
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୦୦୦ରୁ ଅଧିକ ପିଲାଙ୍କ ନିକଟକୁ ଲେଖିଛନ୍ତି ପତ୍ର | ପିଲାମାନଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ‘ପିଏମ୍ କେୟାର୍ସ’କୁ ବର୍ଣ୍ଣନା କରି ପତ୍ର ଲେଖିଛନ୍ତି। ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କର ଏହି ଯୋଜନା ବିଷୟରେ ବୁଝାଇ ମୋଦୀ ସୋମବାର ୪ ହଜାରରୁ ଅଧିକ ପିଲାଙ୍କୁ ଜଣ ଜଣ କରି ଚିଠି ପଠାଇଛନ୍ତି।
ମହାମାରୀ କରୋନା ସମୟରେ ନିଜ ବାପାମାଆଙ୍କୁ ହରାଇଥିବା ପିଲାମାନଙ୍କର ଉନ୍ନତି ସକାଶେ ଏହି ଯୋଜନା କାମ କରିବ। ଏହା ଜରିଆରେ ପିଲାମାନେ ନିଜର ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଇପାରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଚିଠିକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ବାରା ବିଭିନ୍ନ ଆଡକୁ ପଠାଯାଇଛି। ମୋଦୀଙ୍କ କହିବା କଥା ହେଉଛି ଦେଶର ପିଲାମାନଙ୍କ ସ୍ବର୍ଣ୍ଣିମ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ଏହି ‘ପିଏମ୍ କେୟାର୍ସ’ ଯୋଜନାକୁ ଆରମ୍ଭ କରାଯାଇଛି। ଏହି ଯୋଜନା ତମକୁ ମନ ଭରି ସ୍ବପ୍ନ ଦେଖିବାର ସୁଯୋଗ ଦେବ। ତମ ସ୍ବପ୍ନକୁ ସାକାର କରିବା ପାଇଁ କେବେ ବି କୌଣସି ସାହାଯ୍ୟର ଅଭାବ ଅନୁଭବ ହେବ ନାହିଁ ବୋଲି ମୋଦୀ କହିଛନ୍ତି।
ଇଂରାଜୀ, ହିନ୍ଦୀ ଓ ଅନ୍ୟ ଆଞ୍ଚଳିକ ଭାଷାରେ ଲେଖାଯାଇଥିବା ଏହି ଚିଠିରେ ମୋଦୀ ତାଙ୍କ ପିଲାଦିନର କିଛି କଥାକୁ ମଧ୍ୟ ପିଲାମାନଙ୍କ ସହ ବାଣ୍ଟିଛନ୍ତି।