
ଜୟପୁର: ରାଜସ୍ଥାନ ମୂଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ସୁନିଶ୍ଚିତ ହେବା ପରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଆଜି ନିଷ୍ପତ୍ତି ହୋଇପାରେ। ଏଥିପାଇଁ ରବିବାର ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କର ସରକାରୀ ବାସଭବନରେ ଏହି ବୈଠକ ହେବାକୁ ସ୍ଥିର ହୋଇଛି। ଏହି ବୈଠକରେ ଦଳର ବରିଷ୍ଟ ନେତା ଯତା ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ରହିବେ। ଏହି ବୈଠକ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା କେସି ବେଣୁଗୋପାଳ।
ବେଣୁ ଗୋପାଳ ଟ୍ୱିଟ୍ କରି କହିଛନ୍ତି ” କଂଗ୍ରେସ ସଭାପତି ଅଜୟ ମାକନଙ୍କ ସହ ମଲ୍ଲିକାର୍ଜୁନ ଖଡ଼ଗେ, ଏଆଇସିସି ଜେନେରାଲ୍ ସେକ୍ରେଟାରୀ ଓ ରାଜସ୍ଥାନ ପ୍ରଭାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଏମାନେ ୨୫ ସେପ୍ଟେମ୍ବରରେ ସନ୍ଧ୍ୟା ୭ଟା ବେଳେ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ଯୋଗ ଦେବେ।”
ତେବେ ରାଜସ୍ଥାନର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ରାଜସ୍ଥାନ ସ୍ପିକର ସିପି ଜୋଶୀଙ୍କୁ ଭେଟିଛନ୍ତି ସଚିନ ପାଇଲଟ। ଉଭୟଙ୍କ ମଧ୍ୟରେ ବୈଠକ ପରେ ଆଲୋଚନା ପାଇଲଟ ମୁଖ୍ୟମନ୍ତ୍ରୀ ହେବା ନେଇ ଏକପ୍ରକାର ସ୍ଥିର ହୋଇଥିବା କୁହାଯାଉଛି।