ଆପକୁ ଜ୍ଞାନ ଦେବା ପୂର୍ବରୁ ବିଫଳ ରାଜନୈତକ ଦଳମାନେ ଧର୍ମନିରପେକ୍ଷତାର ପାଠ ପଢ଼ନ୍ତୁ: ଆପ

ରଙ୍ଗା ଚରଣ ପ୍ରଧାନ
ମୁଖପାତ୍ର, ଆପ୍ ଓଡ଼ିଶା

ସତ୍ୟପାଠରେ ପ୍ରକାଶିତ “ପ୍ରଥମେ ମୌନ ରହିଲେ ଏବେ ଦଙ୍ଗା ପାଇଁ ବାଂଲାଦେଶୀ ଓ ରୋହିଂଗ୍ୟାଙ୍କୁ ଦାୟୀ କରୁଛନ୍ତି, କାହିଁକି ମୁସଲମାନଙ୍କ ପ୍ରତି ଆମ ଆଦମି ପାର୍ଟିର ଭାଷା ବଦଳୁଛି ?” ଶୀର୍ଷକ ଏକ ଲେଖା ମୋ ଦୃଷ୍ଟି ଆକର୍ଷଣ କରିଛି । ଲେଖାକୁ ନେଇ କାହାର ଆପତ୍ତି ନାହିଁ । କାରଣ ସମସ୍ତଙ୍କର ନିଜ ନିଜ ମତ ରଖିବାର ଅଧିକାର ଅଛି । ସେହି ମତ କେତେ ଦୁର ଠିକ୍ କିମ୍ବା ଭୁଲ୍ ତାହା ବିଚାର କରିବା ପାଠକମାନଙ୍କ ଉପରେ ଛାଡି ଦିଆଯାଉ । ଏଥିପାଇଁ ମୁଁ ଆଶା କରୁଛି ସତ୍ୟପାଠ ଏକ ମହତ୍ ସାମ୍ବାଦିକତାର ଧର୍ମ ପାଳନ କରିବାକୁ ଯାଇ ଏଥି ସମ୍ବନ୍ଧରେ ମୋର ମତକୁ ମଧ୍ୟ ତାହାର ପାଠକମାନଙ୍କ ବିଚାର ପାଇଁ ରଖିବ ।

ସତ୍ୟପାଠରେ ପ୍ରକାଶ ପାଇଛି ଯେ ଜାହାଙ୍ଗୀରପୁରୀ ଦଙ୍ଗାକୁ ନେଇ ଆମ୍ ଆଦମୀ ପାର୍ଟି ଦୁଇ ଦିନ ଧରି ଚୁପ୍ ରହିଥିଲା । ଯଦି ଏହାର ଲେଖକ ଆଶା କରିଥିଲେ ଯେ ଏ ବିଷୟରେ ଅରବିନ୍ଦ କେଜରିୱାଲ ମୁହଁ ଖୋଲିଥାନ୍ତେ , ତେବେ ସେ ଯଦି କେଜରିୱାଲଙ୍କ ଟୁଇଟର ଆକାଉଣ୍ଟ ଖୋଲିଥାନ୍ତେ ତେବେ ହୁଏତ ଏକଥା ଲେଖି ନଥାନ୍ତେ । କେଜରିୱାଲ କେଉଁ ଭଳି ମତ ରଖିଥାନ୍ତେ, କେଉଁଠି ରଖିଥାନ୍ତେ ଓ କ’ଣ ମତ ରଖିଥାନ୍ତେ ସେ ନେଇ ଲେଖକ ହୁଏତ ଅସନ୍ତୁଷ୍ଟ ହୋଇ ପାରିଥାନ୍ତେ, କିନ୍ତୁ ଆପ୍ ଦୁଇ ଦିନ ଧରି ଚୁପ୍ ରହିବା ଭଳି ତଥ୍ୟକୁ ସମର୍ଥନ କରୁ ନଥିବା କଥା ଲେଖି ନଥାନ୍ତେ । ଏହା ବ୍ୟତୀତ ଏ ବିଷୟରେ ଆମ ଆଦମୀ ପାର୍ଟିର ବିଭିନ୍ନ ନେତା ମଧ୍ୟ ସେହି ଦୁଇ ଦିନ ମଧ୍ୟରେ ପାର୍ଟିର ମତ ରଖିଛନ୍ତି ।

