ପ୍ଳାଜମା ଥେରାପି: ରୋଗୀଙ୍କ ପାଇଁ ନା ମାନ୍ୟବରଙ୍କ ଭାବମୂର୍ତ୍ତି ପାଇଁଁ

ମହାମାରୀ ବେଳାରେ କାହାର କୋଉ ଚିନ୍ତା କିନ୍ତୁ ରାଜ୍ୟ ମୁଖିଆଙ୍କୁ ଘାରିଛି ଭାବମୂର୍ତ୍ତି ଚିନ୍ତା। କରୋନାକୁ ନେଇ ରାଜ୍ୟ ସରକାର ଅଣନିଶ୍ବାସୀ ଅବସ୍ଥାରେ ଥିବା ବେଳେ ପ୍ଲାଜମା ବ୍ୟାଙ୍କ୍ ପ୍ରତିଷ୍ଠା କାମ କୁ ଏବେ ମିଶନ ମୋଡ୍ ରେ ପ୍ରଚାର କରିବାରେ ଲାଗିଛି ରାଜ୍ୟ ପ୍ରଶାସନ। ଏଭଳି ଭାବରେ ପ୍ରଚାର କରାଯାଉଛି ।

ଯେପରି ସଞ୍ଜିବନୀ ଭାବରେ ଉଭା ହୋଇଛି ପ୍ଳାଜମା ଥିରାପି। ପ୍ଲାଜମା ବ୍ୟାଙ୍କ ଉଦଘାଟନ ଆଉ ସମୀକ୍ଷା ପାଇଁ ମନ୍ତ୍ରୀଙ୍କ ର ଚାଲିଛି ତୁଫାନୀ ଗସ୍ତ।।ଯେତେବେଳେ ରାଜ୍ୟରେ ପ୍ରତିଦିନ ୮ରୁ ୧୦ ଜଣକର କରୋନାରେ ଜୀବନ ଯାଉଛି ଆଉ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେତେବେଳେ ବିଜୁ ଜନତା ଦଳ କିନ୍ତୁ ରାଜନୀତିରେ ପୁରାପୁରି ବ୍ୟସ୍ତ ଅଛି।

ଏକଥା କହିବାର ଆଧାର ହେଉଛି ପ୍ଲାଜମା ଚିକିତ୍ସାକୁ ନେଇ ସରକାରଙ୍କ ଅତ୍ୟଧିକ ତତ୍ପରତା ଆଉ ବିଜ୍ଞାପନ। ପ୍ରଥମତଃ ପ୍ଲାଜମା ଏକ ଟିକା କିମ୍ବା ନିଶ୍ଚିତ ସୁସ୍ଥ ହେବାର ପ୍ରକ୍ରିୟା ନୁହେଁ କିନ୍ତୁ ରାଜ୍ୟ ସରକାର ଯେପରି ଭାବରେ ଏହାକୁ ମାର୍କେଟିଂ କରୁଛନ୍ତି ସତେଯେପରି ଲାଗୁଛି କରୋନା ଟିକା ଆସିଗଲାକି ! ପ୍ରକୃତ କଥା ହେଉଛି କରୋନା ମୁକାବିଲାରେ ବିଫଳ ହେବାପରେ ଭାବମୂର୍ତ୍ତି ସଜାଡିବା ପାଇଁ ଏହା ହେଉଛି ମାନ୍ୟବରଙ୍କ ଅଭିନବ ଉପାୟ। ସର୍ବସ୍ବ ବରଂ ଚାଲିଯାଉ କିନ୍ତୁ ଭାବମୂର୍ତ୍ତିରେ ଯେମିତି ଆଞ୍ଚ ନଲାଗୁ ଏହି ନ୍ୟାୟରେ ଏବେ ସରକାର ଚାଲିଛି।

