ମୋଦୀଙ୍କ ଉପରେ ରାହୁଲ୍ ଗାନ୍ଧୀଙ୍କ ଜୋରଦାର ହମଲା, କହିଲେ -” ଦ୍ବିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ହିଁ ଦାୟୀ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍-19 ମହାମାରୀର ବିଫଳ ପରିଚାଳନା, ଟୀକାକରଣରେ ମୋଦୀ ସରକାରଙ୍କ ବିଫଳତାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଜୋରଦାର ହମଲା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କୋଭିଡ୍ ର ଦ୍ଵିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଦାୟୀ ବୋଲି ସେ କହିଛନ୍ତି। ମୋଦୀଙ୍କ ଅପାରଗତା ପାଇଁ ଭାରତକୁ କୋଭିଡ୍ ର ଦ୍ଵିତୀୟ ଲହର ଆସିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯଦି ବର୍ତ୍ତମାନ ଯେଉଁ ସ୍ପିଡ୍ ରେ ଟୀକାକରଣ ହେଉଛି ସେହି ସ୍ପିଡ୍ ଜାରି ରୁହେ ତେବେ ଭାରତକୁ କୋଭିଡ୍ ର ଆହୁରି ଅନେକ ଲହର ସହ ମୁକାବିଲା କରିବାକୁ ପଡ଼ିବ। ଏକ ଭର୍ଚୁଆଲ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ , “ପ୍ରଥମ ଲହରକୁ କେହି ବୁଝିପାରିଲେ ନାହିଁ । କିନ୍ତୁ ଦ୍ୱିତୀୟ ଲହରକୁ ରୋକିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ଥିଲା। ତାଙ୍କ ଦାୟିତ୍ବ ନିର୍ବାହ କରିବାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ତେଣୁ କୋଭିଡ୍ ର ଦ୍ବିତୀୟ ଲହର ସହ ଭାରତ ମୁକାବିଲା କରୁଛି। ” ମୋଦୀଙ୍କୁ ଟାର୍ଗେଟ କରି ରହୁଲ କହିଛନ୍ତି ଯେ,” ଦୁର୍ଭାଗ୍ୟବଶତଃ, ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର। ସେ ଏକାସାଙ୍ଗରେ ଏକାଧିକ ଇଭେଣ୍ଟ ସହ ମୁକାବିଲା କରିପାରିବେ ନାହିଁ। ଯଦି କୌଣସି ଘଟଣା ଘଟେ ତେବେ ପିଏମ୍ ଏକ ଇଭେଣ୍ଟ ଆୟୋଜନ କରିଦିଅନ୍ତି ଏବଂ କେବଳ ସେଥିରେ ବ୍ୟସ୍ତ ରୁହନ୍ତି । ଏଭଳି ପରିସ୍ଥିତିରେ ଆମେ ଇଭେଣ୍ଟ ମ୍ୟାନେଜରଙ୍କ ସହ କାମ କରିପାରିବୁ ନାହିଁ। ଆମକୁ ଜଣେ ପ୍ରଭାବଶାଳୀ ତଥା କଠୋର ପ୍ରଶାସନ ଆବଶ୍ୟକ ବୋଲି ସେ କହିଛନ୍ତି ।

କଂଗ୍ରେସ ନେତା କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ହେଉଛନ୍ତି ଦେଶର ମୁଖିଆ । ବର୍ତ୍ତମାନ ଦେଖାଦେଇଥିବା ସଙ୍କଟ ପାଇଁ ସେ ହିଁ ଦାୟୀ। କିନ୍ତୁ ପ୍ରଧାନମନ୍ତ୍ରୀ ଏକ ବବଲ୍ ରେ ରୁହନ୍ତି । ସେ ଯେଉଁଭଳି ଭାବେ ଏହାର ପରିଚାଳନା କରୁଛନ୍ତି ତାଙ୍କ ସହ କେହି ବି କଥାବାର୍ତ୍ତା କରନ୍ତି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ତାଙ୍କ ଭାବମୂର୍ତ୍ତିକୁ ସଜାଡିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ତାଙ୍କର ଭାବମୂର୍ତ୍ତି ମଳିନ ହୋଇଯାଇଛି। ବର୍ତ୍ତମାନ ସମୟ ଆସିଛି ପ୍ରଧାନମନ୍ତ୍ରୀ ଆଗକୁ ଆସନ୍ତୁ ନେତୃତ୍ୱ ନିଅନ୍ତୁ । ସମୟ ଆସିଛି ତାଙ୍କୁ ତାଙ୍କ ନେତୃତ୍ୱ, ସାହସ, ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ ଭୟ ନକରନ୍ତୁ । ତୁମେ(ପ୍ରଧାନମନ୍ତ୍ରୀ ମୋଦୀ) ଜଣେ ଭଲ ନେତା ବୋଲି ଦେଖାଇବାକୁ ସମୟ ଆସିଛି। ” କରୋନାକୁ ରୋକିବା ପାଇଁ ଟିକା ଏକମାତ୍ର ସ୍ଥାୟୀ ସମାଧାନ। ଲକଡାଉନ୍, ମାସ୍କ ଲଗାଇବା ଏବଂ ସାମାଜିକ ଦୂରତା ନିୟମ ପାଳନ କରିବା ସାମୟିକ ଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି। କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି ଯେ ଟୀକାକରଣ ପାଇଁ ଏକ ସଠିକ୍ ରଣନୀତି ପ୍ରସ୍ତୁତ ନକଲେ ଭାରତରେ କୋଭିଡ୍ ର ଏକାଧିକ ଲହର ଦେଖାଦେବ। ଭାରତ ମୋଟ ଜନସଂଖ୍ୟାର ମାତ୍ର ତିନି ପ୍ରତିଶତ ଟୀକାକରଣ କରିଛି ଏବଂ ବାକି ସମସ୍ତେ ସଂକ୍ରମିତ ହେବାର ଆଶଙ୍କା ରହିଛି । ସେ କହିଛନ୍ତି ଯେ, “ମୁଁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ କହିଛି ଯେ ଯଦି ଭାରତ ଏକ ସଠିକ୍ ଟୀକାକରଣ ରଣନୀତି ନିର୍ଣ୍ଣୟ ନକରେ, ତେବେ ଏକାଧିକ ଲହର ଆସିବ। ଯଦି ଏହି ହାରରେ ଟୀକାକରଣ ଜାରି ରହିବ, ତେବେ ଭାରତକୁ ତୃତୀୟ ଏବଂ ଚତୁର୍ଥ ଲହର ଆସିବ। କାରଣ ଜୀବାଣୁ ମ୍ୟୁଟେସନ ହୋଇଯିବେ।ଆମେ କରୋନା ଭାଇରସ୍ ସହ ଯୁଦ୍ଧ କରୁଛେ। କିନ୍ତୁ ସରକାର ଭାବୁଛନ୍ତି ସେ ବିରୋଧୀ ଦଳ ସହ ଲଢୁଛନ୍ତି। ” ବିରୋଧୀଙ୍କ କଥାକୁ ପରିହାସ କରି ମୋଦୀ ସରକାର ନିଜର ବିଦେଶରେ ଭାବମୂର୍ତ୍ତି ବଢାଇବା ପାଇଁ କୋଭିଡ୍ ଯୁଦ୍ଧରେ ବିଜୟୀ ଘୋଷଣା କରିଦେଲେ ଏବଂ ବିଦେଶକୁ ଟିକା ରପ୍ତାନୀ କଲେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ, ” ଏହା ମିଥ୍ୟା ପ୍ରଚାର କରିବାର ସମୟ ନୁହେଁ। ସରକାର ସତ କଥା କହିବା ଉଚିତ୍। ଏହା ହେଉଛି ଦେଶର ଭବିଷ୍ୟତ, ଜୀବନ ରକ୍ଷା କରିବା ପାଇଁ ଏକ ପ୍ରଶ୍ନବାଚୀ। ଆମେ ସରକାରଙ୍କ ଶତ୍ରୁ ନୁହେଁ – ବିରୋଧୀମାନେ ରାସ୍ତା ଦେଖାଉଛନ୍ତି। ଯଦି ଫେବୃଆରୀ ମାସରେ ସରକାର ଆମ କଥା ଶୁଣିଥାନ୍ତେ ତେବେ ଆମେ ଏହି ସଙ୍କଟ ଦେଇ ଗତି କରି ନଥା’ନ୍ତୁ। “

Related Posts