ଲେଖକ ଲେଖିଛନ୍ତି ଯେ ପାର୍ଟି ଯେହେତୁ ବିସ୍ତାର ପାଇଁ ଚାହୁଁଛି ତେଣୁ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜାହାଙ୍ଗୀରପୁରୀ ଦଙ୍ଗା ପାଇଁ ରୋହିଙ୍ଗୀଆ ଓ ବଙ୍ଗଳାଦେଶୀଙ୍କୁ ଦାୟୀ କରୁଛି । ଏକଥା ସତ ଯେ ଆପ୍ ବିସ୍ତାର କରିବାକୁ ଚେଷ୍ଟା କରୁଛି । ଏହା ସବୁ ରାଜନୈତିକ ଦଳଙ୍କର ଅଧିକାର । କୈଣସି ଭାରତୀୟ କ’ଣ ଚାହାନ୍ତି ଯେ ଦେଶ ମଧ୍ୟରେ ଅନ୍ୟ ଦେଶର ଲୋକ ଆସି ରୁହନ୍ତୁ, ସେମାନେ ରୋହିଙ୍ଗିଆ ହୁଅନ୍ତୁ କିମ୍ବା ବଙ୍ଗଳାଦେଶୀ ହୁଅନ୍ତୁ କିମ୍ବା ଶ୍ରୀଲଙ୍କାର ବୈଦ୍ଧଧର୍ମାବଲମ୍ବୀ ହୁଅନ୍ତୁ ? ଏହା କ’ଣ ଦେଶର ଘୋଷିତ ନୀତି ସମର୍ଥିତ ଅଟେ ? ଏହାକୁ ରୋକିବାରେ ଅସମର୍ଥ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା, କେବେ ବି ଏହା ଉପରେ ନିର୍ଭର କରିବା ଉଚିତ୍ ନୁହେଁ ଯେ ସେହି ପଶି ଆସିଥିବା ଲୋକମାନେ କେଉଁ ଧର୍ମର ଥିଲେ । ଆପ୍ ନେତା ଏଥିପାଇଁ ସମାଲୋଚନା କରି ନାହାନ୍ତି ଯେ ସେହି ରୋହିଙ୍ଗିଆ ଓ ବଙ୍ଗଳାଦେଶିମାନେ ମୁସଲମାନ ଅଟନ୍ତି । ତେଣୁ ସତ୍ୟପାଠର ଏହି ଲେଖକ ଆପ୍ ନେତାମାନଙ୍କର ବୟାନକୁ ଅତି ଭୟାନକ ଭାବେ କଦର୍ଥ କରିଛନ୍ତି । ରୋହିଙ୍ଗିଆ ଓ ବଙ୍ଗଳାଦେଶିମାନେ ମୁସଲମାନ ହେବା ବ୍ୟତୀତ ସେମାନେ ମାଂସାହାରୀ ମଧ୍ୟ ଅଟନ୍ତି । ତାହେଲେ କ’ଣ ଆପ୍ ନେତାମାନଙ୍କ ବୟାନକୁ ନେଇ ଅର୍ଥ ବାହାର କରାଯାଇ ପାରିବ ଯେ ସେମାନେ ମାଂସାହାରୀମାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ? ଆପ୍ ନେତାମାନଙ୍କ ବୟାନରେ ମୁସଲମାନ କିମ୍ବା ମାଂସାହାରୀ ବୋଲି କୈାଣସି ବି ଶବ୍ଦ ନଥିଲା । ରୋହିଙ୍ଗିଆ ଓ ବଙ୍ଗଳାଦେଶିଙ୍କ ଅନୁପ୍ରବେଶ ଓ ଥଇଥାନ ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଯଦି ମୁସଲମାନ ବିରୋଧ ଅଟେ, ତାହେଲେ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଶାସନକୁ ବିରୋଧ କରିବାକୁ କ’ଣ ୬ କୋଟି ଗୁଜୁରାଟିଙ୍କ ଅସ୍ମିତାକୁ ବିରୋଧ ବୋଲି ସେତେବେଳେ କୁହାଯିବା ଠିକ୍ ଥିଲା ?

