଏଣିକି କୌଣସି ଜଳାଶୟର ୫୦ ମିଟର ପରିଧି ଭିତରେ ପେଟ୍ରୋଲ ପମ୍ପ୍ ହୋଇ ପାରିବ ନାହିଁ । ଏ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଆଜି ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ଦେଶର ସମସ୍ତ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କୁ ‘ସିପିସିବି’ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ପଠାଇ ଦିଆଯାଇଛି। ‘ସିପିସିବି’ର ଆକଳନ ଥିଲା ଯେ, ଜଳାଶୟର ୫୦ ମିଟରରୁ କମ୍ ଦୂରତାରେ ପେଟ୍ରୋଲ ପମ୍ପ୍ ବସାଯିବା ଦ୍ବାରା ଜଳ ପ୍ରଦୂଷଣ ହେଉଛି ।
ଏହା ପରେ ‘ସିପିସିବି’ ପକ୍ଷରୁ ଜନମତ ସଂଗ୍ରହ କରାଯାଇଥିଲା। ଜନସାଧାରଣଙ୍କ ମତାମତକୁ ‘ସିପିସିବି’ ବିଶେଷଜ୍ଞ କମିଟିକୁ ପଠାଇଥିଲା। ବିଶେଷଜ୍ଞ କମିଟି ସେ ସବୁକୁ ସମୀକ୍ଷା କରିବା ପରେ ଗାଇଡଲାଇନରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏହାପରେ ପୂର୍ବ ମାର୍ଗଦର୍ଶିକାକୁ ସଂଶୋଧନ କରି ‘ସିପିସିବି’ ରାଜ୍ୟମାନଙ୍କୁ ଉପରୋକ୍ତ ଆଦେଶ ଜାରି କରିଛି।
ବର୍ତ୍ତମାନ ପରଠାରୁ ସ୍ଥାପନ ହେବାକୁଥିବା ସମସ୍ତ ପେଟ୍ରାଲ୍ ପମ୍ପଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ । ଏ ନେଇ ‘ସିପିସିବି’ ପକ୍ଷରୁ ଜାରି ଆଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଜଳାଶୟଗୁଡିକୁ ଯଥାସମ୍ଭବ ପ୍ରଦୂଷଣମୁକ୍ତ କରାଯିବା ଆବଶ୍ୟକ ବୋଲି ‘ସିପିସିବି’ ପକ୍ଷରୁ କୁହାଯାଇଛି । ରାଜସ୍ବ ରେକର୍ଡରେ ଯେଉଁ ସବୁ ଜଳାଶୟ ଚିହ୍ନଟ ହୋଇଛି , ତାହାର ଏକ ତାଲିକା ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି କୁହାଯାଇଛି । ୫୦ ରୁ ୧୦୦ ମିଟର ଦୂରତାରେ ସ୍ଥାପନ ହେଵାକୁ ଥିବା ପେଟ୍ରୋଲ ପମ୍ପ୍ ପାଇଁ ଡବଲ୍ କାନ୍ଥ ନଚେତ ଟ୍ୟାଙ୍କ୍ ପାଖରେ କାନ୍ଥ ଉଠାଇବା ପାଇଁ ‘ସିପିସିବି’ କହିଛି।
ସଂଶୋଧିତ ଗାଇଡଲାଇନ ଅନୁସାରେ, ସ୍ଥାପିତ ଅଥବା ସ୍ଥାପନ ହେବାକୁ ଥିବା ପେଟ୍ରୋଲ୍ ପମ୍ପ୍ ପାଇଁ ତିନୋଟି ପୃଥକ୍ ଦିଗରୁ ନମୁନା ନେବାକୁ ପଡ଼ିବ । ପ୍ରତିବର୍ଷ ତୈଳ ମାର୍କେଟିଂ କମ୍ପାନି ଜଳାଶୟର ୧୦୦ ମିଟର ପରିଧି ଆଖପାଖର ଜଳ ଓ ଜମିର ଗୁଣବତ୍ତା ଯାଞ୍ଚ କରିବ , ନୂଆ ପେଟ୍ରୋଲ୍ ପମ୍ପ ସ୍ଥାପନ ପୂର୍ବରୁ ଜଳ ଓ ଜମିର ପରୀକ୍ଷା କରାଯିବ ବୋଲି ‘ସିପିସିବି’ କହିଛି।
