ବିଜେଡିର ବିଜେପୁର କସରତ: ରୀତାଙ୍କ ପାଇଁ ବାଟ ସଫା !

ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ । ପୂର୍ବତନ ବିଧାୟିକା ରୀତା ସାହୁଙ୍କ ପାଇଁ ବାଟ ସଫା କରିଛି ଦଳ। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରି ରୀତାଙ୍କ ପାଇଁ କଣ୍ଟା ସଫା କରିଛନ୍ତି ନବୀନ । 2014ରେ ବରଗଡ଼ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ 3,72,052 ଭୋଟ ପାଇଥିଲେ ସୁବାସ । ବିଜେଡିର ପ୍ରଭାସ ସିଂହଙ୍କଠାରୁ ମାତ୍ର 11 ହଜାର 178 ଖଣ୍ଡ ଭୋଟରେ ପରାଜିତ ହୋଥିଲେ । ଗତ ନିର୍ବାଚନରେ ବରଗଡ଼ରୁ ତାଙ୍କୁ ଟିକେଟ୍‌ ନମିଳିବାରୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିଲେ ସୁବାସ ।

ଅନ୍ୟପଟେ 2019ରେ ରୀତା ସାହୁଙ୍କୁ ଟିକେଟ ନଦେଇ ଆଉ ଯାହାକୁ ବି ଟିକେଟ୍‌ ଦେଇଥିଲେ ବିଶୃଙ୍ଖଳା ଦେଖାଯିବା ଅନୁଭବ କରିଥିଲେ ନବୀନ । ସେଥିପାଇଁ ନବୀନ ନିଜେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ । ଆଉ ବିପୁଳ ଭୋଟରେ ବି ବିଜୟୀ ହୋଇଥିଲେ । ସେତେବେଳ ବିଜେପୁରର ଦାୟିତ୍ବ ନିଜେ ନେବେ ବୋଲି ମଧ୍ୟ କହିଥିଲେ । ଏବେ ପୁଣି ରୀତା ସାହୁଙ୍କୁ ବିଜେପୁରରୁ ପ୍ରାର୍ଥୀ କରିବାକୁ ବିଜେଡି ଯୋଜନା କରୁଥିବା କରିଥିବା ବେଳେ ପ୍ରଦୀପ ପୁରୋହିତ ବିଜେପିରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ବିଜେପୁରରେ ପୂର୍ବଭଳି ବିଜେଡି କିଭଳି ଭଲ ଭୋଟ ବ୍ୟବଧାନରେ ଜିତିବ, ସେନେଇ 4 ଜଣିଆ ସମନ୍ବୟ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । । କମିଟିରେ 2 ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହ, ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ କଳିକେଶ ନାରାୟଣ ସିଂହଦେଓ ରହିଛନ୍ତି । ଏମାନେ ବିଜେପୁରରେ ନେତା କର୍ମୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ପୂର୍ବ ଭୋଟ ବ୍ୟବଧାନ ବଢ଼ାଇବାକୁ ଉଦ୍ୟମ କରିବେ ।

Related Posts