ସେନାପତିଙ୍କ ପାଇଁ ପ୍ରସ୍ତୁତ ହେଉଛି ଗଳାବାଟ !

ସତ୍ୟପାଠ ମେଟ୍ରୋ ବ୍ୟୁରୋ : ରାଜ୍ୟରେ ୫ଟି କେତେ ସୁନ୍ଦର ଭାବେ କାର୍ଯ୍ୟ କରୁଛି, ଆଉ ଉପରକୁ ୫ଟି ଦେଖାଯାଉଥିବା ବେଳେ ଭିତରେ କିପରି ଗଳାବାଟ ରଖାଯାଉଛି ତାହାର ଏକ ସୁନ୍ଦର ଉଦାହରଣ ହେଉଛି ଓପିଟିସିଏଲର ମାନବସମ୍ବଳ ନିର୍ଦ୍ଦେଶକ (HRD Director) ସେନାପତି ବାବୁଙ୍କ ନିଯୁକ୍ତି ଏବଂ ତାଙ୍କର ଅବଧି ସରିବା ପରେ ଅହେତୁକ ନିରବତା । ନା ଏଇଠି ଟାଇମିଂ ଠିକ୍ ରହିଲା, ନା ଟିମ୍ ୱାର୍କ ଠିକରେ କାମ କଲା ନା ଟ୍ରାନ୍ସପରେନ୍ସି ରହିଲା । ତେଣୁ ଏ ୫ଟି କେବଳ କାଗଜକଲମରେ ଆଉ ଗଣମାଧ୍ୟମରେ ଚାଲିଛି ନା ସତରେ କାମ କରୁଛି, ୫ଟି ବାବୁ ଟିକେ ଦେଖିବେ କି ?

ଓପିଟିସିଏଲ-ରାଜେନ୍ଦ୍ର ସେନାପତି-ହେମନ୍ତ ଶର୍ମା ଏପିସୋଡରେ ଆଉ ଏକ ତଥ୍ୟ ଲାଗିଛି ସତ୍ୟପାଠ ହାତରେ । ନିଜ ଭୁଲକୁ ଲୁଚାଇବାକୁ ଗଳାବାଟ ଖୋଜୁ ଖୋଜୁ ଅଠାକାଠିରେ ପଡିଛି ଓପିଟିସିଏଲ । ପବ୍ଲିକ ଏଣ୍ଟରପ୍ରାଇଜର୍ସ ଡିପାର୍ଟମେଣ୍ଟର ନିୟମ କହୁଛି, କୌଣସି ପଦବୀର କାର୍ଯ୍ୟକାଳ ସରିବାର ଅତି କମରେ ୬ମାସ ପୂର୍ବରୁ ତାହାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଯେଉଁ ବିଭାଗରେ ପଦବୀ ଖାଲି ହେଉଛି ସେ ବିଭାଗ ସରକାରଙ୍କୁ ବା ପିଇ ବିଭାଗକୁ ଜଣାଇବ । ଅର୍ଥାତ ନିୟମ ଅନୁସାରେ ଓପିଟିସିଏଲ ଫେବୃଆରୀ ମାସ ୭ରୁ ପିଇ ବିଭାଗକୁ ଜଣାଇବା କଥା । କିନ୍ତୁ ଓପିଟିସିଏଲ ଅଧ୍ୟକ୍ଷ ହେମନ୍ତ ବାବୁଙ୍କ ଭଳି ଜଣେ ଦକ୍ଷ ଅଫିସର ଥାଉ ଥାଉ ଅଗଷ୍ଟ ୭ରେ ସେନାପତି ବାବୁଙ୍କ କାର୍ଯ୍ୟକାଳ ସରୁଥିବା ସଂକ୍ରାନ୍ତ ଖବର ପିଇ ବିଭାଗକୁ ଗଲାନାହିଁ କାହିଁକି ? ହଠାତ ୫ଦିନ ପୂର୍ବରୁ ଅର୍ଥାତ ୨ ଅଗଷ୍ଟ ୨୦୧୯ରେ ଓପିଟିସିଏଲ ପକ୍ଷରୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ଡିପାର୍ଟମେଣ୍ଟ କୁ ତରବରିଆ ଭାବେ ଚିଠିଟେ ଦିଆଗଲା । ଯେଉଁଥିରେ ୭ଅଗଷ୍ଟରେ ଓପିଟିସିଏଲର ମାନବ ସମ୍ବଳ ନିର୍ଦ୍ଦେଶକ (HRD Director) ପଦବୀ ଖାଲି ହେଉଛି ଓ ଏଥିପାଇଁ ପଦବୀ ପୁରଣ ସଂକ୍ରାନ୍ତ ବିଜ୍ଞାପନ ଓ ଅନ୍ୟାନ୍ୟ ବ୍ୟବସ୍ଥା ଆରମ୍ଭ କରିବାକୁ କୁହାଗଲା । ଏ ଚିଠି ଦିଆଯିବା ପଛରେ ଦୁଇଟି କଥା ଆସୁଛି । ଏ ବିଭାଗର ଅଧିକାରୀ ମାନଙ୍କୁ ଆଇନ ଟା ଜଣାନାହିଁ ନା ଗଳାବାଟ ଦେଇ ସେନାପତି ବାବୁଙ୍କ କାର୍ଯ୍ୟକାଳ ବୃଦ୍ଧି ବା ପୁନଃନିଯୁକ୍ତି ଦେବା ପାଇଁ ଏ ଏକ ମସୁଧା ଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓପିଟିସିଏଲର ବାର୍ଷିକ ଟର୍ଣ୍ଣଓଭର ହେଉଛି ୩୪୦୦କୋଟି ଟଙ୍କା । ଶତାଧିକ ଅଧିକାରୀ, କର୍ମଚାରୀ ଏଠାରେ କାର୍ଯ୍ୟ କରୁଛନ୍ତି । ତେଣୁ ମାନବସମ୍ବଳ ନିର୍ଦ୍ଦେଶକ ପଦବୀ ଟି ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ପଦବୀରେ ଥିବା ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପଦବୀ ପୁରଣ ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟା ଅର୍ଥାତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା କଥା । ଏପରିକି ପଦବୀ ଖାଲି ହେବା ମାତ୍ରେ ନୁଆ ଅଧିକାରୀ ତୁରନ୍ତ ଜଏନ କରିବା କଥା । କିନ୍ତୁ ସେନାପତି ବାବୁଙ୍କ କାର୍ଯ୍ୟକାଳ ସରିବା ପରେ ଏହାକୁ ଖାଲି ରଖାଯାଇଛି । ଏ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇନି । ତେଣୁ ୟୁନିୟନର ବହୁ ନେତାଙ୍କର ସନ୍ଦେହ ହେଉଛି, ଗଳାବାଟ ଦେଇ ଚୁପଚାପ ସେନାପତି ବାବୁଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ଓପିଟିସିଏଲର ବରିଷ୍ଠ ଅଧିକାରୀ ଯୋଜନା ଚଳାଇଛନ୍ତି ।

