ରାଜ୍ୟରେ ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା; ସାନି ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସାନି ସତ୍ୟପାଠ ଦାଖଲ କରାଯାଇଛି। ଗତ ୫ ବର୍ଷରେ ହାତୀ ମୃତ୍ୟୁ ନେଇ ୧୪ ମାମଲା ଦାୟର ହୋଇଥିବାବେଳେ ୨୮ଜଣଙ୍କୁ ଗିରଫ କରାଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ସେହିପରି ଗୋଟିଏ ମାମଲା ବିଚାରଧିନ ଥିବାବେଳେ ୬ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏସ କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସାନି ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ତାରିଖକୁ ଧାର୍ଯ୍ୟ କରାଯାଇଛି। କଟକ ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ବନ୍ୟଜନ୍ତୁ ଶିକାର ବଢି ଚାଲିଥିବା ବେଳେ ହାତୀ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଗୁଳି ମାଡର ଶିକାର ହାତୀର ମୃତ୍ୟୁ ହୋଇଥିଲା। କିନ୍ତୁ ହାତୀ ମୃତ୍ୟୁ ପାଇଁ ରାଜ୍ୟ ସରକାର ଓ ବନ ବିଭାଗ ଏହି ଘଟଣା ପାଇଁ ଚିନ୍ତିତ ନଥିବା ଭଳି ମନେ ହେଉଛି। ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ ଅଧିନରେ ଥିବା ଦଣ୍ଡ ବ୍ୟବସ୍ଥା ଯଦି କଠୋର ନ ହେବ; ତେବେ ଏଭଳି ଘଟଣା ନିୟମିତ ଘଟିବ। ଆସାମ ସରକାର ୨୦୧୦ରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ରହିଥିବା ଆଇନରେ ପରିବର୍ତ୍ତନ କରି ଦଣ୍ଡ ବ୍ୟବସ୍ଥା କଠୋର କରିଥିଲେ।

ଆସାମ ଢଙ୍ଗରେ ଓଡ଼ିଶାରେ ମଧ୍ୟ ଆଇନରେ ସଂଶୋଧନ କରାଯାଇ ବନ୍ୟଜନ୍ତୁ ଶିକାର ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବିଗତ ୫ ବର୍ଷ ଭିତରେ ବନ୍ୟଜନ୍ତୁ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସରକାରଙ୍କ ନିକଟରୁ ଜବାବ ତଲବ କରାଯାଉ। କେତେ ଜଣ ଅଭିଯୁକ୍ତଙ୍କୁ ହାତୀ ଶିକାର ପାଇଁ ଗିରଫ କରାଯାଇଛି; ସେ ସରକାର ସ୍ପଷ୍ଟ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଛନ୍ତି।

Related Posts