
ସତ୍ୟପାଠ ବ୍ୟୁରୋ : ଓଡିଶା ବିଜେପି ଇତିହାସରେ ଯେତେଜଣ ସାଂସଦ ନିର୍ବାଚିତ ହୋଇ ଯାଇଛନ୍ତି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ । ଏପରିକି ସେ ହେଉଛନ୍ତି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ବେଳେ ଅଭିଭାଷଣ ରଖିବାରେ ପ୍ରଥମ ଓଡିଆ ସାଂସଦ । ଏକଦମ ସରଳ ଭାଷାରେ ଓଜସ୍ୱିନୀ ଭାଷଣ ଦେଇ ପ୍ରତାପ କେବଳ ପାର୍ଲାମେଣ୍ଟ କମ୍ପାଇ ନାହାଁନ୍ତି ବରଂ ରାଜ୍ୟ ବିଜେପିର ଇତିହାସ, ଭୁଗୋଳକୁ ବି ଓଲଟ ପାଲଟ କରି ଦେଇଛନ୍ତି ।
ଅତୀତରେ ସଂସଦକୁ ଓଡିଶା ବିଜେପିରୁ ଯେତେ ସାଂସଦ ଯାଇଛନ୍ତି କେହି ଏଭଳି ଭାଷଣ ରଖି ନଥିଲେ ଯେମିତି ପ୍ରତାପ ଷଢ଼ଙ୍ଗୀ ରଖିଛନ୍ତି । ଆଉ ସବୁଠୁ ବଡ କଥା ହେଲା ପ୍ରତାପ ଅଭିଭାଷଣ ରଖୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ଗମ୍ଭୀରତାର ସହ ତାହା ଶୁଣୁଥିଲେ । ଯାହା ଦର୍ଶାଉଥିଲା ଷଢ଼ଙ୍ଗୀଙ୍କ ଓଜସ୍ୱିନୀ ଅଭିଭାଷଣର ତାତ୍ପର୍ଯ୍ୟ, ମହତ୍ୱ ଓ ଗୁରୁତ୍ୱ କେତେ ଥିଲା ।
ପୂର୍ବରୁ ପ୍ରତାପଙ୍କ ବ୍ୟକ୍ତିତ୍ୱ ସଂପର୍କରେ ଅନେକ ଚର୍ଚ୍ଚା ହୋଇଛି । ତାଙ୍କ ପ୍ରଭାବୀ ବ୍ୟକ୍ତିତ୍ୱ କିଭଳି ରାଜ୍ୟ ବିଜେପିର ଛବି ଜାତୀୟ ସ୍ତରରେ ସୁଦୃଢ଼ କରିଛି ତାହା ବି କୁହାଯାଉଛି । ଆଉ ଏବେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ପୂର୍ବରୁ ପ୍ରତାପ ଯକ୍ଷ କାହାଣୀ କହି ଯାହାକୁ ଜଖମ୍ କରିଥିଲେ ଏବେ ନିଜର ପ୍ରତିଭା ଦେଖାଇ ତାଙ୍କୁ ଆହୁରି ଦୁର୍ବଳ କରାଇ ଦେଇଛନ୍ତି । କୁହାଯାଉଛି ଏହାଦ୍ୱାରା ରାଜ୍ୟ ବିଜେପିରେ ଦିନେ ଯେଉଁ ପ୍ରତାପ ଷଢ଼ଙ୍ଗୀଙ୍କୁ ଗୁରୁତ୍ୱ ଦିଆଯାଉନଥିଲା ଏବେ ଶୀର୍ଷ ନେତୃତ୍ୱ ତାଙ୍କୁ ବେଶୀ ଗୁରୁତ୍ୱ ଦେଉଛନ୍ତି । ଯାହା ଫଳରେ ରାଜ୍ୟ ବିଜେପିର ଛବି କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ବି ହ୍ରାସ ପାଇବାରେ ଲାଗିଛି ।