ରାମଦେବଙ୍କୁ ଭାରି ପଡିଲା ଏଲୋପ୍ୟାଥି ବିରୋଧରେ ମନ୍ତବ୍ୟ : କଡା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ରକୁ ଅପିଲ୍ କଲା ଆଇଏମ୍ଏ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏଲୋପ୍ୟାଥି ବିରୋଧରେ ମନ୍ତବ୍ୟ ଦେଇ ଫସିଲେ ଯୋଗଗୁରୁ ବାବା ରାମଦେବ। ନିକଟରେ ସୋସିଆଲ ମିଡିଆରେ ବାବା ରାମଦେବଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ ଏଲୋପ୍ୟାଥି ବିରୋଧରେ ମନ୍ତବ୍ୟ ଦେଉଥିବାର ଦେଖାଯାଇଥିଲା। ଏହି ଭାଇରାଲ ଭିଡିଓରେ ସେ କହିଥିଲେ ଯେ, ଏଲୋପ୍ୟାଥି ହେଉଛି ଏକ ନିମ୍ନସ୍ତରର ବିଜ୍ଞାନ । ଲକ୍ଷ ଲକ୍ଷ ଲୋକ ଏଲୋପ୍ୟାଥି ସେବନ ଦ୍ୱାରା ପ୍ରାଣ ହରାଇଛନ୍ତି । ବାବା ରାମଦେବଙ୍କ ଏହି ବିବାଦୀୟ ବୟାନ ଭାଇରାଲ ହେବା ପରେ ଆଇଏମଏ ଏହାକୁ ଦୃଢ଼ ପ୍ରତିବାଦ କରିଛି । ଆସୋସିଏସନ ଆହୁରି ମଧ୍ୟ କହିଛି ଯେ , ବାବା ରାମଦେବ ଦାବି କରିଛନ୍ତି ଯେ ରେମଡେସିଭିର, ଫାଭିଫ୍ଲୁ ଏବଂ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲଙ୍କ ଦ୍ବାରା ଅନୁମୋଦିତ ହୋଇଥିବା ଅନ୍ୟ ସମସ୍ତ ଔଷଧ କୋଭିଡ୍ ଚିକିତ୍ସାରେ ବିଫଳ ହୋଇଛି।

ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ଆଇଏମ୍ଏ କହିଛି ଯେ, ବାବା ରାମଦେବଙ୍କ ବିରୋଧରେ ମହାମାରୀ ରୋଗ ଆଇନ ଅନୁଯାୟୀ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆଇଏମ୍ଏ ଆହୁରି ମଧ୍ୟ କହିଛି ଯେ, ” କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ( ଡଃ ହର୍ଷ ବର୍ଦ୍ଧନ), ଯିଏକି ନିଜେ ଏଲୋପାଥିକ ଚିକିତ୍ସାରେ ସ୍ନାତକୋତ୍ତର ହାସଲ କରିଛନ୍ତି ତଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖ୍ୟ, ସେ ବାବା ରାମଦେବଙ୍କ ଏହି ଅବୈଜ୍ଞାନିକ ମନ୍ତବ୍ୟ ବିରୋଧରେ ସାହସର ସହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଦେଶର ସାର୍ବଭୌମତ୍ୱ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଏହିପରି ଆଧାର ହୀନ ଓ ଅବୈଜ୍ଞାନିକ ବକ୍ତବ୍ୟରୁ ରକ୍ଷା କରିବା ପାଇଁ ମହାମାରୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିବାକୁ ଆଇଏମ୍ଏ ଦାବି କରିଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ ଅଭିଯୋଗ କରିଛି ଯେ ରାମଦେବ ମହାମାରୀ ପରିସ୍ଥିତିର ସୁଯୋଗ ନେଇ ସାଧାରଣ ଲୋକଙ୍କ ମନରେ ଏଲୋପ୍ୟାଥି ଚିକିତ୍ସା ବିରୋଧରେ ଭୟ ସୃଷ୍ଟି କରୁଛନ୍ତି। ଆଇଏମ୍ଏ କହିଛି ଯେ ବାବା ରାମଦେବ ଏମିତି କହୁଛନ୍ତି କାରଣ ସେ ମହାମାରୀର ଫାଇଦା ଉଠାଇ ନିଜ କମ୍ପାନୀର ବେଆଇନ ଓ ଅଣ ପଞ୍ଜିକୃତ ତଥାକଥିତ ଔଷଧର ବିକ୍ରି ପାଇଁ ଏପରି ଶସ୍ତା ମନ୍ତବ୍ୟ ଦେଉଛନ୍ତି । ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ଆଇଏମଏ ପକ୍ଷରୁ ଦାବି କରାଯାଇଛି।

Related Posts