ଭାରତର ଇତିହାସରେ ପ୍ରଥମ, ସୁପ୍ରିମକୋର୍ଟରେ ଶପଥ ନେଲେ ୯ଜଣ ନୂଆ ବିଚାରପତି; ୨୦୧୯ ପରଠାରୁ ସୁପ୍ରିମକୋର୍ଟରେ ନାହିଁ ଓଡ଼ିଶାର ପ୍ରତିନିଧିତ୍ବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ଏକ ସାଙ୍ଗରେ ଶପଥ ନେଲେ ସୁପ୍ରିମକୋର୍ଟର ୯ ଜଣ ନୂଆ ବିଚାରପତି। ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ ଭି ରମନା ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ମଧ୍ୟ ରହିଛନ୍ତି। ନୂଆ ବିଚାରପତିଙ୍କ ନିଯୁକ୍ତି ସଙ୍ଗେ ସଙ୍ଗେ ସୁପ୍ରିମକୋର୍ଟରେ ରାଜ୍ୟମାନଙ୍କର ପ୍ରତିନିଧିତ୍ବର ଅନୁପାତ ମଧ୍ୟ ବଦଳିଯାଇଛି।

ଆଜିର ନିଯୁକ୍ତି ପରେ ଓଡ଼ିଶା ସମେତ ବିହାରର ପାଟନା, ଛତିଶଗଡ, ଝାଡଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ସିକ୍କିମ, ମଣିପୁର ଓ ମେଘାଳୟ ଭଳି ୧୦ଟି ହାଇକୋର୍ଟରୁ ସୁପ୍ରିମ୍‌ କୋର୍ଟରେ କୌଣସି ପ୍ରତିନିଧିତ୍ବ ନାହିଁ। ୨୦୧୯ ନଭେମ୍ବର ୧୭ ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ଦୀପକ ମିଶ୍ର ଅବସର ନେବା ପରଠାରୁ ବର୍ତ୍ତମାନ ସୁଦ୍ଧା ସୁପ୍ରିମ୍‌ କୋର୍ଟରେ ଆଉ କେହି ଓଡ଼ିଆ ବିଚାରପତି ନାହାନ୍ତି।

ଆଜି ୯ଜଣ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ମିଶାଇ ସୁପ୍ରିମ୍‌ କୋର୍ଟରେ ବମ୍ବେ ଓ ଦିଲ୍ଲୀ ହାଇକୋର୍ଟରୁ ସର୍ବାଧିକ ୪ଜଣ ଲେଖାଏଁ, କର୍ଣ୍ଣାଟକ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ଆଲ୍ଲାହାବାଦ୍‌ ହାଇକୋର୍ଟରୁ ୩ଜଣ ଲେଖାଏଁ, କେରଳ, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା ଓ ମାଡ୍ରାସ୍‌ ହାଇକୋର୍ଟରୁ ୨ଜଣ ଲେଖାଏଁ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୌହାଟି ହାଇକୋର୍ଟରୁ ଜଣେ ଲେଖାଏଁ ପ୍ରତିନିଧିତ୍ବ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ସୁପ୍ରିମ୍‌ କୋର୍ଟ ବିଚାରପତି ପାଇଁ ଚଳିତ ଥର ଓଡ଼ିଶାର କେହି ବି ବିଚାରପତି କିମ୍ବା ସୁପ୍ରିମକୋର୍ଟ ବାର୍‌ରୁ କୌଣସି ବରିଷ୍ଠ ଓଡ଼ିଆ ଆଇନଜୀବୀଙ୍କ ନାମ ସୁପାରିସ କରାଯାଇ ନ ଥିଲା।

ସୁପ୍ରିମକୋର୍ଟ କଲିଜିୟମ୍‌ ସବୁବେଳେ ଆବଶ୍ୟକତା, ଯୋଗ୍ୟତା ଏବଂ ବରିଷ୍ଠତା ଆଧାରରେ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ସୁପାରିସ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥାନ୍ତି। ତେବେ ବିଚାରପତି ନିଯୁକ୍ତିରେ ରାଜ୍ୟମାନଙ୍କରୁ ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ପାଇଁ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ର କୌଣସି ବାଧ୍ୟବାଧ୍ୟକତା ନ ଥାଏ। କିନ୍ତୁ, ସୁପ୍ରିମ୍‌ କୋର୍ଟ ବାର୍‌ରୁ ସିଧାସଳଖ ଆଇନଜୀବୀଙ୍କୁ ବିଚାରପତି ପାଇଁ ସୁପାରିସ କରାଯିବାର ପ୍ରାବଧାନ ରହିଛି। ତେଣୁ, କଲିଜିୟମ୍‌ର ସୁପାରିସ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ବିଚାରପତିଙ୍କ ନିଯୁକ୍ତିରେ ରାଜ୍ୟର ପ୍ରତିନିଧିତ୍ବର ସନ୍ତୁଳନ ରଖିବା ଉଦ୍ଦେଶ୍ୟରେ ପ୍ରୟାସ କରାଯାଇଥାଏ।

