ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେ ଘଟିଛି ଅଭାବନୀୟ ଘଟଣା । ଚିକିତ୍ସା ଅଭାବରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବାର କଥା ସାମ୍ନାକୁ ଆସିଛି । ମୃତକ ଜଣକ ହେଲେ କୋକସରା ଥାନା ବେହେରା ନିକଟସ୍ଥ ତେଣ୍ଡାପାଳି ଗ୍ରାମର ସୁମିତ୍ରା ରାଉତ। ସେ ଜଣେ ଆଶା ଦିଦି। ସୁମିତ୍ରାଙ୍କୁ ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗର୍ଭ ଯନ୍ତ୍ରଣା ହୋଇଥିଲେ ସୁଦ୍ଧା ଡାକ୍ତର ଦେଖି ନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ରାତ୍ରୀରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏଠାରେ ଚିକିତ୍ସା ହୋଇପାରିବ ନାହିଁ କହି ଡାକ୍ତର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।
ପରେ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇ ଜିଲ୍ଲା ଚିକିତ୍ସାଳୟରେ ରୋଗୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ଧର୍ମଗଡ଼ ଡାକ୍ତରଖାନା ନିକଟରେ ଶବ ରଖି ପରିବାର ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ମୃତକ ପରିବାରକୁ କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାରବର୍ଗ ଦାବି କରିଛନ୍ତି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
