
ଶୁକ୍ରବାର ହୋଇପାରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କ ନାଁ ଘୋଷଣା । ଶୁକ୍ରବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ହାଇପାୱାର ସିଲେକ୍ସନ କମିଟି ବୈଠକ । ଏହି କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ବି ରହିଛନ୍ତି ।
ସିବିଆଇ ମୁଖ୍ୟ ପଦ ପାଇଁ ଦୌଡ଼ରେ ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଅଛନ୍ତି । ତେବେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି ମଧ୍ୟପ୍ରଦେଶର ଡିଜିପି ତଥା ବରିଷ୍ଠ ଆଇପିଏସ୍ ଆର୍. କେ ଶୁକ୍ଲା । ୧୯୮୫ ଆଇପିଏସ୍ କ୍ୟାଡରର ଆର୍ କେ ଶୁକ୍ଳା ୨୦୧୬ ଜୁଲାଇ ୧ରେ ମଧ୍ୟପ୍ରଦେଶର ପୁଲିସ୍ ମୁଖ୍ୟ ହୋଇଥିଲେ ।
କାର୍ଯ୍ୟ ଦକ୍ଷତା ଓ ବରିଷ୍ଠତା ଦୃଷ୍ଟିରୁ ଆର୍ କେ ଶୁକ୍ଲା ଅନ୍ୟମାନଙ୍କଠାରୁ ଆଗରେ ରହିଛନ୍ତି । ଶ୍ରୀ ଶୁକ୍ଳାଙ୍କ ବ୍ୟତୀତ ସିଆର୍ପିଏଫ୍ ଡିଜି ଆର୍ଆର୍ ଭଟ୍ଟନାଗର, ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରବିନ୍ଦ କୁମାର(୧୯୮୪ ବ୍ୟାଚ୍), ଉତ୍ତର ପ୍ରଦେଶ କ୍ୟାଡରର ଜାଭେଦ ଅହମ୍ମଦ ଓ ଡିଜି(ବ୍ୟୁରୋ ଅଫ୍ ପୁଲିସ୍ ରିସର୍ଚ୍ଚ) ଏପି ମାହେଶ୍ୱରୀ ମଧ୍ୟ ସିବିଆଇ ମୁଖ୍ୟ ଦୌଡ଼ରେ ଅଛନ୍ତି ।
ସିବିଆଇର ନଂ ୨ ଅଫିସର ଭାବେ କାର୍ଯ୍ୟ କରୁଥିବା ରାକେଶ ଆସ୍ଥାନା ମଧ୍ୟ ସିବିଆଇ ମୁଖ୍ୟ ପଦ ଦୌଡ଼ରେ ରହିଛନ୍ତି । ତେବେ ତାଙ୍କ ଗ୍ରେଡ୍ ୯୪ ରହିଛି । ୯୪ ଗ୍ରେଡ୍ର ଅର୍ଥ ଅନ୍ୟ ଅଫିସରଙ୍କଠାରୁ ଶ୍ରୀ ଆସ୍ଥାନା ଯଥେଷ୍ଟ ପଛରେ ରହିଛନ୍ତି ।