ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ହେବେ ପ୍ରିୟଙ୍କା ଗାନ୍ଧୀ ? ସଲମାନ ଖୁର୍ସିଦ କହିଲେ – ‘ ସେ ଆମର କ୍ୟାପଟେନ୍ ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଏଥର ନିର୍ବାଚନରେ କଂଗ୍ରେସ ପାର୍ଟି କାହା ନେତୃତ୍ୱରେ ନିର୍ବାଚନ ଲଢିବ ତାକୁ ନେଇ କାହା ନେତୃତ୍ୱରେ କ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ​​ଭୋଟରଙ୍କୁ କଂଗ୍ରେସ ପାର୍ଟି ପ୍ରତି କିପରି ଆକର୍ଷିତ କରିବେ ତାହା ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ନିର୍ଭର କରେ। କିନ୍ତୁ ସେ କହିଛନ୍ତି ଯେ ସେ ଜଣେ ମହାନ ଚେହେରା ଏବଂ ୟୁପିରେ ଦଳର କ୍ୟାପଟେନ୍। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ବିଜେପିକୁ କଡା ଟକ୍କର ଦେବ । ଖୁର୍ସିଦ କହିଛନ୍ତି ଯେ କଂଗ୍ରେସ କୌଣସି ଗଠବନ୍ଧନକୁ ଅପେକ୍ଷା କରିବ ନାହିଁ। ତେବେ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ଚେହେରା ହେବେ କି ? ଏହି ପ୍ରଶ୍ନର ଉତ୍ତରରେ ଖୁର୍ସିଦ୍ କହିଛନ୍ତି, “ଯେପର୍ଯ୍ୟନ୍ତ ସେ (ପ୍ରିୟଙ୍କା ଗାନ୍ଧୀ) ନିଜ ଆଡୁ ଆମକୁ କିଛି ବି ସୂଚନା ନଦେଇଛନ୍ତି ସେ ପର୍ଯ୍ୟନ୍ତ ମୁଁ ଏହାର ଉତ୍ତର ଦେଇ ପାରିବି ନାହିଁ। ” କିନ୍ତୁ ସେ ଏଥିପାଇଁ ଉତ୍କୃଷ୍ଟ ଏବଂ ଜଣେ ବଡ ଦାବିଦାର ବୋଲି ସେ କହିଛନ୍ତି। ୟୁପି କଂଗ୍ରେସର ମନିଫେଷ୍ଟୋ କମିଟିର ମୁଖ୍ୟ ଖୁର୍ସିଦ୍ କହିଛନ୍ତି ଯେ ଆପଣଙ୍କୁ କେବଳ ଯୋଗୀ (ୟୁପି ମୁଖ୍ୟମନ୍ତ୍ରୀ) ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ସାମ୍ନାରେ ରଖନ୍ତୁ, ଆପଣଙ୍କୁ ଆଉ ପ୍ରଶ୍ନ ପଚାରିବାର ଆବଶ୍ୟକତା ନାହିଁ। ସେ ନିଜକୁ ୟୁପି ଭୋଟରଙ୍କ ନିକଟରେ କିପରି ଉପସ୍ଥାପନ କରିବେ ତାହା ତାଙ୍କର ନିଷ୍ପତ୍ତି ହେବ। କଂଗ୍ରେସ ନେତା ଆହୁରି ମଧ୍ୟ କହିଛନ୍ତି ମୁଁ ଆଶା କରୁଛି ସେ ନିଷ୍ପତ୍ତି ନେବେ ଏବଂ ଆମକୁ କହିବେ। ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କଂଗ୍ରେସ କିମ୍ବା ବିଏସପି ସହ ଗଠବନ୍ଧନ କରିବ ନାହିଁ। ଏପଟେ ୟୁପି ବିଜେପିରେ ଯୋଗୀଙ୍କୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଥିବା କୁହାଯାଉଛି। ଯୋଗୀ କ୍ୟାବିନେଟର ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ କିଏ ହେବ ଆଗମୀ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି।

Related Posts