କରୋନାରେ ମଧ୍ୟ ରାଜନୈତିକ ଫାଇଦା ଉଠା ଯାଇପାରେ ତାହା ଏବେ ଦେଖିବାକୁ ମିଳୁଛି ଏହି ଅତ୍ୟାଧୁନିକ ସେବା ପ୍ଲାଜମା ଥେରାପି ମାଧ୍ୟମରେ। ଏହାକୁ କରୋନାରୁ ମୁକ୍ତିର ଅମୋଘ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଚେଷ୍ଠା ମଧ୍ୟ ଆରମ୍ଭ ହୋଇଯାଇଛି। ରାଜ୍ୟରେ ଏହାକୁ ନେଇ ତୃଣମୂଳ ସ୍ତରରେ ମଧ୍ୟ ବିଜେଡି ତରଫରୁ ଏକ ବଡ ଧରଣର କ୍ୟାମ୍ପେନ୍ ଆରମ୍ଭ ହୋଇଗଲାଣି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ବାସ୍ତବରେ ଏହି ପ୍ଲାଜମା ଥେରାପି କ’ଣ ଏବଂ ଏହାର ବ୍ୟବହାର ଆଉ ସଫଳତାର ହାର କେତେ ତାହା ରାଜ୍ୟବାସୀଙ୍କୁ ଜଣା ଅଛି ତ ?

ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ଏହା ଦାନ କରିବା ପାଇଁ ପ୍ରବର୍ତ୍ତା ଯାଉଛି ଭଲକଥା ହେଲେ ସେମାନେ ଏହି ପ୍ଲାଜମା ଥେରାପି କ’ଣ ବୁଝନ୍ତି ତ ?

ଭଲକଥା ଯେତେବେଳେ ଆମ ପାଖରେ କରୋନାରୁ ମୁକ୍ତି ପାଇବାର କୌଣସି ବିକଳ୍ପ ନାହିଁ ସେତେବେଳେ ଏହା ନିଶ୍ଚିତ ଭାବରେ ବୁଡିଗଲା ଲୋକକୁ କୁଟାଖିଏ ପରି, କିନ୍ତୁ ଏହାର ପ୍ବାର୍ଶ ପ୍ରଭାବ ତଥା କାର୍ଯ୍ୟକାରିତା କେତେ ତାହା ଏବେବି ପ୍ଲାଜମା ଦେଉଥିବା ବା ନେଉଥିବା ଲୋକଙ୍କୁ ଜଣା ଅଛିକି ନାହିଁ ସନ୍ଦେହ। ଏହାକୁ ନେଇ କିନ୍ତୁ ବିଜେଡି ଏକ ବଡ ଧରଣର ରାଜନୀତି କରିବା ଆରମ୍ଭ କରିଦେଇଛି। ଗତକାଲି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଏବଂ ସମ୍ବଲପୁରରେ ଆଉ ଦୁଇଗୋଟି ପ୍ଲାଜମା ବ୍ୟାଙ୍କକୁ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଉଦଘାଟନ କରିବାକୁ ଯାଇ କରୋନାରୁ ସୁସ୍ଥ ବ୍ୟକ୍ତି ମାନଙ୍କୁ ବହୁ ସଂଖ୍ୟାରେ ପ୍ଲାଜମା ଦାନ ପାଇଁ ଆହ୍ବାନ କରିଛନ୍ତି। ଏବେସୁଦ୍ଧା କଟକ, ଭୁବନେଶ୍ୱର ଏବଂ ରାଉରକେଲାକୁ ମିଶାଇ ପାଞ୍ଚୋଟି ସ୍ଥାନରେ ଏହି ପ୍ଲାଜମା ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଛି। ୬୦ରୁ ଅଧିକ ଗୁରୁତ୍ବର କରୋନା ଆକ୍ରାନ୍ତଙ୍କ ଠାରେ ଏହା ସଫଳ ବ୍ୟବହାର କରାଯାଇ ସାରିଛି।

ପ୍ରଶ୍ନ ଉଠୁଛି ଏହି ପଦ୍ଧତି କ’ଣ କରୋନା ଟିକାର ବିକଳ୍ପ କି ?

 ଏହା ଦ୍ବାରା ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଥିବା କରୋନା ସଂକ୍ରମଣକୁ ପ୍ରତିହତ କରା ଯାଇପାରିବ କି ?

