ରାହୁଲ ଗାନ୍ଧିଙ୍କ 2019 ମାଷ୍ଟରଷ୍ଟ୍ରୋକ୍‌

‘ଗରିବଙ୍କ ପାଇଁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି’, ‘ଗରିବଙ୍କ ଆକାଉଣ୍ଟକୁ ପ୍ରତିମାସ ସରକାର ପଠାଇବେ ଟଙ୍କା’

ତିନିଟି ହିନ୍ଦି ରାଜ୍ୟରେ ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରି କ୍ଷମତାକୁ ଆସିଥିବା କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନ ଲାଗି ଏକ ବଡ଼ ପ୍ରତିଶ୍ରୁତି ଘୋଷଣା କରିଛି । ଲୋକସଭା ନିର୍ବାଚନ ପୂର୍ବରୁ ଆଉ ଏକ ମାଷ୍ଟରଷ୍ଟ୍ରୋକ୍‌ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

କଂଗ୍ରେସ କ୍ଷମତାକୁ ଆସିଲେ, ଦେଶର ସବୁ ଗରିବମାନଙ୍କ ପାଇଁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏଭଳି ଏକ ଯୋଜନା ଦାରିଦ୍ର୍ୟ ଓ ଅନାହାର ଦୂର କରିବାରେ ସଫଳ ହୋଇପାରିବ ବୋଲି କହିଛନ୍ତି ରାହୁଲ ।ଛତିଶଗଡ଼ର ନୟା ରାୟପୁରରେ ଆୟୋଜିତ କୃଷକ ରାଲିରେ କଂଗ୍ରେସ ଅଧ୍ୟକ୍ଷ ଏପରି ଏକ ବଡ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ।

ରାହୁଲ କହିଛନ୍ତି, କଂଗ୍ରେସ ଦଳ ପୂର୍ବରୁ କେନ୍ଦ୍ରରେ କ୍ଷମତାରେ ଥିବା ବେଳେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା- ମନରେଗାରେ 100 ଦିନର ରୋଜଗାର ଗ୍ୟାରେଣ୍ଟି ଦେଇଥିଲା । ସେହିପରି ଭୋଜନ ଅଧିକାର ଗ୍ୟାରେଣ୍ଟି ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଥିଲା କଂଗ୍ରେସ । ଏବେ ସର୍ବନମ୍ନ ଆୟର ମଧ୍ୟ ଗ୍ୟାରେଣ୍ଟି ମିଳିବ ବୋଲି କହିଛନ୍ତି ରାହୁଲ ।

ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଏକ ପ୍ରକାର ୟୁନିଭର୍ସାଲ ବେସିକ ଇନକମ୍ ସ୍କିମ । ଏହି ସ୍କିମ ଅନୁସାରେ ସରକାର ଦେଶର ଗରିବଙ୍କୁ ବିନା ସର୍ତ୍ତରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବେ ।

ଏହି ଯୋଜନା ଲାଗୁ ହେଲେ ସରକାରଙ୍କୁ ଦେଶର ସମସ୍ତ ଗରିବ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ପରିଣାମର ଅର୍ଥ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଦେବାକୁ ପଡ଼ିବ । ତେବେ, ଏହି ଯୋଜନା ଅନୁସାରେ ଗରିବଙ୍କ ପରିଭାଷା କଣ ହେବ, ତାହା ସରକାର ହିଁ ସ୍ଥିର କରିବେ ।

Related Posts