ନୂଆଦିଲ୍ଲୀ:ଆଜି ଭାରତର ୭୫ଟି ଜିଲ୍ଲାରେ ୭୫ଟି ‘ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌’ର ହେଲା ଶୁଭାରମ୍ଭ । ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତି କରଣର ପ୍ରସାର ଓ ବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି।

ଅଳ୍ପ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଥିଲେ ଯେ, ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌’ (ଡିବିୟୁ) ହେଉଛି ଜମାଖାତା ଖୋଲିବା, ବାଲାନ୍‌ସ୍‌ ଚେକ୍‌ କରିବା, ଜମାଖାତା ପ୍ରିଣ୍ଟ୍‌ କରିବା, ଫଣ୍ଡ୍‌ ଟ୍ରାନ୍‌ସ୍‌ଫର୍‌ କରିବା, ଫିକ୍‌ସ୍‌ଡ୍‌ ଡିପୋଜିଟ୍‌ରେ ବିନିଯୋଗ କରିବା, ଋଣ ପାଇଁ ଆବେଦନ କରିବା, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ପାଇଁ ଆବେଦନ କରିବା, କର ଓ ବିଲ୍‌ ପୈଠ କରିବା ସମତେ ଜନସାଧାରଣଙ୍କୁ ନାନା ପ୍ରକାରର ‘ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବାର ପ୍ରତ୍ୟକ୍ଷ କେନ୍ଦ୍ର।

ଚଳିତ ଆର୍ଥିକ ବର୍ଷରେ ସମଗ୍ର ଦେଶରେ ‘ଡିବିୟୁ’ ସ୍ଥାପନା ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣରେ ଘୋଷଣା କରିଥିଲେ।

ଆଜି ପ୍ରଧାନମନ୍ତ୍ରୀ ଦେଶ ପ୍ରତି ୭୫ଟି ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ଉତ୍ସର୍ଗ କରିବା ପରେ ଭର୍ଚୁଆଲ୍‌ ଉଦ୍‌ବୋଧନ ଦେଇ ଭାରତର ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣନର୍‌ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ସ୍ବାଧୀନତାର ୭୫ତମ ବାର୍ଷିକୀ ଅବସରରେ ରେକର୍ଡ ସମୟ ୬ ମାସ ମଧ୍ୟରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ‘ଡିବିୟୁ’ ସଂସ୍ଥାପନ କରାଯାଇଛି। ଦେଶର ଡିଜିଟାଲ୍‌ ଭିତ୍ତିଭୂମି ଉନ୍ନୀତ କରିବାରେ ଏହା ‘ଡିବିୟୁ’ର ଏହି ପ୍ରତିଷ୍ଠାନସବୁ ସାହାଯ୍ୟ କରିବେ ।