ସର୍ବୋଚ୍ଚ ନ୍ୟାୟାଳୟ ଇତିହାସକୁ ନଜର ପକାଇଲେ ଗତ ୭୧ ବର୍ଷ ମଧ୍ୟରେ ଓଡ଼ିଶାରୁ ମୋଟ ୭ଜଣ ବିଚାରପତି ନିଯୁକ୍ତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩ଜଣ ପ୍ରଧାନ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ୧୯୮୩ ମାର୍ଚ ୧୫ରେ ଜଷ୍ଟିସ୍ ରଙ୍ଗନାଥ ମିଶ୍ର ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୧୯୯୧ ନଭେମ୍ବର ୨୪ରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ପାଇଥିଲେ, ୧୯୯୦ ସେପ୍ଟେମ୍ବର ୨୫ରେ ଜଷ୍ଟିସ ମିଶ୍ର ଅବସର ଗ୍ରହଣ କରିଥ‌ିଲେ।

ସେହିପରି ୧୯୯୫ ନଭେମ୍ବର ୯ରେ ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମ୍‌ କୋର୍ଟରେ ବିଚାରପତିଭ‌ାବେ ନିଯୁକ୍ତି ପାଇଥିଲେ। ୨୦୦୨ ନଭେମ୍ବର ୮ରେ ସେ ପ୍ରଧାନ ବିଚାରପତି ହୋଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୦୨ ଡିସେମ୍ବର ୮ରେ ଶେଷ ହୋଇଥିଲା। ୨୦୧୨ ଏପ୍ରିଲ୍‌ ୨୩ ରେ ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମ୍‌ କୋର୍ଟର ବିଚାରପତିରୂପେ ଯୋଗଦେଇ ୨୦୧୮ ଅକ୍ଟୋବର ୩ରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ ନଭେମ୍ବର ୧୧ରେ ସେ ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ।

ସେହିପରି, ୪ଜଣ ଓଡ଼ିଆ ବିଚାରପତିଙ୍କ ମଧ୍ୟରେ – ଜଷ୍ଟିସ୍ ଆର୍‌. ସି. ପଟ୍ଟନାୟକ ୧୯୯୧ ଡିସେମ୍ବର ୩ରୁ ୧୯୯୨ ମେ ୩୦ , ଜଷ୍ଟିସ୍ ଦେବପ୍ରିୟ ମହାପାତ୍ର, ୧୯୯୮ ଡିସେମ୍ବର ୯ରୁ ୨୦୦୨ ଅଗଷ୍ଟ , ଜଷ୍ଟିସ୍ ଅରିଜିତ ପଶାୟତ ୨୦୦୧ ଅକ୍ଟୋବର ୧୯ରୁ ୨୦୦୯ ମେ ୧୦ ଏବଂ ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ୨୦୦୯ ନଭେମ୍ବର ୧୭ ରୁ ୨୦୧୪ ଜୁନ୍‌ ୬ ପର୍ଯ୍ୟନ୍ତ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିବା ୯ ଜଣ ବିଚାରପତି ହେଉଛନ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାପତି ଜଷ୍ଟିସ ଏଏସ ଓକା ଓ ଜଷ୍ଟିସ ବିଭି ନାଗରତ୍ନା, ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମନାଥ, ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ଜଷ୍ଟିସ ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟର ଜଷ୍ଟିର ଏମଏମ ସୁନ୍ଦ୍ରେଶ, ଗୁଜରାଟ ହାଇକୋର୍ଟର ଜଷ୍ଟିସ ବେଳା ଏମ ତ୍ରିବେଦୀ ପ୍ରମୁଖ। ସେହିପରି ଜଣେ ବରିଷ୍ଠ ଆଇନଜୀବୀ ପିଏସ ନରସିହ୍ମା ମଧ୍ୟ ଏହି ପଦକୁ ଉନ୍ନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଷ୍ଟିସ ନାଗରତ୍ନା ଦେଶର ପ୍ରଧାନ ବିଚାରପତି ହେବା ଆଶା ରହିଛି। ୧୯୫୦ ଜାନୁଆରୀ ୨୬ରେ ପ୍ରତିଷ୍ଠିତ ସୁପ୍ରିମକୋର୍ଟରେ ଆଜିଯାଏଁ ମାତ୍ର ୮ ଜଣ ମହିଳା ବିଚାରପତି ନିଯୁକ୍ତି ପାଇଛନ୍ତି । ତେବେ ଦେଶର ପ୍ରଥମ ମହିଳା ବିଚାରପତି ଥିଲେ ୧୯୮୯ରେ ନିଯୁକ୍ତ ଏମ. ଫାତିମା ବିବି।

Related Posts