ମହାରଥୀଙ୍କୁ ଆଇନା ଦେଖାଇଲେ ନିରଂଜନ

ସତ୍ୟପାଠ ବ୍ୟୁରୋ : ମନ୍ତ୍ରୀ ବନାମ ପୂର୍ବତନ ମନ୍ତ୍ରୀ । ବିଭାଗ ସମାନ, ଆଲୋଚନା ବି ସମାନ । ଦିନେ ଯିଏ ପ୍ରଶ୍ନର ଉତ୍ତର ରଖୁଥିଲା ଆଜି ସେ ପ୍ରଶ୍ନ କର୍ତ୍ତା । ଆଉ ପ୍ରଶ୍ନ ପଚାରିବାର ଏ ମଉକାକୁ ବିଲକୁଲ ହାତଛଡା କରି ନାହାଁନ୍ତି ପୂର୍ବତନ କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ।

ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ରାଜ୍ୟରେ ଶୀତଳ ଭଣ୍ଡାର ସ୍ଥିତି ବାବଦରେ ଜାଣିବାକୁ ଚାହିଁଥିଲେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ଉତ୍ତର ଦେବାକୁ ସମ୍ମୁଖରେ ଥିଲେ ଭାରପ୍ରାପ୍ତ ମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ମହାରଥୀ ପଚାରିଥିଲେ, ରାଜ୍ୟରେ କେତେ ଶୀତଳ ଭଣ୍ଡାର ରହିଛି ଓ କେତେ ଅଚଳ ରହିଛି ? ତୈଳ ଓ ଡାଲି ଜାତୀୟ ଶଷ୍ୟ ଅଧିକ ଉତ୍ପାଦନ ହୋଇଛି କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଆଉ ଏହାର ଉତ୍ତର ରଖି ମହାରଥୀଙ୍କୁ ତେରଛା ବାଣ ମାରିଥିଲେ ନିରଂଜନ ପୂଜାରୀ ।

ମନ୍ତ୍ରୀ କହିଛନ୍ତି, ଶୀତଳ ଭଣ୍ଡାର ପ୍ରସଙ୍ଗରେ ମହାରଥୀ ବାବୁ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ପୂର୍ବରୁ ସେ ସେହି ବିଭାଗର ମନ୍ତ୍ରୀ ଥିଲେ । ଆଳୁ ମିଶନ ତାଙ୍କ ସମୟରେ ଆରମ୍ଭ ହୋଇ ଶେଷ ହୋଇଥିଲା । ୧୨୮ଟି ଶୀତଳ ଭଣ୍ଡାରରୁ ମହାରଥୀଙ୍କ ମନ୍ତ୍ରୀତ୍ୱ କାଳରେ ୮୦ ଟି ଶୀତଳ ଭଣ୍ଡାରବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୪୮ ଟି ଶୀତଳ ଭଣ୍ଡାର ସଚଳ ରହିଛି । ବାକି ଶୀତଳ ଭଣ୍ଡାରର ପୁନରୁଦ୍ଧାର ଉଦ୍ୟମ ଚାଲିଛି । ମହାରଥୀ ଚାଷୀ ପୁଅ ଓ ଚାଷରେ ଡକ୍ଟରେଟ କରିଛନ୍ତି । ସବୁ କଥା ତାଙ୍କୁ ଜଣା ।

କହିବା ବାହୁଲ୍ୟ, ପୂର୍ବତନ କୃଷିମନ୍ତ୍ରୀ ଭାବେ ବିଭାଗର ସବୁ କଥା ମହାରଥୀଙ୍କୁ ଠିକ୍ ଜଣା । ତେଣୁ ଏମିତି ପ୍ରଶ୍ନ କେବଳ ନିଜକୁ ଭଲଲୋକୀ ଦେଖାଇବାକୁ ବୋଲି ଆଲୋଚନା ହେଉଛି ।

ଗତକାଲି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାର୍ଯ୍ୟ ହେଉନଥିବା ଓ ଯେତିକି ହେଉଛି ତାହା ନିମ୍ନମାନର ହେଉଥିବା ଦର୍ଶାଇ ସରକାରଙ୍କୁ ଘେରିଥିଲେ ମହାରଥୀ । ଆଜି ଶୀତଳଭଣ୍ଡାର କଥା ପଚାରି ପୁଣି ଟାର୍ଗେଟ କରିଛନ୍ତି । ତେବେ ଗୃହରେ ସାଧାରଣତଃ ସରକାରଙ୍କୁ ବିରୋଧୀ ଦଳ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥାଏ କିନ୍ତୁ ମହାରଥୀ ପ୍ରତି ଅଧୀବେଶନରେ ସରକାରଙ୍କୁ ଅକଳରେ ପକାଇବା ଭଳି ପ୍ରଶ୍ନ କରନ୍ତି ।

Related Posts