 ଯଦି ନାଁ ତା’ହେଲେ ଏହା ଉପରେ ଏତେ ଫୋକସ୍ କରାଯାଉଛି କାହିଁକି? 

 ଗଞ୍ଜାମ ପରି ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସରକାର ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଏବେ ପ୍ଲାଜମା ଥେରାପିକୁ ନୂଆ ଅସ୍ତ୍ର ଭାବରେ ବ୍ୟବହାର କରିବା ଆରମ୍ଭ କରୁ ନାହାନ୍ତି ତ ?

ସରକାରୀ ଡାକ୍ତରଖାନାରେ ସର୍ବନିମ୍ନ ସୁବିଧା ନଥିବା ବେଳେ ପ୍ଲାଜମାର ସ୍ବପ୍ନରେ ରାଜ୍ୟବାସୀଙ୍କୁ ମତୁଆଲା କରିବା କେତେଦୁର ଠିକ୍ ତାହା ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ। ରାଜ୍ୟ ସରକାର କୋଭିଡ୍ ପାଇଁ ଖର୍ଚ୍ଚକାଟ୍ ନିଷ୍ପତ୍ତି ନେଇଥିବା ବେଳେ ପ୍ଲାଜମା ଥେରାପି ସମ୍ପର୍କରେ ସଚେତନ ଆଉ ସମୀକ୍ଷା ନାଁରେ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ନେତା ଆଉ ମନ୍ତ୍ରୀମାନେ ବିମାନରେ ଉଡୁଛନ୍ତି। ପ୍ଲାଜମା ନାଁରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା, ଦଳର ସାଙ୍ଗଠନିକ ସ୍ଥିତିକୁ ସମୀକ୍ଷା କରିବା ସର୍ବୋପରି ପଛୁଆ ଅନୁନ୍ନତ ଅଞ୍ଚଳରେ ବିମାନ ଉଡାଣକରି ସେମାନଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଠି କରିବା ପରି ଦୃଶ୍ଯ ଦେଖା ଯାଉଛି। ସତେ ଯେପରି ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ସର୍ବଦା ବ୍ୟସ୍ତ ଆଉ ବିବ୍ରତ ଏହାହିଁ ପ୍ରମାଣ କରିବାକୁ ଯେପରି ଚାହୁଁଛନ୍ତି। କରୋନା କୋଳାହଳ ମଧ୍ୟରେ ଲାଗୁଛି ଯେପରି ରାଜନୀତିର ନିଶା ସମସ୍ତଙ୍କୁ ପାଗଳ କରିଦେଇଛି। କେତେବେଳେ କିଏ କରୋନାରୁ ମୁକ୍ତି ପାଇଁ ତାଳି, ଥାଳି ବାଡେଇବା ସହ ଦ୍ବୀପ ଜାଳିବାକୁ ଅନୁରୋଧ କରୁଛିତ ପୁଣି କିଏ ବନ୍ଦେ ଉତ୍କଳ ଜନୀନୀ ଗାନ କରିବା ସହ ନିରବ ପ୍ରାର୍ଥନା କରିବାକୁ ଆହ୍ବାନ ଦେଉଛି।

ବାସ୍ତବରେ ଏ ସମସ୍ତ କିଛି ସାମୟିକ ଆସ୍ବସ୍ଥି ଆଉ କେବଳ ମନ ବୁଝିବା ପାଇଁ ଉଦ୍ଦିଷ୍ଟ। ବାସ୍ତବତାକୁ ଅନୁଶୀଳନ ନକରି ଯଦି କେବଳ ରାଜନୈତିକ ଫାଇଦା ପାଇଁ ଏହା କରା ଯାଉଥିବ ସେତେଦିନ ଯାଏ ଏ କରୋନା ଯୁଦ୍ଧରେ ଆମେ ବିଜୟୀ ହୋଇପାରିବା ନାହିଁ ଏହା ନିଶ୍ଚିତ।

Related Posts