ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ଼, ୧୩ ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ଼ ହୋଇଛି। ଏହାପରେ ପୁଲିସ୍‌ ୧୩ ଜଣଙ୍କୁ ଗିରଫ କରିଛି। ଏମାନେ ସିଧାସଳଖ ପଥର ମାଡ଼ ଘଟଣାରେ ସାମିଲ ଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି। ସୂଚନା ଅନୁସାରେ ରବିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ପାଟନା-ଗୟା ରାସ୍ତାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଯାଉଥିଲା।ଏହି ସମୟରେ ଗୌରୀ ଛକ ନିକଟରେ ଥିବା ସୋହଗି ଗାଁରେ କାରକେଡ ଉପରକୁ ଲୋକମାନେ ପଥର ମାଡ଼ କରିଥିଲେ। ଏଥିରେ ୩ରୁ ୪ଟି ଗାଡ଼ିର କାଛ ଭାଙ୍ଗି ଯାଇଥିଲା। ପଥର ମାଡ଼ ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କାରରେ ନଥିଲେ। ତାଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଅଧିକାରୀମାନେ କାରକେଡରେ ଗୟା ଯାଉଥିଲେ। ଆଜି ମୁଖ୍ୟମନ୍ତ୍ରୀ ଗୟା ଗସ୍ତରେ ଯିବାର ଥିବାରୁ ଦିନକ ଆଗରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏପରି ଘଟଣା ଘଟିଛି।

ଗୟାରେ ଚାଲିଥିବା ରବର ଡ୍ୟାମର ସମୀକ୍ଷା କରିବାକୁ ନୀତୀଶ କୁମାର ଆଜି ଯିବେ। ସେହିପରି ଜିଲ୍ଲାରେ ଦେଖାଯାଇଥିବା ମରୁଡ଼ି ସମସ୍ୟାକୁ ନେଇ ସେଠାରେ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଲିକପ୍ଟର ଯୋଗେ ଗୟାରେ ପହଞ୍ଚିବେ। ଏହାର ଦିନକ ଆଗରୁ ତାଙ୍କ ସୁରକ୍ଷା ପାଇଁ କାରକେଡରେ ସାମିଲ ହେବାକୁ ଥିବା ଗାଡ଼ି ଗୁଡ଼ିକ ଗୟା ଯାଉଥିଲା। ହେଲେ ଅଧ ବାଟରେ ଗାଡ଼ିଗୁଡ଼ିକ ପଥର ମାଡ଼ର ଶିକାର ହୋଇଛନ୍ତି।

ପାଟନା ଡିଏମ ଚନ୍ଦ୍ରଶେଖର ସିଂହ କହିଛନ୍ତି, ୨-୩ ଦିନ ତଳେ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଥିଲା। ଉକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ମୃତଦେହ ସହ ପାଟନା-ଗୟା ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସେହି ବାଟେ ଦେଇ ଯାଇଥିଲା। ଏହାକୁ ଦେଖି ଉତ୍ତ୍ୟକ୍ତ ଲୋକମାନେ କାରକେଡ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ୩ରୁ ୪ଟି କାର୍‌ର କାଚ ଭାଙ୍ଗିଥିବା ବେଳେ କିଛି ଲୋକେ ଆହତ ହୋଇଥିଲେ। ଘଟଣା ପରେ ତୁରନ୍ତ ଅତିରିକ୍ତ ପୁଲିସ୍‌ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଥିଲା।

ପୁଲିସ୍‌କୁ ଦେଖି ଲୋକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ହେଲେ ପୁଲିସ୍‌ ୧୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ମାମଲା କରିଥିଲା। ରାତି ତମାମ ରେଡ କରି ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଭୋର ସମୟରେ ଗିରଫ କରାଯାଇଛି। ଏବେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ କରାଯାଉଥିବା ଡିଏମ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

Related Posts