ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ପଦ୍ମପୁର ଉପନିର୍ବାଚନରେ କାହିଁକି ହାରିଲା ବିଜେପି ? ଏହାର ସମୀକ୍ଷା କରିବ ଦଳ । ତେବେ ତା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପରାଜୟର କେତୋଟି କାରଣ ସମ୍ପର୍କରେ ମତ ରଖିଛନ୍ତି । ବର୍ଷାଙ୍କୁ ବିଦେଶିନୀ କହି ନିର୍ବାଚନୀ ପ୍ରଚାର ବେଳେ ବାରମ୍ବାର ଟାର୍ଗେଟ୍ କରିଥିଲେ ଜୟନାରାୟଣଙ୍କ ସମେତ ବିଜେପିର ଏକାଧିକ ବରିଷ୍ଠ ନେତା । ଏହା ଦଳ ପାଇଁ ବୁମେରାଂ ହେଲା ବୋଲି କୁହାଯାଉଥିବା ବେଳେ ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି ବିରୋଧୀ ଦଳ ନେତା । ବର୍ଷା ପଦ୍ମପୁରର ଝିଅ ହୋଇଥିଲେ ବି କଣାସର ବୋହୂ ଏକଥା ଅସତ୍ୟ ନୁହେଁ ବୋଲି କହିଛନ୍ତି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ତାଙ୍କୁ ଝିଅ ବୋଲି କହିନଥିଲେ । ନିର୍ବାଚନ ଜିତିବା ପରେ ତାଙ୍କୁ ଏଭଳି ସମ୍ବୋଧନ କରିବାକୁ ଗ୍ରହଣ କରିନାହାନ୍ତି ଜୟନାରାୟଣ ।

ତେବେ ସାଧାରଣ ନିର୍ବାଚନକୁ ଆଉ ଦେଢ ବର୍ଷରୁ କମ୍ ସମୟ ଥିବାରୁ ଲୋକେ ସରକାର ବିରୋଧରେ ଗଲେ ନାହିଁ ବୋଲି ଅନୁମାନ ଲଗାଇଛନ୍ତି ଜୟନାରାୟଣ। ସେ ଆହୁରି କହିଛନ୍ତି ଯେ, ପଦ୍ମପୁରରେ ଜିତୁବୁ ବୋଲି ଆଶା ରଖିଥିଲୁ। ଗତଥର ଠାରୁ ବିଜେପିକୁ ଅଧିକ ଭୋଟ୍ ମିଳିଛି, କିନ୍ତୁ ଭୋଟ୍ ବ୍ୟବଧାନ ଅଧିକ ଥିଲା। ପଦ୍ମପୁରରେ କଂଗ୍ରେସ ଭୋଟ୍ ସମ୍ପୂର୍ଣ୍ଣ ଭାବେ ବିଜେଡି ନେଇଗଲା, ଫଳରେ ପଦ୍ମପୁରରେ ବିଜେପି ପରାଜୟର ମୁହଁ ଦେଖିବା କଥା କହିଛନ୍ତି ଜୟନାରାୟଣ । ବିଜେଡି ଜିତିବାର କାରଣ ଅର୍ଥବଳ, ବାହୁବଳ ଓ ସରକାରୀ କଳ। ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି। କିନ୍ତୁ ୨୦୨୪ରେ ଏହାର ପ୍ରଭାବ ପଡ଼ିବ ନାହିଁ । ୨୪ରେ ବ୍ୟାପକ ଲଢ଼େଇ ହେବ। ଓଡ଼ିଶା ରାଜନୀତିରୁ କଂଗ୍ରେସ ବାହାରି ଗଲାଣି। ତେଣୁ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବ ବୋଲି ସେ କହିଛନ୍ତି। ତେବେ ଶେଷରେ ପଦ୍ମପୁରରେ ନବୀନ ମ୍ୟାଜିକ୍କୁ ହସି ଉଡାଇ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର ।