ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ପ୍ରଶାନ୍ତ କିଶୋରଙ୍କ ନୂଆ ରଣନୀତି । ରାଜ୍ୟରେ କଂଗ୍ରେସ କିପରି କ୍ଷମତାକୁ ଆସିବ ସେନେଇ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଥିବାର ସୂଚନା ମିଳିଛି । ସେପଟେ ଓଡ଼ିଶାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନେତୃତ୍ୱ ସମସ୍ୟା ହିଁ ଏହାର ମୁଖ୍ୟ କାରଣ । କାହିଁକିନା ପ୍ରାୟତଃ ସମସ୍ତ କଂଗ୍ରେସକର୍ମୀ ଏବଂ ବିଧାୟକ ପିସିସିଙ୍କ ପରିବର୍ତ୍ତନ କରାଯାଉ ବୋଲି ଦାବି କରି ଆସୁଛନ୍ତି । ଆଗକୁ ୨୦୨୪ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଦଳକୁ ପୁଣିଥରେ ତୃଣମୂଳସ୍ତରରୁ ସଙ୍ଗଠିତ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ଲକ୍ଷ୍ୟ ରଖିଛି । ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଦୃଢ଼ କରିବା ପାଇଁ ହାଇକମାଣ୍ଡଙ୍କୁ ରୋଡମ୍ୟାପ ଦେଇଥିବାର ସୂଚନା ମିଳିଛି ।
ଅନ୍ୟପଟେ ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ଏକାକି ଲଢ଼ିବ ବୋଲି ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧୀଙ୍କୁ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ହେଲେ ରାଜ୍ୟ ନେତୃତ୍ୱ ଖୁସି ହେବା ପରିବର୍ତ୍ତେ ନେତୃତ୍ୱକୁ ନେଇ ବିବାଦ ଆହୁରି ବଢ଼ିଯାଇଛି । ପିସିସି ସଭାପତି ପରିବର୍ତ୍ତନ ନେଇ ବର୍ତ୍ତମାନର ବିଧାୟକ ଏବଂ ପୁରୁଖାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ଭଳି ସ୍ଥିତି ଲକ୍ଷ୍ୟ କରାଯାଉଛି । ଏପରିକି କେବଳ ପିସିସି ସଭାପତି ନୁହେଁ ବରଂ ବିଧାୟକ ଦଳ ନେତାଙ୍କୁ ମଧ୍ୟ ବଦଳାଇବାକୁ ସ୍ୱର ଉଠିବା ଆରମ୍ଭ ହୋଇଛି ।





