(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହର ଏବେ ସାରା ଦେଶରେ ହା ହା କାର ପରିସ୍ଥିତି ସୃଷ୍ଟି କରିଛି। ତେବେ ଏହାର ପରିଚାଳନାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଭିଷେକ ସାଙ୍ଘଭି। ସାଙ୍ଘଭି କହିଛନ୍ତି,” ଅଭାବ , ଦୁର୍ବଳତା ଓ ସ୍ବଳ୍ପ ଦୃଷ୍ଟିଶକ୍ତି ” ଏହାର ଆଭିମୁଖ୍ୟକୁ ବ୍ୟାଖ୍ୟା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଖାଇଦେଇଛନ୍ତି ଯେ , ସେମାନେ କରୋନା ମହାମାରୀ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ଅପାରଗ, ଅକ୍ଷମ ଏବଂ ଅଯୋଗ୍ୟ ଅଟନ୍ତି । ସେ ଦେଶର ସମ୍ମାନଜନକ ଅନୁଷ୍ଠାନଗୁଡିକୁ ଅନୁରୋଧ କରି କହିଛନ୍ତି ଯେ , “ସେମାନଙ୍କର ପ୍ରାଥମିକ କାର୍ଯ୍ୟ ହେଉଛି ଦେଶର ନାଗରିକଙ୍କ ଜୀବନ ରକ୍ଷା କରିବା, ସରକାରଙ୍କ ପ୍ରତିଷ୍ଠା ନୁହେଁ।” ଏହାବ୍ୟତୀତ ଟିକାର ଭିନ୍ନ ଭିନ୍ନ ଦର ଏବଂ ଉନ୍ନତ କୋଭିଡ ଭିତ୍ତିଭୂମି ଯୋଗାଇବାରେ ସରକାରଙ୍କ ବିଫଳତା ଉପରେ ସେ ପ୍ରଶ୍ନ କରିଛନ୍ତି। ସରକାର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ଲୁଚାଉଥିବା ସେ ଅଭିଯୋଗ କରିଛନ୍ତି । ସାଙ୍ଘଭି କହିଛନ୍ତି ଯେ , ଭାରତ 60 ମିଲିୟନରୁ ଅଧିକ ଡୋଜ ଟିକା, 1.1 ମିଲିୟନ ରେମଡେସିଭର୍ ଇଞ୍ଜେକ୍ସନ, 9300 MT ଅମ୍ଳଜାନ ଏବଂ 20 ନିୟୁତ ଟେଷ୍ଟିଂ କିଟ୍ ରପ୍ତାନି କରିଛି। ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ସମ୍ବଳର ଅଭାବ ପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି। ଏହାର ଜବାବରେ ଭାରତୀୟ ଜନତା ପାର୍ଟିର ନେତା ଗୌରବ ଭାଟିଆ କହିଛନ୍ତି ଯେ , କ୍ଷମତାରେ ଥିବା ସମୟରେ କଂଗ୍ରେସ ଅନୁଷ୍ଠାନଗୁଡ଼ିକୁ ଧ୍ୱଂସ କରିଦେଇଛି ଏବଂ ଏବେ ଏହାକୁ ବିରୋଧ କରୁଛି। ମୂଲ୍ୟବାନ ମାନବ ଜୀବନ ବଞ୍ଚାଇବା ପାଇଁ ସମସ୍ତ ଅନୁଷ୍ଠାନ ଗୁଡିକ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। କଂଗ୍ରେସ ଶସ୍ତା ଏବଂ ହୀନ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ପରି କଂଗ୍ରେସ ଶାସିତ ରାଜ୍ୟର ନାଗରିକମାନେ ମଧ୍ୟ ସମର୍ଥନ ଏବଂ ସହାୟତା ପାଇଁ ନରେନ୍ଦ୍ର ମୋଦୀଙ୍କ ଆଡକୁ ଚାହିଁ ରହିଛନ୍ତି। ସମସ୍ତ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।
Related Posts
-
Copyright © SatyaPatha2021