ଭାରରେ ବୁହାହେଲେ ଗର୍ଭବତୀ : ଅଧାରାସ୍ତାରେ ହେଲା ପ୍ରସବ

ସତ୍ୟପାଠ ବ୍ୟୁରୋ : ଗାଁକୁ ରାସ୍ତା ନାହିଁ । ତେଣୁ ଆମ୍ବୁଲାନ୍ସ ଆସି ପାରିଲାନି । ବାଧ୍ୟ ହୋଇ ଭାରରେ ବୁହାହେଲେ ଗର୍ଭବତୀ । ସ୍ଥିତି ଏମିତି ହେଲା ଯେ, ଅଧା ରାସ୍ତାରେ ହିଁ ପ୍ରସବ କଲେ ମହିଳା । ସମସ୍ତଙ୍କୁ ଦୁଃଖିତ, ଚିନ୍ତିିତ ଓ ବିବ୍ରତ କରିଦେବା ଭଳି ଏ ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡାକରିକୋଟ ଗାଁରେ ।

ଡାକରିକୋଟର ପଦୁ ମାଝୀଙ୍କ ସ୍ତ୍ରୀ ସେବତୀଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ସେବତୀଙ୍କୁ ଏକ ଭାରା ସାହାଯ୍ୟରେ ୬ କିଲୋମିଟର ରାସ୍ତା ବୋହି ଯୋଡାଆମ୍ବ ଗାଁ ଛକ ଯାଏ ଆଣିଥିଲେ ପରିବାର ଲୋକେ । ତଥାପି ଆମ୍ବୁଲାନ୍ସ ପହଂଚି ପାରି ନଥିଲା । ଫଳରେ ଏକ ଅଟୋରେ ସେବତୀଙ୍କୁ ଡାକ୍ତରଖାନା ନେଉଥିବା ସମୟରେ ଅଧାରାସ୍ତାରେ ହିଁ ତାଙ୍କର ପ୍ରସବ ହୋଇଥିଲା । ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ ସେବତୀ । ତେବେ ଏବେ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

‘୫-ଟି’କୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଛି । ସମସ୍ତଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାକୁ କହୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଓଡିଶାରେ ବିକାଶ ହେଉଛି ହେଉଛି ବୋଲି ଭାଷଣରେ କହୁଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଏ ଚିତ୍ର ବୟାନ କରୁଛି କେତେ ଦୟନୀୟ ସ୍ଥିତିରେ ରହିଛି ଓଡିଶାର ସ୍ୱାସ୍ଥ୍ୟସେବା ।

Related Posts