ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକୁ ବିରୋଧ, ମୁଖ୍ୟ ପ୍ରଶାସକଙ୍କ ଗାଡ଼ି ଆଗରେ ଛିଡା ହୋଇ ବିରୋଧ କଲା ଭିଟାମାଟି ଅଧିକାର ମଞ୍ଚ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକରେ ଜୋରଦାର ବିରୋଧ । ବୈଠକକୁ ବିରୋଧ କରି ନୀଳାଦ୍ରି ଭକ୍ତ ନିବାସ ଆଗରେ ଭିଟାମାଟି ଅଧିକାର ମଞ୍ଚ ବିକ୍ଷୋଭ କରିଛି । ପ୍ରବଳ ବର୍ଷା ସତ୍ତ୍ୱେ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ବୈଠକରେ ପ୍ରବେଶ କରିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦେବୋତ୍ତର କମିଶନଙ୍କ ଗାଡ଼ି ଆଗରେ ଛାଡ଼ି ହୋଇ ବିରୋଧ କରିଥିଲେ ।ସକାଳ ୧୦ଟା ୩୦ରେ ବୈଠକ ବସିବାର ଥିଲେ ମଧ୍ୟ ବିରୋଧ ଯୋଗୁଁ ବୈଠକ ବିଳମ୍ବ ହୋଇଥିଲା ।

ଭିଟାମାଟି ଅଧିକାର ମଞ୍ଚର ଅଭିଯୋଗ ଅନୁସାରେ, ମହାପ୍ରଭୁ ଜଗନ୍ନାଥଙ୍କ ସଂପତ୍ତିକୁ ଭୋଗ ଦଖଲ କରୁଥିବା ଲୋକଙ୍କ ନାଁରେ ବନ୍ଦୋବସ୍ତ କରିବା ଲାଗି ୨୦୦୩ର ୟୁନିଫାଏଡ୍ ପଲିସିକୁ ଏଯାଏ କାର୍ଯ୍ୟକାରୀ କରାଯାଉନାହିଁ । ଯାହାଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଜ ନାଁରେ ଜମି ନଥିବାରୁ ସରକାରୀ ସୁବିଧା ପାଇପାରୁ ନାହାନ୍ତି । ଏପରିକି ଆବାସିକ ପ୍ରମାଣପତ୍ର ଓ ଜାତି ପ୍ରମାଣପତ୍ର ମିଳି ପାରୁ ନାହିଁ । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ସମସ୍ୟାର ସାମନା କରୁଛନ୍ତି । ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏଯାଏ ସମସ୍ୟାର ସମାଧାନ ହେଉନି। ଏହାର ପ୍ରତିବାଦରେ ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକକୁ ବିରୋଧ କରାଯାଇଛି।

Related Posts