ଦିଲ୍ଲୀରୁ ରାଜନୀତି କଲେ ପବନା କହିବେ ଲୋକେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଜେଡିର ପୁରୀ ସାଂସଦ ତଥା ସୁପ୍ରିମ କୋର୍ଟର ଓକିଲ ଜଣେ ବଡ଼ ପବନା । ବାତ୍ୟା ଫୋନିର ପବନ ଗତିକୁ ଟପିଯାଇଛି ପିନାକୀ ମିଶ୍ରଙ୍କ ମିଛୁଆ ପବନ । ବାତ୍ୟା ଫୋନି ବେଳେ ରାଜ୍ୟ ସରକାରଙ୍କ ସୁପରିଚାଳନାର ପ୍ରଚାର କରିବାକୁ ଯାଇ ଲୋକସଭାରେ ‘ଫୋନି’କୁ ଖରାବେଳିଆ ଘୂର୍ଣ୍ଣିଝଡ଼ କରିଦେଲେ ପିନାକୀ ବାବୁ । ସଂସଦରେ ତଥ୍ୟ କମ ଦେଲେ ପବନ ଅଧିକ କଲେ । ଫୋନି ଦ୍ବାରା ହୋଇଥିବା ଜୀବନ ହାନୀକୁ ବି ଅସ୍ବୀକାର କରିଛନ୍ତି ମିଶ୍ରେ । ବାତ୍ୟା ଫୋନି ଦ୍ବାରା ପୂର୍ବ ଭାରତରେ 89 ଜଣଙ୍କ ଜବୀନ ଯାଇଥିବାବେଳେ ଓଡ଼ିଶାରେ କେବଳ 64 ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ପବନା ବାବୁ (ପିନାକୀ ମିଶ୍ର) କହିଲେ ଓଡ଼ିଶାରେ ମାତ୍ର 7ରୁ 8 ଜଣଙ୍କ ମୃତ୍ୟୁ ହୋଇଛି ।

ଦିଲ୍ଲୀରୁ ରହି ରାଜନୀତି କଲେ ଏୟା ହେବ

ଲୋକସଭାରେ ପିନାକୀଙ୍କ ଏଭଳି ବୟାନ ପରେ କୁହାଯାଉଛି ଯେ, ଦିଲ୍ଲୀରୁ ରହି ରାଜନୀତି କଲେ ଏୟା ହେବ । ଆଧୁନିକ ଯୁଗରେ ଯେଉଁଠି ଇଣ୍ଟରନେଟର ବହୁଳ ବ୍ୟବହାର ହେଉଛି ସେଠି ମିଶ୍ରେଙ୍କ ପାଖରେ ସଠିକ୍ ତଥ୍ୟ ନଥିବା ଦୁର୍ଭାଗ୍ୟଜନକ । ଯଦି ମିଶ୍ରେଙ୍କ ପାଖରେ ସରକାରୀ ତଥ୍ୟ ନଥିଲା ତେବେ ଗୁଗଲର ସହାୟତା ନେଇପାରି ଥାନ୍ତେ । କିନ୍ତୁ ତାହା ନକରି ସଂସଦରେ ଫୋନି ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଭୁଲ ତଥ୍ୟ ଦେଲେ  । ପିନାକୀ ବାବୁଙ୍କ ବକ୍ତବ୍ୟକୁ ଦେଖିଲେ ଲାଗୁଛି ଏହା କେବଳ ପିନାକୀଙ୍କ ପିଲାଳିଆମି ହୋଇପାରେ ।

