ମହିଳାଙ୍କ ବାବଦରେ ମନ୍ତବ୍ୟ ପଡ଼ିଲା ମହଙ୍ଗା, ହାର୍ଦ୍ଦିକ ଓ ରାହୁଲ ମ୍ୟାଚ୍‌ରୁ ବାଦ୍‌ !

ଏକ ଟିଭି ସୋରେ ଅଶାଳୀନ ମନ୍ତବ୍ୟ ଦେବା ଭାରତୀୟ କ୍ରିକେଟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସମ୍ୟାନ କେ. ଏଲ. ରାହୁଲଙ୍କୁ ମହଙ୍ଗା ପଡ଼ିଛି । ଭୁଲ ବୁଝିବା ସତ୍ବେ ବି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଲେନି ଯୁବ କ୍ରିକେଟର । ବିସିସିଆଇ ପ୍ରଶାସନିକ କମିଟି ମୁଖ୍ୟ ବିନୋଦ ରାଏ ଉଭୟ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ ରାହୁଲଙ୍କୁ ଦୁଇଟି ଦିନିକିଆ ମ୍ୟାଚ୍‌ରୁ ବାସନ୍ଦ ପାଇଁ ସୁପାରିଶ କରିଛନ୍ତି ।

ଏ ଦିଗରେ ଉପଯୁକ୍ତ ପରାମର୍ଶ ପାଇଁ ପ୍ରଶାସନିକ କମିଟିର ସଦସ୍ୟ ଡାଏନା ଏଡୁଲଜୀ ମାମଲାକୁ ବିସିସିଆଇର ଲିଗାଲ ସେଲ୍‌କୁ ପଠାଇ ଦେଇଛନ୍ତି । କୁହାଯାଉଛି, ଏଡୁଲଜୀ, ବିସିସିଆଇ କାର୍ଯ୍ୟକାରୀ ସଭାପତି ସି. କେ. ଖାନ୍ନା, କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ ଏବଂ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀଙ୍କ ନିକଟରୁ ମଧ୍ୟ ଏ ସଂପର୍କରେ ମତାମତ ଲୋଡ଼ିଛନ୍ତି । ଫଳରେ ଦୁଇ କ୍ରିକେଟରଙ୍କ ପାଇଁ ଆଗକୁ ସମସ୍ୟା ବଢିବା ଆଶଙ୍କା କରାଯାଉଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଶାଳୀନ ମନ୍ତବ୍ୟ ନେଇ ଉଠିଥିଲା ବିରୋଧର ସ୍ବର । ଦୁଇ ଖେଳାଳିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ବିସିସିଆଇ । ପରେ ବୟାନ ପାଇଁ ପାଣ୍ଡ୍ୟା ଦୁଃଖପ୍ରକାଶ ମଧ୍ୟ କରିଥିଲେ । କିନ୍ତୁ ବିସିସିଆଇ ଏଥିରେ ସନ୍ତୁଷ୍ଟ ହୋଇନାହିଁ ।

ବଲିଉଡ୍‌ ନିର୍ମାତା-ନିର୍ଦ୍ଦେଶକ କରନ ଜୋହରଙ୍କ ଦ୍ବାରା ହୋଷ୍ଟ କରାଯାଉଥିବା ଟେଲିଭିଜନ ସୋ’ରେ ଅତିଥି ହୋଇଥିଲେ ପାଣ୍ଡ୍ୟା ଓ ରାହୁଲ୍ । ବହୁ ମହିଳାଙ୍କ ସହ ତାଙ୍କର ସଂପର୍କ ଥିବା କହିଥିଲେ ପାଣ୍ଡ୍ୟା । ଏ ସଂପର୍କରେ ନିଜ ପିତାମାତାଙ୍କୁ କହିଥାଆନ୍ତି ବୋଲି କହିଥିଲେ ପାଣ୍ଡ୍ୟା । ଏହାକୁ ସୋସିଆଲ ମିଡିଆ ସମେତ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଗଲା । ଶନିବାର ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳିବ । ପାଣ୍ଡ୍ୟା ଏବେ ଦଳ ସହ ଅଷ୍ଟ୍ରେଲିଆରେ ଅଛନ୍ତି ।

Related Posts