ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୈଷୟିକ ତ୍ରୁଟି ଯୋଗୁଁ କରାଚୀରେ ଜରୁରୀକାଳିନ ଅବତରଣ କଲା ଦିଲ୍ଲୀରୁ ଦୋହା ଯାଉଥିବା କତାର ଏୟାରୱେଜର । ଫ୍ଲାଇଟ କ୍ସିଆରଏସ୫୭୯ରେ ୧୦୦ରୁ ଅଧିକ ଯାତ୍ରୀ ଥିବାର ସୂଚନା ମିଳିଛି । ତେବେ ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର୍ ଏୟାରୱେଜର ଗୋଟାଏ ବିମାନର ମାଲପତ୍ର ଥିବା ପ୍ରକୋଷ୍ଠରେ ଧୂଆଁ ଉଠିବାରୁ ଗତିପଥ ପରିବର୍ତ୍ତନ କରି ତାହାକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଛି। ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଆଉ ଗୋଟାଏ ବିମାନ ବ୍ୟବସ୍ଥା କରାଯାଉଛି ବୋଲି କତାର୍ ଏୟାରୱେଜ କହିଛି। ସେପଟେ ସମ୍ପ୍ରତି ଘଟଣା ବିଷୟରେ ତଦନ୍ତ ଚାଲିଛି ଏବଂ ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଗୋଟାଏ ରିଲିଫ୍ ବିମାନର ବ୍ୟବସ୍ଥା କରାଯାଉଛି। ଅସୁବିଧା ନିମନ୍ତେ ଆମେ ଯାତ୍ରୀମାନଙ୍କ ନିକଟରେ କ୍ଷମାପ୍ରାର୍ଥନା କରୁଛୁ ବୋଲି ଘଟଣା ସଂକ୍ରାନ୍ତରେ ବ୍ୟାଖ୍ୟା ଦେଇ କତାର ଏୟାରୱେଜ କହିଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ ପରିସ୍ଥିତି ସଂକ୍ରାନ୍ତରେ ଟୁଇଟ୍ କରି ଅନ୍ୟତମ ଯାତ୍ରୀ ତଥା ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ସମୀର ଗୁପ୍ତା ଅଭିଯୋଗ କରିଛନ୍ତି, ପଥ ପରିବର୍ତ୍ତନ କରାଯାଇ କରାଚୀକୁ ନିଆଯାଇଥିବା ‘କ୍ୟୁଆର୍୫୭୯’ ଦିଲ୍ଲୀ-ଦୋହା ବିମାନର ସ୍ଥିତି କ’ଣ? ସେ ସଂକ୍ରାନ୍ତରେ ସୂଚନା ଦିଆଯାଉ ନାହିଁ। ଯାତ୍ରୀମାନଙ୍କୁ ଖାଦ୍ୟ ପାନୀୟ ବି ଦିଆଯାଉ ନାହିଁ। ଯାତ୍ରୀମାନେ କିଛି ଜାଣି ପାରୁ ନାହାନ୍ତି। ଦୟାପୂର୍ବକ ସାହାଯ୍ୟ କରନ୍ତୁ। ଦିଲ୍ଲୀରୁ ଆଜି ପାହାନ୍ତା ୩.୫୦ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ଭୋର୍ ୫.୩୦ରେ କରାଚୀରେ ଅବତରଣ କରିଥିବା କଥା ରମେଶ ରାଲିୟା ନାମକ ଜଣେ ଯାତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି। କିନ୍ତୁ, ବିମାନଟି କେତେବେଳେ କରାଚୀରୁ ଉଡ଼ାଣ ଆରମ୍ଭ କରିବ ତାହା ଜାଣିପାରୁ ନାହାନ୍ତି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।