ସିବିଆଇ ନିର୍ଦ୍ଦେଶକଙ୍କ କଡା ନିର୍ଦ୍ଦେଶ : ଅଧିକାରୀ ଓ କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଏଣିକି ସିବିଆଇ ଅଧିକାରୀ ଏବଂ କର୍ମଚାରୀ ମାନେ ଅଫିସ୍ କୁ ଜିନ୍ସ, ଟି-ସାର୍ଟ କିମ୍ବା ସ୍ପୋର୍ଟସ୍‌ (କ୍ରୀଡ଼ା) ଜୋତା ପିନ୍ଧି କର୍ତ୍ତବ୍ୟ କ୍ଷେତ୍ରକୁ ଆସିପାରିବେ ନାହିଁ। ଏ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ୱାଲ। ଫର୍ମାଲ୍ ଲୁକ୍ସରେ ଅଫିସ ଆସିବାକୁ ହେବ। ତେବେ ପୁରୁଷ ଅଧିକାରୀ ମାନେ ଅଫିସ ଆସିବା ସମୟରେ ଫର୍ମାଲ୍ ସାର୍ଟ-ପ୍ୟାଣ୍ଟ , ଫର୍ମାଲ୍ ଟ୍ରାଉଜର ଏବଂ ଫର୍ମାଲ୍ ଜୋତା ସାଙ୍ଗକୁ ଦାଢି ସେଭ୍ କରି ଆସିବେ। ସେହିପରି ମହିଳା ଅଧିକାରୀ କିମ୍ୱା କର୍ମଚାରୀ ମାନେ ଶାଢ଼ୀ, ସୁଟ୍ ଏବଂ ଫର୍ମାଲ ସାର୍ଟ ପିନ୍ଧି ଆସିପାରିବେ। ସିବିଆଇ ନିର୍ଦ୍ଦେଶକ ସୁବୋଧଙ୍କ ନିଷ୍ପତ୍ତି ପରେ ଉପ ନିର୍ଦ୍ଦେଶକ (ପ୍ରଶାସନ) ଅନୁପ ଟି ମାଥ୍ୟୁ ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ସିବିଆଇର ସମସ୍ତ ଶାଖାକୁ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ସୁବୋଧ ତାଙ୍କ ନିଷ୍ପତ୍ତିରେ କଡ଼ାକଡ଼ି ଭାବରେ କହିଛନ୍ତି, ସିବିଆଇ ଏକ ପ୍ରଫେସନାଲ ତଦନ୍ତକାରୀ ସଂସ୍ଥା ହୋଇଥିବା କାରଣରୁ କର୍ମଚାରୀ ଓ ଅଧିକାରୀ ମାନେ ପ୍ରଫେସନାଲ ଗେଟ ଅପରେ ଡ୍ୟୁଟି କରିବା ଦରକାର। ସୂଚନାଯୋଗ୍ୟ, ସୁବୋଧ କୁମାର ଜୟସଓ୍ୱାଲ ଗତ ବୁଧବାର ସିବିଆଇର ୩୩ ତମ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଛନ୍ତି। ୧୯୮୫ ମସିହାର ଏହି ଆଇପିଏସ ଅଫିସର ମହାରାଷ୍ଟ୍ରର ପୂର୍ବତନ ଡିଜିପି ଥିଲେ।

Related Posts