
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି କୋଟିଆରେ ପଶିଲା ଆନ୍ଧ୍ର । କିଛି ଦିନର ନିରବତା ପରେ ପୁଣି କୋଟିଆରେ ପହଞ୍ଚିଥିଲା ଆନ୍ଧ୍ରର ସ୍ୱାସ୍ଥ୍ୟ ଟିମ୍ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଆନ୍ଧ୍ରର ଏକ ସ୍ୱାସ୍ଥ୍ୟ ଟିମ୍ ଭ୍ୟାନ ଯୋଗେ କୋଟିଆରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇଥିଲା । ଏହି ଖବର ପାଇବା ପରେ କୋଟିଆ ପୋଲିସ୍ ସେହି ଟିମ୍ ସହ କଥା ହୋଇ ଫେରିଯିବାକୁ କହିଥିଲେ ।ଫଳରେ ଆନ୍ଧ୍ର ଟିମ ସେଠାରୁ ଚାଲିଯାଇଥିଲେ।
ହେଲେ ସେଠାରୁ ଯାଇ ତଳଗଞ୍ଜେଇପଦରରେ ପହଞ୍ଚିଥିଲା । ହେଲେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ପଟାଙ୍ଗୀ ବିଡିଓ ସମ୍ୟସାର୍ଥକ ମିଶ୍ର ଓ ଆନ୍ଧ୍ର ଟିମକୁ ବିରୋଧ କରିଥଲେ । ଫଳରେ ବାଧ୍ୟ ହୋଇ ଫେରିଯାଇଥିଲା ଆନ୍ଧ୍ର ଟିମ୍ । କୋଟିକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି । ଉଭୟ ପକ୍ଷ କୋଟିଆକୁ ନିଜର ବୋଲି ଦାବି କରିଆସୁଛନ୍ତି । ବିବାଦର ସମାଧାନ ପାଇଁ ଉଭୟ ପକ୍ଷରୁ ବାରମ୍ବାର ପ୍ରୟାସ ମଧ୍ୟ ହୋଇଛି । ଏପରିକି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି । ଏହା ପରେ ଆଶା କରାଯାଉଥିଲା ଯେ, ଉଭୟ ପକ୍ଷ କୌଣସି ଏକ ସମାଧାନରେ ପହଞ୍ଚିବେ । ହେଲେ ଏଯାଏଁ ସେପରି କୌଣସି ସମାଧାନ ବାହାରି ନାହିଁ ।
ବରଂ ଆନ୍ଧ୍ର ବାରମ୍ବାର କୋଟିଆରେ ଅନୁପ୍ରବେଶ କରୁୁଛି । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ ତାରିଖରେ ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାର ଏସ୍ପି ଭି. ବିଦ୍ୟାସାଗର ନାଇଡୁଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିସ ଟିମ୍ କୋଟିଆ ଗ୍ରାମପୁଞ୍ଜରେ ପଶିଥିଲା । ଗାଁଗାଁରେ ଲୋକଙ୍କୁ ଏହି ଟିମ୍ ସଚେତନ କରିଥିଲେ । ସ୍ୱାସ୍ଥ୍ୟର ଯତ୍ନ ନେବା, ଦିଶା ଏସ୍ଓଏସ୍, ମଦ ନିବାରଣ ସଂପର୍କରେ ସଚେତନ କରିବା ପରେ ଏହି ଟିମ୍ ଫେରିଯାଇଥିଲେ ।