ଝାରପଡା ଜେଲରେ ଅର୍ଚ୍ଚନା ନାଗଙ୍କ ଦସ୍ତଖତ ନମୁନା ସଂଗ୍ରହ କଲା ପୁଲିସ

ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ଖଣ୍ଡଗିରି ଥାନା ପୁଲିସର ଏକ ଟିମ୍ ଆଜି ଝାରପଡ଼ା ଜେଲରେ ପହଞ୍ଚି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଦସ୍ତଖତ ନମୁନା ସଂଗ୍ରହ କରିଥିବା ଜଣାଯାଇଛି। କୋର୍ଟଙ୍କ ଅନୁମତି ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଅର୍ଚ୍ଚନାଙ୍କ ଦସ୍ତଖତ ସଂଗ୍ରହ କରିଛି। ତେବେ ଜବତ ହୋଇଥିବା ଡାଏରିରେ ଥିବା ହସ୍ତାକ୍ଷର ସହ ଅର୍ଚ୍ଚନାଙ୍କ ହସ୍ତାକ୍ଷର ମିଶାଇବା ପାଇଁ ଏହି ଦସ୍ତଖତର ଆବଶ୍ୟକତା ରହିଛି।ତେବେ ଏନେଇ କୋର୍ଟଙ୍କ ଅନୁମତି ପାଇଁ ଆବେଦନ କରିଥିଲା କମିସନରେଟ ପୁଲିସ।

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ୍‌ ମାମଲାରେ ଏବେ ଅର୍ଚ୍ଚନାଙ୍କ ଡାଏରି ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତ‌ରେ ଲାଗିଛି। କିଛି ଦିନ ତଳେ ଇଡିର ଏକ ଟିମ୍‌ ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ। ଟିମ୍‌ ସେଠାରେ ଦୁଇ ଘଣ୍ଟା କାଳ ରହି ବିଭିନ୍ନ ତଥ୍ୟ, କାଗଜପତ୍ର ଯାଞ୍ଚ କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଖଣ୍ଡଗିରି ଥାନା ପୁଲିସ ସତ୍ୟବିହାରସ୍ଥିତ ଅର୍ଚ୍ଚନାଙ୍କ ଘରେ ଚଢ଼ଉ ବେଳେ ଜବତ କରିଥିବା ତା‌ଙ୍କ ଡାଏରି ତଥ୍ୟକୁ ଇଡି ହାତେଇଛି। କମିସନରେଟ୍‌ ପୁଲିସ ଡାଏରିର କିଛି ନକଲ ପୃଷ୍ଠାକୁ ଇଡିକୁ ହସ୍ତାନ୍ତର କରିଛି। ତେବେ ଇଡି ହାତକୁ ଅର୍ଚ୍ଚନାଙ୍କ ଡାଏରି ଆସିବା ପରେ ବଡ଼ବଡ଼ିଆଙ୍କ ଛାତିରେ ଛନକା ପଶିଛି। କାରଣ ଡାଏରିରେ ବହୁ ହାଇପ୍ରୋଫାଇଲ୍‌ ଲୋକଙ୍କ ନାମ ନେଇ ଚର୍ଚ୍ଚା ହୋଇଥିଲା। ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ, ବ୍ୟବସାୟୀ, ପ୍ରଯୋଜକଙ୍କ କଥା ପଦାକୁ ଆସିଥିଲା। ଯାହାକୁ ନେଇ ସାରା ରାଜ୍ୟ ଉଠିଲା ପଡ଼ିଲା।

Related Posts