ମହିଳା ସଂରକ୍ଷଣକୁ ନେଇ ରାଜନୀତି ଜୋର, ବିଜେଡିକୁ କଡ଼ା ସମାଲୋଚନା କଲେ ବିଜେପି ଓ କଂଗ୍ରେସ

ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗକୁ ଜାତୀୟ ସ୍ତରକୁ ନେଇଛି ବିଜେଡି । ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ନିଜ ରାଜ୍ୟରେ ଶାସକ ଦଳକୁ ଆକ୍ରମଣ କରିଛନ୍ତି ବିରୋଧୀ ଦଳ ।

ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ ଲୋକସଂଖ୍ୟାର ଅଧା ହେଉଛନ୍ତି ମହିଳା । ବିକାଶ ପ୍ରକ୍ରିୟା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଯୋଗଦାନ ଗଣତନ୍ତ୍ରକୁ ସୁଦୃଢ଼ କରିବ । ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳର ନେତାଙ୍କୁ ଭେଟି ସମର୍ଥନ ଲୋଡ଼ିବା ନେଇ ନିଷ୍ପତ୍ତି ମଧ୍ୟ ହୋଇଛି । କେଉଁ ଦଳକୁ କିଏ ଭେଟିବ ତାହା ମଧ୍ୟ ଚୂଡାନ୍ତ କରିଛି ବିଜେଡି ।

କିନ୍ତୁ ବିଜେଡିର ମହିଳା କାର୍ଡକୁ ନେଇ ଜୋରଦାର ଆକ୍ରମଣ କରିଛନ୍ତି ବିରୋଧୀ । କଂଗ୍ରେସ କହିଛି ପ୍ରଥମେ ମହିଳାଙ୍କ ସୁରକ୍ଷା କରନ୍ତୁ ରାଜ୍ୟ ସରକାର । ତାପରେ ଯାଇ ସଂରକ୍ଷଣ କଥା ଚିନ୍ତା କରିବେ ।

ସେପଟେ ବିଜେପି ମଧ୍ୟ ମଇଦାନ୍‌କୁ ଓହ୍ଲାଇଛି । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ୨୨ଟି ଦଳକୁ ଭେଟିବା ପ୍ରସଙ୍ଗରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ମହିଳାଙ୍କ ସମ୍ମାନ ନାଁରେ ଏହା ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି । ନିର୍ବାଚନର ୪-5 ମାସ ପୂର୍ବରୁ ନିଷ୍ପତ୍ତି କେବଳ ଏକ ସୁଆଙ୍ଗ । ବାହାଘର ବେଳେ ବାଇଗଣ ରୋଇବାର ରାଜନୈତିକ ପଇଁତରାବାଜି ।

କୁନ୍ଦୁଲି ଝିଅର କାନ୍ଦ, ବେଲଟିକିରି ଘଟଣା ବିଜେଡିର ମହିଳା ସମ୍ମାନକୁ ଦର୍ଶାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି । କହିଛନ୍ତି ନିଜର ପ୍ରତିଶ୍ରୁତି ଭୁଲି ଯାଇଛି ବିଜେପି । ତେଣୁ ରାଜନୀତି ନକରି ସ୍ଥାନ ସଂରକ୍ଷଣ ପାଇଁ ସବୁ ଦଳ ସମର୍ଥନ କରିବା ଦରକାର ।

Related Posts