ଭାରତ ଯୋଡ ଯାତ୍ରା ସମୟରେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ଆହତ, ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଜାରି ରହିଛି ଭାରତ ଯୋଡ ଯାତ୍ରା । ତେବେ ଏହି ଯାତ୍ରା ସମୟରେ ଏକ ଛୋଟ ଦୁର୍ଘଟଣା ଘଟିଛି। ଏହି ଯାତ୍ରାରେ ସାମିଲ ଥିବା ୪ ଜଣ କଂଗ୍ରେସ କର୍ମୀ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଆହତ ହୋଇଛନ୍ତି | ଏହା ପରେ ପୀଡ଼ିତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେପଟେ ପୀଡିତମାନଙ୍କ ଅବସ୍ଥା ବୁଝିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ |

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଆଜିକର୍ଣ୍ଣାଟକର ବେଲାରୀରୁ ଆରମ୍ଭ ହୋଇଥିଲା। ଯେତେବେଳେ କିଛି ଲୋକ କଂଗ୍ରେସ ପତାକା ଏବଂ ଲୁହା ରଡ ଧରିଥିଲେ ଏହି ଘଟଣା ଘଟିଥିଲା। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ଯେ ଆଜି ଯାତ୍ରା ସମୟରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ବେଲାରୀର ମୋକା ଟାଉନ୍ ନିକଟରେ ୪ ଜଣ ଲୋକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ସମସ୍ତେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି | ତେବେ ବିଦ୍ୟୁତ ଆଘାତର ଶିକାର ହୋଇଥିବା ଏହି ୪ ଜଣ କର୍ମୀଙ୍କୁ କଂଗ୍ରେସ ଦଳ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ।

ଉଲ୍ଲେଖ ଥାଉ କି କଂଗ୍ରେସର ଭାରତ ଯୋଡ ଯାତ୍ରା ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା | ଏହି ଯାତ୍ରା ଜମ୍ମୁକାଶ୍ମୀରର ଶ୍ରୀନଗରରେ ଶେଷ ହେବ। ଏହି ସମୟରେ କଂଗ୍ରେସ କର୍ମୀମାନେ ୧୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଯିବେ ଓ ସମୁଦାୟ ୩୭୫୦ କିଲୋମିଟର ଯାତ୍ରା କରିବେ ।

Related Posts