ମେ’ ରେ ୩ଟି ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନେକ ଦେଶର ମୁଖ୍ୟ ଭାରତ ଗସ୍ତରେ ଆସୁଥିବା ବେଳେ, ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ମାସରେ ୩ଟି ଦେଶକୁ ଗସ୍ତ କରିପାରନ୍ତି । ସେ ମେ’ ପ୍ରଥମ ସପ୍ତାହରେ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଗସ୍ତରେ ରହିବେ ।

ଚଳିତ ବର୍ଷର ଏହା ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ବିଦେଶ ଗସ୍ତ । ମୋଦୀଙ୍କ ଏହି ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି ।

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଗତ ଫେବ୍ରୁଆରୀ ମାସ ୨୪ ତାରିଖ ଠାରୁ ଯୁଦ୍ଧ ଆରମ୍ଭ ହୋଇଛି । ଯୁଦ୍ଧ କେବେ ଶେଷ ହେବ, ତା’ର ମଧ୍ୟ କୌଣସି ସୂଚନା ନାହିଁ । ଯୁଦ୍ଧ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ ଓ ୟୁକ୍ରେନ୍‌କୁ ପରାମର୍ଶ ଦେଇଛନ୍ତି । ରୁଷିଆ ଓ ୟୁକ୍ରେନ୍‌କୁ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଯୁଦ୍ଧ ଶେଷ କରିବା ପାଇଁ ନିବେଦନ କରିଛନ୍ତି । କିନ୍ତୁ ଯୁଦ୍ଧ ଜାରି ରହିଛି । ଭାରତ ଯୁଦ୍ଧକୁ ନେଇ କିଛି ବୟାନ ଦେଇ ନାହିଁ । କିନ୍ତୁ ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ କରାଯାଇପାରିବ ବୋଲି ପରାମର୍ଶ ଦେଇଛି । ରୁଷିଆ ବିପକ୍ଷରେ ଭାରତ ଭୋଟ ଦେଇ ନାହିଁ । ତେଣୁ ଏଭଳି ଏକ ସମୟରେ ମୋଦୀଙ୍କ ୟୁରୋପୀୟ ରାଷ୍ଟ୍ରକୁ ଗସ୍ତ କରିବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହୁଛି । ରୁଷିଆ ତେଲ ପଠାଇବକୁ ନେଇ ମଧ୍ୟ ବିବାଦ ଦେଖାଯାଇଥିଲା । ତେଣୁ ଏହାରି ଉପରେ ମଧ୍ୟ ଚର୍ଚ୍ଚା ହୋଇପାରେ ।

ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ୟୁରୋପୀୟ ଦେଶ ସହିତ ଭାରତର ସଂପର୍କ ନିବିଡ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକାଳରେ ଆଞ୍ଚଳିକ ସହଯୋଗ, ବ୍ୟବସାୟ, ଅର୍ଥନୀତି ଉପରେ ଚର୍ଚ୍ଚା ହେବ ।

Related Posts