ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ଅବସରରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଅବସରପ୍ରାପ୍ତ ଭିଜିଲାନ୍ସ ଏସପି। ହାତରେ କଳା ପତାକା ସହ ଡମ୍ବରୁ ବଜାଇ ଲୋକଙ୍କୁ ଦୁର୍ନୀତି ବିରୋଧରେ ପ୍ରତିବାଦ କରିବାକୁ କଲେ ସଚେତନ। ଦୁର୍ନୀତି ରୋକିବା ପାଇଁ ଥିବା ବିଭିନ୍ନ ଆଇନ ଉପରେ ମଧ୍ୟ ସେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଉଜ୍ଜ୍ୱଳ କୁମାର ହ୍ରହ୍ମା ଏଭଳି ନିଆରା ପ୍ରୟାସ କରିଛନ୍ତି।
ସୂଚନାନୁଯାୟୀ, ୧୯୭୫ରେ ଶ୍ରୀ ବ୍ରହ୍ମା ଏସଆଇ ଭାବେ ଭିଜିଲାନ୍ସ ବିଭାଗର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ପଦୋନ୍ନତି ହୋଇ ଭୁବନେଶ୍ୱର ଡିଭିଜନର ଏସପି ଭାବେ ୨୦୧୦ରେ ଅବସର ଗ୍ରହଣ କରିଥିଲେ। ଚାକିରିରୁ ଅବସର ନେବା ପରେ ସେ ଦୁର୍ନୀତି ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରାଉଛନ୍ତି। ୨୦୧୯ ସସିହାରୁ ସେ ଏହି ଅଭିଯାନକୁ ଅଧିକ ବ୍ୟାପକ କରିଛନ୍ତି। ନିଜର ଏଭଳି କାର୍ଯ୍ୟପାଇଁ ବିଭିନ୍ନ ସମୟରେ ସେ ଚର୍ଚ୍ଚାରେ ମଧ୍ୟ ରହି ଆସିଛନ୍ତି। କେତେବେଳେ ଜୋତା ପଲିସ କରି ଲୋକଙ୍କୁ ସଚେତନ କରିଛନ୍ତି ତ ଆଉ କେତେବେଳେ ଏକା ଏକା ପଥପ୍ରାନ୍ତରେ ଦୁର୍ନୀତି ବିରୋଧୀ ଭାଷଣ କିମ୍ବା ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଛନ୍ତି। ତେବେ ଆଜି ସେ କଳାପତକା ସହ ଡମ୍ବୁର ବଜାଇ ଲୋକଙ୍କୁ ସଚେତନ କରାଇଥିଲେ।
ଦେଶରେ କରପସନ, ପପୁଲେସନ, ପଲ୍ୟୁସନଙ୍କୁ ରୋକି ହେବନି ବୋଲି କୁହାଯାଉଥିବା ବେଳେ ଶ୍ରୀ ବ୍ରହ୍ମା ଏହାକୁ ଖଣ୍ଡନ କରିଛନ୍ତି। ଦୁର୍ନୀତି ବିରୋଧରେ ଲୋକ ପ୍ରଥମେ ସଚେତନ ହେଲେ ଏହା କମିବ ବୋଲି କହିଛନ୍ତି। ପ୍ରତିବର୍ଷ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧୀ ସପ୍ତାହ ପାଳନ କରାଯାଉଛି। ଏହାକୁ ସେ ଏକ ପ୍ରହସନ ବୋଲି କହିଛନ୍ତି। ଦୁର୍ନୀତିକୁ କେମିତି ରୋକାଯିବ ସେନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନକରି କେବଳ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ ପାଇଁ ଲୋକ ଦେଖାଣିଆ ବିଭିନ୍ନ କାମ କରୁଥିବା ସେ ଅଭିଯୋଗ କରିଛନ୍ତି। ଲୋକେ ଲାଞ୍ଚ ନଦେବା, ଅଫିସର ଲାଞ୍ଚ ନନେବା ମନସ୍କ ହେଲେ ସାମଜରୁ ଦୁର୍ନୀତି କମିବ ବୋଲି ସେ କହିଛନ୍ତି।