ମୁମ୍ବାଇରେ ନିର୍ଭୟା କାଣ୍ଡର ପୁନରାବୃତ୍ତି ; ଦୁଷ୍କର୍ମ ପରେ ସମ୍ବେଦନଶୀଳ ଅଙ୍ଗରେ ରଡ଼ ଭର୍ତ୍ତି କରିଦେଲେ ଦୁର୍ବୃତ୍ତ, ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର :  ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି ଘଟିଛି ମୁମ୍ବାଇରେ। ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅଟୋ ଭିତରେ ଦୁଷ୍କର୍ମ ପରେ ପୀଡିତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଅତି ଗୁରୁତର ଅବସ୍ଥାରେ ପିଡୀତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳୁଛି। 

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସାକିନାକା ଅଞ୍ଚଳରେ ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି ଘଟିଥିଲା। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଖୈରାନି ରୋଡ୍‌ରେ ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରୁଥିବା ନେଇ ଖବର ଦିଆଯାଇଥିଲା। ତେବେ ସୂଚନା ପାଇ ପୋଲିସ୍‌ ଟିମ୍‌ ଯାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରା ଯାଇଥିଲା। 

ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରି ମୁମ୍ବାଇର ରଜବାଡି ଅଞ୍ଚଳର ଘାଟକୋପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଷ୍କର୍ମ ପରେ ଦୁର୍ବୃତ୍ତ ଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କରି ଦେଇଥିଲେ। ମହିଳାଙ୍କ ଅବସ୍ଥା ସଙ୍କାପନ୍ନ ଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। 

ଏସବୁ ଭିତରେ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି  , ଯେଉଁଥିରେ ଦେଖିବାକୁ ମିଳୁଛି ଯେ , ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଅତି ନିର୍ମମ ଭାବେ ପିଡୀତାଙ୍କୁ ମାଡ ମାରୁଛନ୍ତି । ଏପରିକି ଅଭିଯୁକ୍ତ ଜଣକ ଲୁହା ରଡ୍‌କୁ ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରିଥିଲେ। ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଅଟୋ ଭିତରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜରେ ଅଭିଯୁକ୍ତ ବିରୋଧରେ ବଳିଷ୍ଠ ପ୍ରମାଣ ପାଇଛି ପୁଲିସ। 

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଚଳନ୍ତା ବସ୍ ଭିତରେ ଗଣଦୁଷ୍କର୍ମ କରାଯାଇଥିଲା। ଯାହାକୁ ଦେଶବ୍ୟାପୀ ଚହଳ ପଡି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନିର୍ଭୟାଙ୍କର ମୃତ୍ୟୁ ଘଟିଥିଲା ଏବଂ ଏହି ଘଟଣାର ଦୀର୍ଘ ସାତ ବର୍ଷ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଲା ଥିଲା। ଚଳିତ ବର୍ଷ ମାର୍ଚ୍ଚ ୨୦ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶି ଦିଆଯାଇଥିଲା।

Related Posts