ପଞ୍ଜାବ ପୋଲିସର ଅବହେଳା ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିଲା: ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ‘ପଞ୍ଜାବ ପୁଲିସ’ର ଅବହେଳାଜନିତ ବୋଲି ତଦନ୍ତକାରୀ କମିଟି ରିପୋର୍ଟରେ ଉଲ୍ଲେଖ କରିଥିବା ଆଜି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି। ଏନେଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଫିରୋଜପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିଲେ । ଏହା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ବାଧୀନ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି କହିଛି। କମିଟି ରିପୋର୍ଟକୁ ନେଇ ସୁପ୍ରିମ୍‌ କୋର୍ଟ କହିଛନ୍ତି, ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଫିରୋଜପୁର ଏସ୍.ଏସ୍‌,ପି, ତାଙ୍କ ଦାୟିତ୍ବ ତୁଲାଇବାରେ ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେ ରାସ୍ତାରେ ଯାଉଛନ୍ତି ବୋଲି ୨ ଘଣ୍ଟା ପୂର୍ବରୁ ଜଣାଇ ଦିଆଯିବା ସତ୍ତ୍ବେ ଯଥେଷ୍ଟ ସଂଖ୍ୟକ ପୁଲିସ କର୍ମଚାରୀ ଥାଇ ମଧ୍ୟ ସେ ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଥିଲେ। ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଠୋର କରିବା ପାଇଁ ଉକ୍ତ ୫ ସଦସ୍ୟବିଶିଷ୍ଟ କମିଟି କ‌େତେକ ସଂସ୍କାରମୂଳକ ପ୍ରସ୍ତାବ ମଧ୍ୟ ଦେଇଛି। ଆମେ ଉକ୍ତ ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଲେ ସେମାନେ ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ, ଏକ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଜାନୁଆରି ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଫିରୋଜପୁର ଯାଉଥିବା ବେଳେ କୃଷକମାନେ ପଥ ଅବରୋଧ କରିଥିବାରୁ ହୁସେନ୍‌ୱାଲାଠାରୁ ୩୦ କିଲୋମିଟର୍‌ ଦୂରରେ ଥିବା ଏକ ଫ୍ଲାଏଓଭର୍‌ ଉପରେ ପ୍ରଧାନମନ୍ତ୍ରୀ ୨୦ ମିନିଟ୍‌ ଅଟକି ରହିଥିଲେ।

Related Posts