ଯେତେବେଳେ ଜଣେ ସୌଭାଗ୍ୟକୁ ନିଜର ବ୍ୟକ୍ତିଗତ ସଫଳତା ବୋଲି ଭାବେ, ସେତେବେଳେ ତାହାର ପତନ ଆରମ୍ଭ ହୋଇଯାଏ: ରାଜ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନା ସଂପର୍କରେ ବିଗତ ଅନେକ ବର୍ଷ ଧରି ଚୁପ ରହିଥିବା ଏମଏନଏସ ମୁଖ୍ୟ ରାଜ ଠାକରେ ମୁହଁ ଖୋଲିଛନ୍ତି । ନିଜର ବଡ଼ ବାପାପୁଅ ଭାଇ ଉଦ୍ଧବ ଠାକରେଙ୍କ ନାଁ ନ ନେଇ ସେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ଟୁଇଟ୍ କରି ସେ ଲେଖିଛନ୍ତି “ ଯେତେବେଳେ ଜଣେ ସୌଭାଗ୍ୟକୁ ନିଜର ବ୍ୟକ୍ତିଗତ ସଫଳତା ବୋଲି ଭାବେ, ସେତେବେଳେ ତାହାର ପତନ ଆରମ୍ଭ ହୋଇଯାଏ । ନିଜର ଏହି ଟୁଇଟ୍ ମାଧ୍ୟମରେ ସେ ପରୋକ୍ଷରେ ଦର୍ଶାଇଛନ୍ତି ଯେ ନିଜର ଭାଗ୍ୟ ବଳରୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ । ପ୍ରକୃତରେ ମୁଖ୍ୟମନ୍ତ୍ରୀ ହେବାର ହକ୍ ବିଜେପିର ଦେବେନ୍ଦ୍ର ଫଡନବୀସଙ୍କର ଥିଲା । କିନ୍ତୁ ଏହାକୁ ସେ ନିଜର ବ୍ୟକ୍ତିଗତ ସଫଳତା ବୋଲି ସେ ଭାବିନେଲେ । ଏଣୁ ତାଙ୍କର ପତନ ଆରମ୍ଭ ହୋଇଗଲା ।

ନିଜ ଦଳର ବିଧାୟକଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି । ବୁଧବାର ରାତିରେ ଏକ ଫେସବୁକ ଲାଇଭ ମାଧ୍ୟମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ । ନିଜର ଏହି ଟୁଇଟ ମାଧ୍ୟମରେ ରାଜ ଆହୁରି ମଧ୍ୟ ସଂକେତ ଦେଇଛନ୍ତି ଯେ ପ୍ରାୟ ଦୁଇ ଦଶନ୍ଧି ତଳେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ସେ ଭୁଲିନାହାନ୍ତି । ଶିବସେନାରେ ବାଲା ସାହେବଙ୍କ ଉତ୍ତରାଧିକାରୀଭାବେ ଉଦ୍ଧବଙ୍କୁ ବଛା ଯିବା ପରେ ୨୦୦୫ରେ ରାଜ ଠାକରେ ଶିବସେନା ଛାଡ଼ି ନିଜର ଏକ ଦଳ ଗଠନ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts