ମହାନଦୀ ଜଳ ବିବାଦ ମାମଲା; ଟ୍ରିବ୍ୟୁନାଲରେ ମାମଲା ଲଢ଼ିବାକୁ ରାଜ୍ୟ ସରକାର ଖର୍ଚ୍ଚ କଲେଣି ୯୨ ଲକ୍ଷ୍ୟ ଟଙ୍କା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାନଦୀ ପାଣିକୁ ଛତିଶଗଡ଼ ବଡ଼ ବଡ଼ ବ୍ୟାରେଜ କରି ଅଟକାଇଛି। ଅଣମୌସୁମୀ ବେଳେ ନଦୀର ଜଳସ୍ରୋତ ହ୍ରାସ ପାଇଛି। ଏହାକୁ ନେଇ ବହୁ ତୁମ୍ବିତୋଫାନ ହୋଇଛି। ମାମଲା ଏବେ ମହାନଦୀ ଟ୍ରିବ୍ୟୁନାଲରେ ରହିଛି। ଏ ପର୍ଯ୍ୟନ୍ତ ଫଳାଫଳ ଆସି ନାହିଁ। ତେବେ ଗତ ୫ ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲରେ ମାମଲା ଲଢ଼ିବାକୁ ରାଜ୍ୟ ସରକାର ୯୨ ଲକ୍ଷ ୨୯ ହଜାର ୨୩ ଟଙ୍କା ଖର୍ଚ୍ଚ କରି ସାରିଲେଣି।ବିଜେପି ବିଧାୟକ ଗଣେଶରାମ ଖୁଣ୍ଟିଆଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ଼ ସରକାର ଓଡ଼ିଶାର ଜୀବନରେଖା ମହାନଦୀରେ ଅନେକଗୁଡ଼ିଏ ବ୍ୟାରେଜ ନିର୍ମାଣ କରି ଅର୍ଦ୍ଧାଧିକ ଜଳ ଅଟକାଇ ରଖିଛନ୍ତି। ଏଥିଯୋଗୁ ଅଣମୌସୁମୀ ସମୟରେ ନଦୀର ଜଳ ପ୍ରବାହ ବହୁ ପରିମାଣରେ ହ୍ରାସ ପାଇଛି। ଏହାର ପ୍ରତିବାଦରେ ଓଡ଼ିଶା ସରକାର ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ର ଧାରା ୩ ଅନୁସାରେ ୨୦୧୬ ନଭେମ୍ବର ୨୧ ତାରିଖରେ କେନ୍ଦ୍ର ସରକାରଙ୍କ ନିକଟରେ ଏକ ବୈଧାନିକ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହୋଇଛି, ଯାହାର ଶୁଣାଣି ପ୍ରକ୍ରିୟା ଚାଲୁ ରହିଛି। ଏହା ମଧ୍ୟରେ ଟ୍ରିବ୍ୟୁନାଲ ୨୯ଟି ବୈଠକ କରି ମହାନଦୀ ପ୍ରବାହିତ ରାଜ୍ୟଗୁଡ଼ିକଠାରୁ ତଥ୍ୟ ପ୍ରଦାନ ଏବଂ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ବିଭିନ୍ନ ନଦୀରେ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇ ସରକାର ୪୬ଟି ଇନ୍‌ଷ୍ଟ୍ରିମ ବ୍ୟାରେଜ ଷ୍ଟ୍ରକ୍ଚର ପ୍ରକଳ୍ପ ନିର୍ମାଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Related Posts