ଆକ୍ସନରେ ରେଲୱେ ମନ୍ତ୍ରୀ: ୧୧ ମାସର କାର୍ଯ୍ୟକାଳ ମଧ୍ୟରେ ୯୪ ଜଣଙ୍କୁ କଲେଣି ବିଦା

ନୂଆଦିଲ୍ଲୀ: କାର୍ଯ୍ୟକାଳ ମଧ୍ୟରେ ଅକ୍ଷମତା, ସଠିକ୍ ଭାବେ କାର୍ଯ୍ୟ ନକରିବା ନେଇ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ରେଲ୍‌ୱେ ବିଭାଗ । ଗୋଟିଏ ଦିନରେ ୧୯ ଜଣ ପ୍ରଥମ ଶ୍ରେଣୀ ଅଫିସର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଅପାରଗ ଅଫିସର୍‌ଙ୍କୁ ବାଧ୍ୟତାମୂଳକ ଅବସର ତଥା ଭିଆର୍‌ଏସ୍‌ ପ୍ରଦାନ କରିଛି ବୋର୍ଡ ।

ଅଧିକାରୀଙ୍କ କାର୍ଯ୍ୟର ସମୀକ୍ଷା ସମୟରେ ସେମାନଙ୍କ ମଧ୍ୟରୁ କେତେକ ଅକ୍ଷମ ଥିବା ଜଣାପଡ଼ିଥିଲା । ସେମାନଙ୍କୁ ବାରମ୍ୱାର ଚେତାବନୀ ମଧ୍ୟ ଦିଆଯାଇଥିଲା । ମାତ୍ର ନିଜ କାର୍ଯ୍ୟକୁ ନେଇ ସଚେତନ ନ ହେବା ନେଇ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ପୂର୍ବରୁ ବୋର୍ଡ ୭୫ ଜଣଙ୍କୁ ଭିଆର୍‌ଏସ୍‌ ଦେଇଥିଲା ।

ରେଲ୍‌ୱେ ସୂତ୍ରରୁ ଜଣାପଡ଼ିଛି ଯେ ଯେଉଁମାନଙ୍କୁ ଭିଆର୍‌ଏସ୍‌ ଦିଆଯାଇଛି ସେମାନଙ୍କ ମଧ୍ୟରେ ଇଲେକ୍ଟ୍ରିକାଲ୍‌, ପର୍ସନାଲ, ମେକାନିକାଲ୍‌, ଷ୍ଟୋର, ସିଭିଲ୍‌ ଇଞ୍ଜିନିୟର ଏବଂ ଟ୍ରାଫିକ୍‌ ସର୍ଭିସ୍‌ ବିଭାଗର ବରିଷ୍ଠ ଅଧିକାରୀ ରହିଛନ୍ତି । ଏଥିସହିତ ରେଲ୍‌ୱେ ବୋର୍ଡର ଦୁଇ ସଚିବ ସ୍ତରର ଅଧିକାରୀଙ୍କ ସହିତ ଜଣେ ଜୋନାଲ୍‌ ହେଡ୍‌ ଏବଂ ଜଣେ ରେଲ୍‌ୱେ ମହାପ୍ରବନ୍ଧକ ସାମିଲ୍ ଅଛନ୍ତି ।

ପଶ୍ଚିମ ରେଳବାଇ, କେନ୍ଦ୍ରୀୟ ରେଳବାଇ, ପୂର୍ବ ରେଳବାଇ, ଉତ୍ତର କେନ୍ଦ୍ରୀୟ ରେଳବାଇ, ଉତ୍ତର ରେଳବାଇ, ରେଳ କୋଚ କାରଖାନା କାପୁରଥାଲା, ଆଧୁନିକ କୋଚ କାରଖାନା ରାୟବରେଲି, ଡିଜେଲ ଲୋକୋମୋଟିଭ ୱାର୍କସ ବାରାଣାସୀ ଏବଂ ଆରଡିଏସଓ-ଲକ୍ଷ୍ନୌ ଇତ୍ୟାଦି ରେଳବାଇ ଅଣ୍ଡରଟେକିଂର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରେଲ୍‌ୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୋର୍ଡ, ଜୋନାଲ୍‌ ମହାପ୍ରବନ୍ଧକଙ୍କ ସହିତ ବୈଠକରେ କହିଛନ୍ତି ଯେ, କାମ କର ନହେଲେ ଘରକୁ ଯାଅ । ୧୧ ମାସର କାର୍ଯ୍ୟକାଳ ମଧ୍ୟରେ ୯୪ ଜଣଙ୍କୁ ସେ ଭିଆର୍‌ଏସ୍‌ ପ୍ରଦାନ କରି ସାରିଲେଣି । ତେବେ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବା ନେଇ ଜଣାପଡ଼ିଛି ।

Related Posts