ସାପ ସହ ଖେଳିବା ଓ ଭିଡିଓ ଉତ୍ତୋଳନ କରିବା ପଡିଲା ମହଙ୍ଗା: ଦଂଶନରେ କୃଷକର ମୃତ୍ୟୁ

ବରେଲି: ଉତ୍ତର ପ୍ରଦେଶର ଶାହାଜାହାନ୍‌ପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ସାପ ସଙ୍ଗରେ ଖେଳି ଭିଡିଓ ଉତ୍ତୋଳନ କରୁଥିବା ବେଳେ ଘଟିଛି ଅଘଟଣ । ୫୫ ବର୍ଷିୟ କୃଷକ ସାପ ଦଂଶନରେ ପ୍ରାଣ ହରାଇଛନ୍ତି।
ମୃତ କୃଷକ ଦେବେନ୍ଦ୍ର ମିଶ୍ରା ଥିଲେ ଶାହାଜାହାନ୍‌ପୁର ଅନ୍ତର୍ଗତ ଜୈତିପୁରୀ ଅଞ୍ଚଳର ବାସିନ୍ଦା। ଆଗରୁ ସେ ମାରୁଆଝାଲା ଗ୍ରାମର ମୁଖିଆ ମଧ୍ୟ ଥିଲେ।

ସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁସାରେ, ସାପ ଉଦ୍ଧାର କରିବା ପାଇଁ ମିଶ୍ରା ସେ ଅଞ୍ଚଳରେ ଥିଲେ ସୁପରିଚିତ। ଅତୀତରେ ସେ ୨୦୦ ସରିକି ସାପ ଧରିଛନ୍ତି। ଯେଉଁ ସାପଟି ସହିତ ସେ ଭିଡିଓ ସୁଟିଙ୍ଗ୍‌ କରୁଥିଲେ, ତାହାକୁ ସେ ପଡ଼ୋଶୀ ରବୀନ୍ଦ୍ର କୁମାରଙ୍କ ଘରୁ ଶୁକ୍ରବାର ଦିନ ଧରିଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଉତ୍କଟ ବିଷଧର ସର୍ପ ରଣା ବୋଲି ମନେହେଉଥିବା ଉକ୍ତ ସରୀସୃପଟିକୁ ଧରିବା ପରେ ମିଶ୍ର ଲୋକମାନଙ୍କୁ ଦେଖାଇବା ପାଇଁ ତା’କୁ ନିଜ ବେକରେ ଗୁଡ଼ାଇ ଗାଁ ବୁଲି ବାହାରିଲେ। ବାଟରେ ସେ ଧରିଥିବା ସାପଟିକୁ କିଛି ସମୟ ପାଇଁ ଜଣେ ୫ ବର୍ଷୀୟ ବାଳିକାର ବେକରେ ମଧ୍ୟ ଗୁଡ଼ାଇ ଥିଲେ।

ସ୍ଥାନୀୟ ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି, ସାପଟିକୁ ଧରିବାର କିଛି ଘଣ୍ଟା ପରେ ମିଶ୍ରା ତା’ର ଦଂଶନର ଶିକାର ହୋଇଥିଲେ। ସେଥିପାଇଁ ସେ ଆପଣାଛାଏଁ ଚେରମୂଳୁକାଚିକିତ୍ସା କରିଥିଲେ। କିନ୍ତୁ, ବିଷ ପ୍ରକୋପରେ ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଲା। ଏହାଛଡ଼ା, ଗୋଟାଏ ପାତ୍ର ଘୋଡ଼ାଇ ମିଶ୍ରା ରଖିଥିବା ସେ ସାପଟି ମଧ୍ୟ କିଛି ସମୟ ପରେ ମରିଯାଇଥିଲା।

ଘଟଣା ସମ୍ପର୍କରେ କହିବାକୁ ଯାଇ ସ୍ଥାନୀୟ ଡାକ୍ତର ସୌଭାଗ୍ୟ କାତିୟାର୍‌ କହିଛନ୍ତି, ଶରୀରର ଯେଉଁ ଭାଗରେ ସାପ ଚୋଟ ମାରିବ ତୁରନ୍ତ ସେ ଜାଗାରେ ରକ୍ତ ପ୍ରବାହ ବନ୍ଦ କରାଇ ଉଚିତ ସମୟରେ ସାପ ବିଷନାଶକ ଦେବା ପାଇଁ ଡାକ୍ତରଖାନାକୁ ନେଇଯିବା ଉଚିତ। ଯଦି ମିଶ୍ରା ତାହା କରିଥାଆନ୍ତେ, ତାଙ୍କର ଜୀବନ ରକ୍ଷା କରାଯାଇ ପାରିଥାଆନ୍ତା।

Related Posts