ୟୁକ୍ରେନ ସମେତ ପୂର୍ବ ୟୁରୋପର ଶରଣାର୍ଥୀ ଏବଂ ଶିଶୁମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବାକୁ ବିଶ୍ବନେତାଙ୍କୁ ନିବେଦନ କଲେ ପ୍ରିୟଙ୍କା ଚୋପ୍ରା: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ଯେପରି ତଳି ତଳାନ୍ତ ହୋଇପଡିଛି । ସୁନ୍ଦର ୟୁକ୍ରେନ ଏବେ ଯେପରି ଶ୍ମଶାନ ପାଲଟି ଯାଇଛି । ବୋମା ଓ ମିଶାଇଲ ମାଡ଼ ଦ୍ଵାରା ଚାରିଆଡେ ଯେପରି ଦୂଆଁ ମୟ ହୋଇପଡିଛି । ମୃତ୍ୟୁ ଭୟରେ ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଆଶ୍ରୟ ନେଉଛନ୍ତି । ଏଥିସହ ଯୁଦ୍ଧ ମଧ୍ୟରେ ଅନେକଙ୍କ ପ୍ରାଣ ମଧ୍ୟ ଯାଇଛି । ତେବେ ଏହାରି ମଧ୍ୟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ୟୁକ୍ରେନ ସମେତ ପୂର୍ବ ୟୁରୋପରେ ଶରଣାର୍ଥୀ ଏବଂ ଶିଶୁମାନଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ବନେତାଙ୍କୁ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ ୟୁକ୍ରେନ ସଙ୍କଟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶିଶୁମାନେ ନିଜ ଘର ଛାଡି ଅନ୍ୟ ସ୍ଥାନ ଖୋଜୁଥିବା ଦେଖାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ହେଉଛି ସବୁଠାରୁ ବଡ ଶରଣାର୍ଥୀ ସଙ୍କଟ, ଯାହା ଆଜି ପର୍ଯ୍ୟନ୍ତ ଦେଖାଯାଇଛି। ଏନେଇ ପ୍ରିୟଙ୍କା ଭିଡିଓର ଆରମ୍ଭରେ କହିଛନ୍ତି, ‘ବିଶ୍ବନେତା ଏହା ଆପଣଙ୍କ ପାଇଁ ଏକ ପ୍ରତ୍ୟକ୍ଷ ଆବେଦନ । ମୁଁ ଚାହୁଁଛି ଆପଣ ପୂର୍ବ ୟୁରୋପରେ ପ୍ରତିଦିନ ଦେଖୁଥିବା ମାନବୀୟ ଏବଂ ଶରଣାର୍ଥୀ ସଙ୍କଟକୁ ସମର୍ଥନ କରିବା ପାଇଁ କାର୍ଯ୍ୟକର୍ତ୍ତା ତଥା ଆଡଭୋକେଟରଙ୍କ ଆହ୍ବାନର ଜବାବ ଦିଅନ୍ତୁ। ଆମେ ଚାହୁଁଛୁ ଆପଣ ତୁରନ୍ତ ୟୁକ୍ରେନ ଏବଂ ବିସ୍ଥାପିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନିଅନ୍ତୁ’ ।

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, “ପଡୋଶୀ ଦେଶରେ ସୁରକ୍ଷା ସନ୍ଧାନରେ ଦୁଇ ଲକ୍ଷ ପିଲାଙ୍କୁ ସବୁକିଛି ଛାଡି ଚାଲିଯିବାକୁ ବାଧ୍ୟ କରାଯାଇଛି। ଏଥିସହ 25 ଲକ୍ଷ ପିଲାଙ୍କୁ ୟୁକ୍ରେନ ଭିତରେ ନିଜ ଘର ଏବଂ ସହର ଛାଡି ଅନ୍ୟ ସ୍ଥାନକୁ ଯିବାକୁ ପଡିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ। ଏହାକୁ କେହି ଭୁଲି ପାରିବେ ନାହିଁ। ଏତେସବୁ ଦେଖିବା ପରେ ଏହି ପିଲାମାନଙ୍କ ମଧ୍ୟରୁ ଆଉ କେହି ପୂର୍ବ ପରି ରହିବେ ନାହିଁ। “

ପ୍ରିୟଙ୍କା ଶେଷରେ କହିଛନ୍ତି, “ଯେତେବେଳେ ମାନବିକ ସହାୟତା ପାଇଁ ଆପଣ କେତେ ଟଙ୍କା ଦେବେ ତାହା ସ୍ଥିର କରିବାକୁ ବ୍ରିଟେନ, ଜର୍ମାନୀ, ଜାପାନ, ନରୱେ, ଅଷ୍ଟ୍ରେଲିଆର ନେତାମାନେ ଏକାଠି ହୁଅନ୍ତି, ସେତେବେଳେ ଆପଣ ଶରଣାର୍ଥୀମାନଙ୍କ ପାଇଁ ଠିଆ ହେବେ କି? କଣ ସେମାନେ ଆବଶ୍ୟକ କରୁଥିବା କୋଟି କୋଟି ଟଙ୍କା ଯୋଗଦାନ କରିବେ କି? ମୁଁ ସମସ୍ତଙ୍କୁ ପଚାରୁଛି ଯେଉଁମାନେ ଏହି ଭିଡିଓ ଦେଖୁଛନ୍ତି ?

ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ 2 ମାସ ପୁରିବାକୁ ବସିଲାଣି । କିନ୍ତୁ ପରସ୍ପର ଜିଦ୍ ରେ ଅଟଳ ରହିଛନ୍ତି । ଫଳ ସ୍ୱରୂପ ହାଜର ହାଜର ନିରୀହ ଲୋକଙ୍କ ଜୀବନ ଯାଉଛି ।

Related Posts