ପିନାକୀଙ୍କ ପିଲାଳିଆମୀ

ଗୁରୁତ୍ବପୂର୍ଣ୍ଣ କଥା ହେଲା ମେ ମାସ 3 ତାରିଖରେ ବାତ୍ୟା ଫୋନି ଯେଉଁଠି ଲ୍ୟାଣ୍ଡଫଲ କରିଥିଲା ସେହି ସ୍ଥାନ ଥିଲା ପୁରୀ । ଅର୍ଥାତ ମିଶ୍ରେ ବାବୁଙ୍କ ନିର୍ବାଚନମଣ୍ଡଳୀ । ପୁରୀରେ ଫୋନି ସବୁଠୁ ଅଧିକ କ୍ଷତି ହେଲା । ରାଜ୍ୟ ସରକାରଙ୍କ ପକ୍ଷରୁ ସେତେବେଳେ ଦିନୁକୁ 3 ଥର ପ୍ରେସ୍‌ମିଟ୍ କରାଯାଇ ତଥ୍ୟ ପ୍ରଦାନ କରାଯାଉଥିଲା । ଫୋନି ପ୍ରଭାବରେ ମୃତ୍ୟ ବରଣ କରିଥିବା ଲୋକଙ୍କ ସଂଖ୍ୟା ସବୁଠୁ ଅଧିକ ଥିଲା ପୁରୀରେ । ଗଛ ପଡ଼ିଯିବା କାରଣରୁ କଣାସରେ ଜଣେ ଶିଶୁର ଜୀବନ ଗଲା, ଜଣେ ମହିଳା ବାତ୍ୟା ପବନର ଗତିକୁ ଦେଖି ହୃଦ୍‌ଘାତରେ ମରିଥିଲେ । ହେଲେ ମିଶ୍ରେ ମହାଶୟ ଲୋକସଭାରେ କହିଲେ ମାତ୍ର 7ରୁ 8 ଜଣଙ୍କ ମୃତ୍ୟୁ ହୋଇଛି । ଆଶ୍ଚର୍ଯ୍ୟର କଥା ଯଦି ମୃତ୍ୟୁ ତଥ୍ୟ ପିନାକୀ ବାବୁ ଜାଣିପାରିଲେ ନାହିଁ ତେବେ ଓଡ଼ିଶା ସରକାର 12 ଲକ୍ଷ ଲୋକଙ୍କୁ ଉଦ୍ଧାର କରିବା କଥା ଜାଣିଲେ କିଭଳି । ଏଥିରୁ ସ୍ପଷ୍ଟ ହେୁଛି ଯେ ମୃତ୍ୟୁ ତଥ୍ୟ ଜାଣି ମଧ୍ୟ ତାକୁ ସଂସଦରେ ଲୁଚାଇବାକୁ ସମସ୍ତ ଚେଷ୍ଟା କରିଛନ୍ତି ମିଶ୍ରେ ।

ଲୋକସଭାରେ କ’ଣ କହିଥିଲେ ପିନାକୀ ବାବୁ ?

‘ପୁରୀକୁ ସବୁଠୁ ଅଧିକ କଷ୍ଟ ଯଦି ହୋଇଛି ତେବେ ଏହି ବାତ୍ୟା ଫୋନି ପାଇଁ ହୋଇଛି । ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି 12 ଲକ୍ଷ ଲୋକଙ୍କ ଜୀବନ ପଞ୍ଚାଇଥିବାରୁ ନବୀନ ବାବୁଙ୍କ ସରକାରକୁ ବିଶ୍ବ ବ୍ୟାଙ୍କଠାରୁ ଆରମ୍ଭ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଯାଏ ସମସ୍ତେ ପ୍ରାଶଂସା କରିଛନ୍ତି । ମାତ୍ର 7ରୁ 8 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ 30 ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏଥିପାଇଁ ଖୋଦ ପ୍ରଧାନମନ୍ତ୍ରୀ ଓଡ଼ିଶା ଯାଇ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପିଠି ଥାପି ଆସିଛନ୍ତି । ଏଥିରେ କୌଣସି ରାଜନୀତି କରାନଯାଉ । ଫୋନିରେ ଯେଭଳି କ୍ଷୟକ୍ଷତି ହୋଇଛି ଗତ 25 ବର୍ଷ ମଧ୍ୟରେ କେବେ ଏଭଳି କ୍ଷତି ହୋଇନାହିଁ । ପୁରୀରେ ଗୋଟିଏ ବି ମାଟି ଘର, ଗଛ ଏବଂ ଗୋଟିଏ ବି ଇଲେକ୍ଟ୍ରିକ ପୋଲ ବି ଛିଡ଼ା ହୋଇ ରହି ନଥିଲା । ଏତେବଡ଼ କ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଓଡ଼ିଶାକୁ ଏକ ସ୍ବତନ୍ତ୍ର ଫୋକସରେ କିଛି ଟାର୍ଗେଟେଡ ଆସିଷ୍ଟାଣ୍ଡ ଦିଅନ୍ତୁ । ଏହାଛଡ଼ା କୋଲ ରୟାଲଟିର ରିଭିଜନ ହେଉ କି ମାଙ୍ଗାନିଜର ରୟାଲଟିର ରିଭିଜନ କରାଯାଉ’ ।

ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି ୯,୩୩୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି

ନବୀନ ବାବୁଙ୍କ ସରକାରୀ ରିପୋର୍ଟ କହୁଛି ଓଡ଼ିଶାରେ ଫୋନି ଦ୍ବାରା ମୋଟ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏଥିରେ ପ୍ରାୟ ୬ ହଜାର ୬୪୩ କୋଟି ୬୩ ଲକ୍ଷ ଟଙ୍କାର ସାଧାରଣ ସମ୍ପତ୍ତିର କ୍ଷତି ହୋଇଥିଲା । ଗତ ମେ’ ମାସ ୩ ତାରିଖର ବାତ୍ୟା ଫୋନି ଯୋଗୁଁ ୧୪ଟି ଜିଲ୍ଲାର ୨୦,୩୬୭ ଗାଁରେ କ୍ଷୟକ୍ଷତି ହୋଇଥିଲା  । ବାତ୍ୟାରେ ୧.୬ କୋଟି ବ୍ୟକ୍ତି ପ୍ରଭାବିତ ହୋଇଥିବା ବେଳେ ୧.୮୮ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲା  । ମୋଟ ୫ ଲକ୍ଷ ୫୭ ହଜାର ୭୬୧ ଘର ଆଂଶିକ ବା ସଂପୂର୍ଣ୍ଣ ନଷ୍ଟ ହୋଇଥିଲା । ଫୋନି ଯୋଗୁଁ ୬୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଥିବା ସରକାର ରିପୋର୍ଟରେ ଉଲ୍ଲେଖ ରହିଛି ।  ଫୋନି ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିବା ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦୦ କୋଟି ଟଙ୍କାର ସହୟତା ରାଶି ଓ ବାତ୍ୟା ପୂର୍ବରୁ ୩୪୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।

ରାଜ୍ୟ ସରକାରଙ୍କ ତଥ୍ୟ ଏବଂ ଲୋକସଭାରେ ସାଂସଦ ପିନାକୀ ମିଶ୍ରଙ୍କ ବକ୍ତବ୍ୟକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ ମିଶ୍ରେ ସତରେ ବଡ଼ ପବନା । କେବଳ ନବୀନଙ୍କ ପ୍ରଶଂସା ସାଉଁଟିବା ପାଇଁ ବିଶ୍ବ ବ୍ୟାଙ୍କ WHOର ନାଁ ନେଇ ଗୁଡ଼ାଏ ମିଛ କହିଛନ୍ତି ।

ଲୋକସଭାରେ ପିନାକୀ ମିଶ୍ରଙ୍କ ମିଛ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ନାୟକ କହିଛନ୍ତି ଯେ, ଜଣେ ଲୋକ ପ୍ରତିନିଧି ହୋଇ ଏଭଳି ଏକ ଦୁଃଖଦ ଘଟଣାରେ ତଥ୍ୟ ନଜାଣି କେବେ ମିଛ କହିବା କଥା ନୁହେଁ । କିନ୍ତୁ ପିନାକୀ ବାବୁ ଲୋକସଭାରେ ତଥ୍ୟ ନଜାଣି ଯେଭଳି ବିବୃତି ଦେଇଛନ୍ତି ତାହା କେବଳ ରାଜନୀତି କରିବା ପାଇଁ । ତେଣୁ ଏଥିପାଇଁ ସେ ପ୍ରଥମେ ଓଡ଼ିଶାବାସୀଙ୍କୁ ଏବଂ ଖାସ୍‌ କରି ପୁରୀବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ସତ୍ୟ ପ୍ରକାଶ ନାୟକ ।

Related Posts