
ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା ପେଟ୍ରୋଲ ଦରକୁ ନେଇ ଚିନ୍ତିତ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛି ଇଣ୍ଡିଆନ ଅୟେଲ କର୍ପୋରେସନ (ଆଇଓସିଏଲ) । ଏକ ନୂଆ ଧରଣର ପେଟ୍ରୋଲ ବଜାରକୁ ଆଣିଛି ଆଇଓସିଏଲ । ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିବା ନୂଆ ଧରଣର ପେଟ୍ରୋଲରୁ ତୈଳ ଦର କମିପାରେ । ଆାସାମ୍ର ତିନି ସୁକିଆ ଜିଲ୍ଲାରେ ୧୫ ପ୍ରତିଶତ ମିଶ୍ରଣ ହୋଇଥିବା ମିଥେନଲ ପେଟ୍ରୋଲକୁ (ଏମ୍-୧୫) ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି ।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲି ନୀତି ଆୟୋଗର ସଦସ୍ୟ ବି.କେ. ସାରସ୍ୱତ ଓ ଆଇଓସିଏଲ୍ର ଚେୟାରମ୍ୟାନ ଏମ.ଏମ. ବୈଧଙ୍କ ଉପସ୍ଥିତିରେ ଏମ-୧୫ ପେଟ୍ରୋଲ ଆରମ୍ଭ କରିଛନ୍ତି। ମନ୍ତ୍ରୀ ତେଲି କହିଛନ୍ତି ମିଶ୍ରଣରୁ ଇନ୍ଧନର ଅଧିକ ମୂଲ୍ୟରୁ ଆଶ୍ୱସ୍ଥି ମିଳିବ। ପେଟ୍ରୋଲ ମୂଲ୍ୟ କମ୍ ହେଲେ ସାଧାରଣ ଜନତାଙ୍କୁ ବହୁତ ଆଶ୍ୱସ୍ତି ମିଳିବ।
ସେ କହିଛନ୍ତି ଏମ-୧୫କୁ ପ୍ରାୟୋଗିକ ସ୍ତରରେ ଜାରି କରିବା ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାଦ୍ୱାରା ଆମଦାନୀ ବୋଝ ମଧ୍ୟ କମିବ। ଏକ ଆନୁଷ୍ଠାନିକ ମନ୍ତବ୍ୟ ଆଧାରରେ ମନ୍ତ୍ରୀ କହିଛନ୍ତି ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ଇଣ୍ଡିଆନ ଅଏଲ ଏହି ପଦକ୍ଷେପ ଗ୍ରହଣ କରିଛି।
ଏହି ପଦକ୍ଷେପ ପାଇଁ ତିନିସୁକିଆ ଜିଲ୍ଲାକୁ ଚୟନ କରାଯାଇଛି କାରଣ ଏଠାରେ ମିଥେନଲ ସହଜରେ ଉପଲବ୍ଧ ହୋଇଥାଏ । ଆସାମ ପେଟ୍ରୋକେମିକାଲ୍ସ ଲିମିଟେଡ ଏହାର ଉତ୍ପାଦନ କରିଥାଏ। ସୂଚନାଥାଉକି, ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ର ମୂଲ୍ୟ ଲିଟର ପିଛା ପାଖାପାଖି ୧୦୫ ଟଙ୍କା ଉପରେ ରହିଛି।
ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ତୈଳ କମ୍ପାନୀମାନେ ପେଟ୍ରୋଲ ଡିଜେଲ ମୂଲ୍ୟ ବଢ଼ାଇ ଦେଇଥିଲେ।କମ୍ପାନୀମାନେ ମାର୍ଚ୍ଚ ୨୨ ରୁ ଆରମ୍ଭ କରି ଏପ୍ରିଲ ୬ ପର୍ଯ୍ୟନ୍ତ ମୂଲ୍ୟରେ ପ୍ରତି ଲିଟର ପିଛା ୧୦ ଟଙ୍କା ବଢ଼ାଇ ଥିଲେ। ଏପ୍ରିଲ ୬ ପରେ ଏବେ ପର୍ଯ୍ୟନ୍ତ କମ୍ପାନୀମାନେ ପେଟ୍ରୋଲ ଡିଜେଲ ଦର ବଢ଼ାଇ ନାହାନ୍ତି । ତେବେ ଏହାରି ମଧ୍ୟରେ ଆଗକୁ ଆହୁରି ବଢିବା ନେଇ ଦେଖା ଦେଇଥିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।