ସେନାପତିଙ୍କ ପାଇଁ ଚାଲିଛି ଯୋଜନା-

  •  ନିୟମ ଅନୁସାରେ, ସେନାପତି ବାବୁଙ୍କର କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ଓପିଟିସିଏଲ ବିଭାଗ ପକ୍ଷରୁ ସରକାରୀ ଭାବେ ତାଙ୍କୁ ଚିଠି ଲେଖି ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ନେଇ ଅବଗତ କରାଯିବ । ଏଠି ପ୍ରଶ୍ନ ଉଠୁଛି ଏଭଳି ପ୍ରକ୍ରିୟା ହୋଇଛି କି ନାହିଁ ? ଯଦି ଦିଆଯାଇନି ତାହା ହେଲେ ସିଏମଡି ଭାବରେ ଏହା ହେମନ୍ତ ଶର୍ମାଙ୍କର ଏଥିପାଇଁ ଉତ୍ତରଦାୟିତ୍ୱ ନେବେନି କାହିଁକି ?
  •  ଯେହେତୁ ମାନବସମ୍ବଳ ବିଭାଗ ଅତି ଗୁରୁତ୍ୱପୂର୍ଣ୍ଣ ଓ ଏ ତାହାର ଦାୟିତ୍ୱରେ ସେନାପତି ବାବୁ ଅଛନ୍ତି,ତେଣୁ ନିୟମ ଅନୁସାରେ ସେ ଅଫିସ ଛାଡିବା ପୂର୍ବରୁ ସେ ଜଣେ ଅଧସ୍ତନ କର୍ମଚାରୀ ବା ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ହ୍ୟାଣ୍ଡେଡ୍ ଓଭର ଚାର୍ଜ (ଦାୟିତ୍ୱ ) ଦେବାକଥା । ସେ ଯିବା ପୂର୍ବରୁ ଏହା କରିକି ଯାଇଛନ୍ତି କି ନାହିଁ , ଯଦି ନା, ତେବେ ତାଙ୍କୁ ଏଭଳି କରିବାକୁ ସାହାସ ଦେଲା କିଏ ?

ସୂଚନା ଅନୁସାରେ ତାଙ୍କ ବଦଳରେ ନୂଆ ଅଧିକାରୀ କେହି ଆସି ଯୋଗ ଦେଇ ନାହାଁନ୍ତି, ଏପରିକି ତାଙ୍କ କୋଠରୀ ବାହାରେ ତାଙ୍କ ନେମ ପ୍ଲେଟ ଏବେ ବି ଝୁଲୁଛି । ଅନ୍ୟପଟେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ବା ପୁନିଃ ନିଯୁକ୍ତି ପାଇଁ ବି ମସୁଧା ଚାଲିଛି ।

ତେଣୁ ଏବେ ପ୍ରଶ୍ନ ଉଠୁଛି ଯେତିକି ଦିନ ଏ ପଦବୀ ଫାଙ୍କା ରହିବ, ଏ ପଦବୀ ଦାୟିତ୍ୱରେ କିଏ ରହିବ ଓ କାହିଁକି ଏ ଯାଏଁ କାହାକୁ ନିଯୁକ୍ତି ବା ଦାୟିତ୍ୱ ଦିଆଯାଇ ନାହିଁ । ଏ ସବୁ ଆଇନ ହେମନ୍ତ ଶର୍ମାଙ୍କୁ ଜଣାଅଛି କି ନାହିଁ ?

Related Posts