କାହିଁକି କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେଲେ ଶ୍ରୀକାନ୍ତ ?

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ପାଇଁ ପିସିସି ବିରୋଧୀ ମନ୍ତବ୍ୟ ଓ କାର୍ଯ୍ୟକଳାପ ପଡ଼ିଲା ମହଙ୍ଗା । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କୁ ହଟାଇଛି ଏଆଇସିସି । ଗଣେଶ୍ବର ବେହେରାଙ୍କୁ ଦିଆଯାଇଛି ଏହି ଦାୟିତ୍ବ ।

କଂଗ୍ରେସ ଭବନରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଡକାଇ ପିସିସି ସଭାପତି ନିର୍ବାଚନ ପ୍ରସ୍ତୁତି କରୁଥିବା ବେଳେ ସମାନ୍ତରାଳ ଭାବେ ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମ କରିଛନ୍ତି ଶ୍ରୀକାନ୍ତ ଜେନା । ବିଧାୟକ ପଦ ଛାଡ଼ିଥିବା କୃଷ୍ଣ ଶଗରିଆ ଓ କିଛି ଦଳିତ ନେତାଙ୍କୁ ନେଇ ଶ୍ରୀକାନ୍ତ କରିଛନ୍ତି ସଭା । ଏହି ସବୁର ଫଳ ଶ୍ରୀକାନ୍ତଙ୍କୁ ଭୋଗିବାକୁ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି ।

କୁହାଯାଉଛି, ପିସିସି ବିରୋଧରେ ଟିପ୍ପଣୀ, ଦଳ ବିରୋଧୀ ମନ୍ତବ୍ୟ ଶ୍ରୀକାନ୍ତଙ୍କ ପାଇଁ ପଡ଼ିଛି ମହଙ୍ଗା । ୯ ମାସ ତଳେ ଶ୍ରୀକାନ୍ତଙ୍କୁ ଅଧ୍ୟକ୍ଷ ପଦରେ ବସାଇଥିଲା ଏଆଇସିସି । ଏବେ ଶ୍ରୀକାନ୍ତଙ୍କୁ ହଟାଇ ଗଣେଶ୍ବର ବେହେରାଙ୍କୁ କରାଯାଇଛି ପ୍ରଚାର କମିଟି ଅଧ୍ୟକ୍ଷ । ଏଥିସହ ନରସିଂହ, ପ୍ରସାଦ, ନଟବରଙ୍କ ସମେତ ୮ ଜଣଙ୍କୁ କମିଟି ସଦସ୍ୟ ଭାବେ ରଖାଯାଇଛି ।

ଏଆଇସିସି ନିଷ୍ପତ୍ତିର ମାତ୍ର କେଇ ଘଣ୍ଟା ପୂର୍ବରୁ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ନିରଂଜନ ଓ ଶ୍ରୀକାନ୍ତଙ୍କ ଅଲଗା ଅଲଗା ସଭା । ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଧରି କଂଗ୍ରେସ ଭବନରେ ନିର୍ବାଚନୀ ଏଜେଣ୍ଡା ପ୍ରସ୍ତୁତ କରିଥିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସାଙ୍ଗରେ ଥିଲେ ଜୟଦେବ, ଚିରଂଜୀବ, ଭକ୍ତ, ହେମାନନ୍ଦ, ସୁର, ସୁମିତ୍ରା ଓ କିଶୋର ପଟେଲ ।

କଂଗ୍ରେସ ଭବନରୁ ଅଧା କିଲୋମିଟର ଦୂରରେ ଶ୍ରୀକାନ୍ତ କରିଥିଲେ ଶକ୍ତି ପ୍ରଦର୍ଶନ । ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଆୟୋଜନ କରିଥିଲେ ସାମାଜିକ ନ୍ୟାୟ ଅଭିଯାନ । ବିଧାୟକ ପଦ ଛାଡ଼ିଥିବା କୃଷ୍ଣ ଶଗରିଆଙ୍କ ସହ କିଛି ଦଳିତ ନେତାଙ୍କ ଏକଜୁଟ୍ କରି ସମାନ୍ତରାଳ ସଭା କରିଥିଲେ ଶ୍ରୀକାନ୍ତ ।

ଶ୍ରୀକାନ୍ତଙ୍କ ସମାନ୍ତରାଳ ସଭାକୁ ହଜମ କରି ପାରିନାହାନ୍ତି ନିରଂଜନ ଗୋଷ୍ଠୀ । ଶଗରିଆଙ୍କ ଜରିଆରେ ଶ୍ରୀକାନ୍ତଙ୍କୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି ।

Related Posts