ସପ୍ତାହର ଚର୍ଚ୍ଚିତ ଫଟୋ : ଦୁଇ ପି’ ଦୁଇ ବାହାକୁ … ଏବେ ଡର କାହାକୁ

ସତ୍ୟପାଠ ବ୍ୟୁରୋ : ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମରଶରୀରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଦେବା ସମୟର ଏହି ଫଟୋଟି ଏବେ ସବୁଠୁ ଚର୍ଚ୍ଚିତ ଫଟୋ ହୋଇଛି । ଚାରିଆଡେ ଏହି ଫଟୋକୁ ନେଇ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଉଛି ଏହି ଫଟୋରେ ନବୀନ ବାବୁଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଖାପାଖି ଓ ଗୋଟିଏ ଫ୍ରେମରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ନିଶାନାରେ ନବୀନ ବାବୁ କମ୍ କିନ୍ତୁ ପାଣ୍ଡିଆନ ଅଧିକ ଥିଲେ । ଏମିତିକି ପାଣ୍ଡିଆନଙ୍କ ଘର ଉପରେ ଆକ୍ରମଣ ବେଳେ ସୌଜନ୍ୟତା ଦୃଷ୍ଟିରୁ ଧର୍ମେନ୍ଦ୍ର ନିନ୍ଦା ବି କରି ନଥିଲେ । ନିର୍ବାଚନ ପୂର୍ବରୁ କଥା କଥା କେ ପାଣ୍ଡିଆନଙ୍କୁ ଏମିତି ଟଣା ହେଉଥିଲା ଯେମିତି ଓଡିଶାର ସବୁ ଦୂରାବସ୍ଥା ପାଇଁ ଏକମାତ୍ର ସେ ହିଁ ଦାୟୀ । କିନ୍ତୁ ଏବେ ଗୋଟିଏ ଫ୍ରେମରେ ଏହି ଦୁଇଜଣଙ୍କୁ ପାଖାପାଖି ଦେଖି ଯେ କେହି ବି ଏହାକୁ ନେଇ ଚର୍ଚ୍ଚା କରିବା ସ୍ୱାଭାବିକ ।

 

ରାଜନୀତିରେ ରୁଚି ରଖୁଥିବା କିମ୍ବା ନବୀନ ବାବୁ ଓ ଧର୍ମେନ୍ଦ୍ର ବାବୁଙ୍କ ପ୍ରଶଂସକ କେବେ ଭାବି ନଥିବେ ନିର୍ବାଚନର ୬ ମାସ ପୁରିନି ଅଥଚ ଏମିତି ଏକ ଦୃଶ୍ୟ ଦେଖି ପାରିବେ । ଏହାକୁ ସୁସ୍ଥ ଗଣତାନ୍ତ୍ରୀକ ଓ ରାଜନୈତିକ ମୂଲ୍ୟବୋଧର ପରିଚୟ କହିପାରନ୍ତି । ତାହା ଅବଶ୍ୟ ସତ । ହିଂସା, ଦ୍ୱେଷ, ବିତୃଷ୍ଣା ଏସବୁ ରାଜନୀତିରେ ନ ରହିବା ଉଚିତ । କିନ୍ତୁ ନିର୍ବାଚନ ପୂର୍ବରୁ ଏ ଚାରିତ୍ରିକ ମୂଲ୍ୟବୋଧର ଅବକ୍ଷୟ କାହିଁକି ଘଟୁଥିଲା । ଯେଉଁ ମୂଲ୍ୟବୋଧ ଏବେ ଦେଖିବାକୁ ମିଳୁଛି ନିର୍ବାଚନ ପୂର୍ବରୁ ତାହା ଏତେ ତଳକୁ ଚାଲି ଯାଇଥିଲା ଯେ, ଶବ୍ଦର ଭଣ୍ଡାର ଖୋଲି ଯାଉଥିଲା । ନିର୍ବାଚନ ବେଳେ କଣ ଏହି ସୁସ୍ଥ, ସୁନ୍ଦର ଗଣତାନ୍ତ୍ରିକ ଓ ରାଜନୈତିକ ମୂଲ୍ୟବୋଧ ଦେଖାଯିବା ଉଚିତ ନୁହେଁ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ଫଟୋକୁ ଧର୍ମେନ୍ଦ୍ର ବାବୁ ନୁହଁନ୍ତି ବରଂ ନବୀନ ବାବୁ ନିଜେ ଟୁଇଟ କରିଛନ୍ତି । ଏ ଫ୍ରେମ୍ କମ୍ପୋଜିସନ ଆଉ କାହା ପାଇଁ କେତେ ଖୁସି ବା ଶୁଭଙ୍କର ହେଉ ନା କାହିଁକିୀ ସବୁଠାରୁ ଅଧିକ ଖୁସି ନବୀନ ବାବୁ । ଏବେ ଦୁଇ ପି’ (ପାଣ୍ଡିଆନ ଆଉ ପ୍ରଧାନ) ଦୁଇ ବାହା ମାନେ ବାମ ପଟ ଓ ଡାହାଣପଟେ । ଗୋଟିଏ ପି’ରେ ୧୧୩, ଏବେ ଜଗନ୍ନାଥଙ୍କ ଆଶୀର୍ବାଦରୁ ଦ୍ୱିତୀୟ ପି’ ବି ପାଖରେ । ଯେତେବେଳେ ଦୁଇ ପି’ ଦୁଇ ବାହାକୁ, ସେତେବେଳେ ନବୀନ ବାବୁଙ୍କ ଡର କାହାକୁ?

Related Posts