ଲେଖକ ଲେଖିଛନ୍ତି ଯେ ଏହା ପୂର୍ବରୁ ଶାହୀନବାଗ ନେଇ ଆପ୍ ନିଜକୁ ଦୁରେଇ ରଖିଥିଲା ଯଦ୍ୟପି ମୂଖ୍ୟତଃ ମୁସଲମାନ ମହିଳାମାନଙ୍କ ଦ୍ବାରା ଏହା ପରିଚାଳିତ ହେଉଥିଲା । ଏହା ସତ୍ୟ ଅଟେ । କିନ୍ତୁ ଏହାକୁ ନେଇ ଏପରି କୈାଣସି ମତରେ ପହଞ୍ଚିବା ଠିକ୍ ନୁହେଁ ଯେ ଆପ୍ ନାଗରିକତ୍ବ ସଂଶୋଧନ ଅଧିନିୟମ ବିଷୟରେ ନିଜକୁ ଦୁରେଇ ରଖିଥିଲା । ଲେଖକ ହୁଏତ ଭୁଲି ଯାଇଛନ୍ତି ଯେ ଦିଲ୍ଲୀ ବିଧାନସଭାରେ ଏହି ଅଧିନିୟମ ବିରୁଦ୍ଧରେ ପ୍ରସ୍ତାବ ଗୃହୀତ ହୋଇଛି । ଶାହୀନବାଗ ସମ୍ପର୍କରେ କେଜରିୱାଲଙ୍କ ବକ୍ତବ୍ୟର ସାରମର୍ମ ଥିଲା ଯେ ସେଠାରେ ଯଦି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ତାହା ପାଇଁ ତାଙ୍କ ସରକାରଙ୍କୁ ଦାୟୀ ନକରି କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଉ । ସେଠାରେ ଯଦି ବେଆଇନ ଭାବେ କୌଣସି ରାସ୍ତା ଅବରୋଧ ହୋଇଛି ବୋଲି ଅଭିଯୋଗ ହେଉଛି ତେବେ କେନ୍ଦ୍ର ସରକାର ସେହି ଅବରୋଧ ହଟାଇବା ପାଇଁ ବଳ ପ୍ରୟୋଗ କରିବାକୁ ମଧ୍ୟ ସେ କହିଛନ୍ତି । ତେବେ ଏକଥା ସତ ଯେ ଶାହିନବାଗର ଆନ୍ଦୋଳନ ସାଧାରଣ ଗମନାଗମନ ପାଇଁ ରାସ୍ତା ଛାଡିଥିଲା । କେଜରିୱାଲ ଏକଥା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଶାହିନବାଗ ଆନ୍ଦୋଳନକାରୀ ମାନଙ୍କ ସହ କଥାବାର୍ତ୍ତା କରନ୍ତ ।

ବିଡମ୍ବନାର କଥା ହେଉଛି ଯେ ବିଜେପି ନେତାମାନେ ସେତେବେଳେ ଅଭିଯୋଗ କରିଥିଲେ ଯେ ଶାହିନବାଗ ଆନ୍ଦୋଳନ ପ୍ରତି ଆପ୍ ର ସମର୍ଥନ ରହିଛି । ବିଜେପି ନେତାମାନେ ସେମାନଙ୍କ ନିର୍ବାଚନୀ ଭାଷଣରେ ଆପ୍ ବିରୁଦ୍ଧରେ ଏହାକୁ ଏକମାତ୍ର ଅସ୍ତ୍ର କରିଥିଲେ । ତଥାପି ସେତେବେଳେ କୈାଣସି ସାମ୍ଭାବ୍ୟ ନିର୍ବାଚନ ପରିଣାମକୁ ଭୃକ୍ଷେପ ନକରି କେଜରିୱାଲ ପ୍ରାୟ ଏକ ଡଜନ ଟିଭି ସାକ୍ଷାତକାରରେ ଏହି ଅଧିନିୟମକୁ ତୀବ୍ର ବିରୋଧ କରିଛନ୍ତି ଏବଂ ଦେଶବ୍ୟାପୀ ଚାଲିଥିବା ଏହାର ବିରୋଧକୁ ସମର୍ଥନ କରିଛନ୍ତି । କିନ୍ତୁ ଏହା ଜରୁରୀ ନଥିଲା ଯେ ଶାହୀନବାଗର ଆନ୍ଦୋଳନକାରୀଙ୍କ ଠାରୁ ଏଥିପାଇଁ ସେ କୈାଣସି ସାର୍ଟିଫିକେଟ ଖୋଜିଥାନ୍ତେ ଏବଂ କେବଳ ସେମାନଙ୍କ ଭାଷାରେ ହିଁ ଅଧିନିୟମକୁ ବିରୋଧ କରିଥାନ୍ତେ । ସାହିନବାଗର ମଞ୍ଚରୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତାମାନେ ନିର୍ବାଚନ ଚାଲିଥିବା ବେଳେ ଆମ୍ ଆଦମୀ ପାର୍ଟିକୁ ତୀବ୍ର ସମାଲୋଚନା କରୁଥିଲେ । ଦୁର୍ଭାଗ୍ୟଜନକ ହୋଇଥାନ୍ତା ଯଦି ଉଭୟ ସାହୀନବାଗ ମଞ୍ଚରୁ ଆପ୍ ର ଧର୍ମନିରପେକ୍ଷ ଚରିତ୍ରକୁ ଆକ୍ଷେପ କରୁଥିବା ବକ୍ତାମାନେ ଓ ବିଜେପି ନେତୃବୃନ୍ଦ, ପରସ୍ପର ବିରୋଧ କାରଣରୁ ହେଉ ପଛେ, ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇଥାନ୍ତେ । ଯଦି ନିର୍ବାଚନରେ ବିଜେପି ଜିତିଥାନ୍ତା ତେବେ ବିଜେପି ଅବିଳମ୍ବେ ଦେଶସାରା କହି ବୁଲିଥାନ୍ତା ଯେ ସେହି ଅଧିନିୟମ ପ୍ରତି ଜନାଦେଶ ମିଳିଗଲା ।

