ଗାଳିବ ବର୍ଷା: ଦାନା ବାନ୍ଧୁଛି ୨ଟି ଲଘୁଚାପ

ଭୁବନେଶ୍ୱର : କିଛି ଦିନ ପରେ ପୁଣି ଥରେ ରାଜ୍ୟରେ ଆରମ୍ଭ ହୋଇଯିବ ବର୍ଷା । ଲଘୁଚାପ ଜନିତ ବର୍ଷା ରେ ଭିଜିବ ଓଡ଼ିଶା । ଆଗ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ । ପ୍ରଥମ ଲଘୁଚାପ ଆସନ୍ତା ୭ ତାରିଖବେଳକୁ ଆସିପାରେ । ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪ ତାରିଖବେଳକୁ । ଭଲ ବର୍ଷା ହେବ ଏହା ପ୍ରଭାବରେ । ଆଗାମୀ ସ୍ୱାଧୀନତା ଦିବସ ଉତ୍ସବକୁ ବି ଫିକା କରିଦେଇପାରେ ଲଗାଣ ବର୍ଷା ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ କହୁଛି, ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୭ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ବର୍ତ୍ତମାନ ମୌସୁମୀ ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ ।

ଶୁକ୍ରବାର (୫ ତାରିଖ) ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୬ ତାରିଖ ମଧ୍ୟ ସମାନ ସ୍ଥିତି ରହିପାରେ । ୭ ତାରିଖରୁ ବର୍ଷା ବଢ଼ିବ । ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଲଗାଣ ବର୍ଷା ଯୋଗୁ ତଳି ଅଞ୍ଚଳରେ ଜଳବନ୍ଦୀ ଓ ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ଆଶଙ୍କା ଅଛି ।

ଏହାବାଦ୍‌ ନୂଆପଡ଼ା, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୮ ତାରିଖରେ ମଧ୍ୟ ଅଧିକାଂଶ ସ୍ଥାନରେ ବର୍ଷା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏହାବାଦ୍‌ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ।

ଆଗାମୀ ଦୁଇ ସପ୍ତାହ ପାଇଁ ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି, ଚଳିତ ସପ୍ତାହରେ ଏକ ଲଘୁଚାପ ସମ୍ଭାବନା ଥିବାବେଳେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା କମ । ମାତ୍ର ଆସନ୍ତା ୧୩ ଓ ୧୪ ତାରିଖବେଳକୁ ଯେଉଁ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ଅଛି, ତାହା ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ହୋଇପାରେ । ଯଦି ଏମିତି ସ୍ଥିତି ରହେ, ତେବେ ଆଗାମୀ ସ୍ୱାଧୀନତା ଦିବସ ଉତ୍ସବ ସମୟରେ ରାଜ୍ୟରେ ଲଗାଣ ବର୍ଷା ହୋଇପାରେ ।

Related Posts