ସତ୍ୟପାଠରେ ପ୍ରକାଶିତ ଏହି ଲେଖାଟିରେ ଆପ୍ ନେତାଙ୍କ ଦ୍ବାରା ହନୁମାନ ପୂଜା କରିବା ଓ ଏକ ଗ୍ରାଣ୍ଡ ଇଭେଣ୍ଟରେ ଅଯୋଧ୍ୟାରେ ନିର୍ମାଣାଧୀନ ମନ୍ଦିରର ନକଲ ରଖିବା କଥା ଲେଖା ଯାଇଛି ।

ଆପ୍ ମାତ୍ର ଦଶବର୍ଷର ପାର୍ଟି । ତେଣୁ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶରେ ସାଂପ୍ରଦାୟିକ ଶକ୍ତିମାନେ ଶକ୍ତିଶାଳୀ ହେବା ପାଇଁ ଆପ୍ କୁ ଦାୟୀ କରିବା ଉଚିତ୍ ହେବନାହିଁ । ଏତେ ବର୍ଷ ଧରି ଯେଉଁ ରାଜନୈତିକ ଦଳମାନେ ନିଜକୁ ଧର୍ମନିରପେକ୍ଷ ବୋଲି ଦାବି କରି ଆସୁଛନ୍ତି ସେମାନେ ଆତ୍ମମନ୍ଥନ କରିବା ଉଚିତ୍ ଯେ ସେମାନେ କ’ଣ ଭୁଲ୍ କଲେ । ସେମାନେ ତିଆରି କରିଥିବା ଶବ୍ଦକୋଷରୁ ଶବ୍ଦ ନେଇ ଆପ୍ ସେଗୁଡିକ ବ୍ୟବହାର କରିବାକୁ ମନା କରୁଛି । ଭାରତୀୟ ସମ୍ବିଧାନରେ ଧର୍ମନିରପେକ୍ଷତାର ଅର୍ଥ ନୁହେଁ ଧର୍ମଛଡା ହେବା । ଭାରତରେ ହନୁମାନ ପୂଜା ମନା ନାହିଁ । ଏପରିକି କୈାଣସି ସରକାର ଦ୍ବାରା ଏହି ପୂଜା ହେବା ମଧ୍ୟ ମନା ନାହିଁ । ଲେଖକ ଚାହିଁଲେ ସମ୍ବିଧାନର ଧାରା ୨୭କୁ ଆଉଥରେ ପଢିପାରିବେ । ଲେଖକ ଚାହିଁଲେ Athiest Society Of India, … vs Govt. Of Andhra Pradesh on 4 August, 1992Equivalent citations: AIR 1992 AP 310Bench: J E Prasadରେ ବିଚାରାଳୟ କ’ଣ ମତ ଦେଇଛନ୍ତି ତାହା ଦେଖି ପାରିବେ ।‌

ଆଉ ଲେଖକ ଯେଉଁ ଲେଖିଛନ୍ତି ଯେ ଆପ୍ ର ଏହି କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରୁଛି ତାହା ମଧ୍ୟ ତଥ୍ୟାନୁମୋଦିତ ନୁହେଁ । ସାହିନବାଗ ଆନ୍ଦୋଳନରେ ଆପ୍ ଉପରେ ତୀବ୍ର ଆକ୍ରମଣ ସତ୍ତ୍ୱେ ନିର୍ବାଚନ ଫଳାଫଳ ଦର୍ଶାଇଛି ଯେ ଆପ୍ ନିରନ୍ତର ଭାବେ ସମାଜର ସବୁ ବର୍ଗର ଲୋକଙ୍କ ଭୋଟ ପାଇ ଆସୁଛି । ସେଥିରେ କୈାଣସି ପରିବର୍ତ୍ତନ ଆସିନାହିଁ ।

ଲେଖକ ବୁଝି ନେବା ଉଚିତ୍ ଯେ ଧର୍ମନିରପେକ୍ଷତାକୁ ନେଇ ବିଭିନ୍ନ ବିଭିନ୍ନ ଦଳମାନଙ୍କ ଦ୍ବାରା ବ୍ୟବହାର ହୋଇ ଆସିଥିବା ଶବ୍ଦକୋଷ ଓ ସଂଜ୍ଞା ନିରୁପଣକୁ ଆମ୍ ଆଦମୀ ପାର୍ଟି ପ୍ରତ୍ୟାଖ୍ୟାନ କରୁଛି ।

Related Posts